47
ସର୍ବୋପରିସ୍ଥ ଅଧିପତି 
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। 
 1 ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ; 
ଆନନ୍ଦ-ସ୍ୱରରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର। 
 2 କାରଣ ସର୍ବୋପରିସ୍ଥ ସଦାପ୍ରଭୁ ଭୟଙ୍କର ଅଟନ୍ତି; 
ସେ ସମୁଦାୟ ପୃଥିବୀ ଉପରେ ମହାନ ରାଜା। 
 3 ସେ ଗୋଷ୍ଠୀସମୂହକୁ ଆମ୍ଭମାନଙ୍କର ବଶୀଭୂତ 
କରିବେ ଓ ଦେଶୀୟଗଣକୁ ଆମ୍ଭମାନଙ୍କର ପଦତଳସ୍ଥ କରିବେ। 
 4 ସେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ଅଧିକାର ମନୋନୀତ କରିବେ, 
ତାହା ହିଁ ତାହାଙ୍କ ପ୍ରିୟପାତ୍ର ଯାକୁବର ଗୌରବ ସ୍ୱରୂପ। 
[ସେଲା]
  5 ପରମେଶ୍ୱର ଜୟଧ୍ୱନିରେ, ସଦାପ୍ରଭୁ ତୂରୀଧ୍ୱନିରେ 
ଊର୍ଦ୍ଧ୍ୱକୁ ବିଜେ କରିଅଛନ୍ତି। 
 6 ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, 
ପ୍ରଶଂସା ଗାନ କର; 
ଆମ୍ଭମାନଙ୍କ ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, 
ପ୍ରଶଂସା ଗାନ କର। 
 7 କାରଣ ପରମେଶ୍ୱର ସମୁଦାୟ ପୃଥିବୀର ରାଜା ଅଟନ୍ତି; 
ତୁମ୍ଭେମାନେ ପ୍ରବୋଧଜନକ ପ୍ରଶଂସା ଗାନ କର। 
 8 ପରମେଶ୍ୱର ଗୋଷ୍ଠୀବର୍ଗ ଉପରେ ରାଜତ୍ୱ କରନ୍ତି; 
ପରମେଶ୍ୱର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ। 
 9 ଅବ୍ରହାମର ପରମେଶ୍ୱରଙ୍କ ଲୋକ ହେବା ନିମନ୍ତେ 
ଗୋଷ୍ଠୀୟମାନଙ୍କର ଅଧିପତିଗଣ ଏକତ୍ରିତ ହୋଇଅଛନ୍ତି। 
କାରଣ ପୃଥିବୀର ଢାଲସବୁ ପରମେଶ୍ୱରଙ୍କର; ସେ 
ଅତିଶୟ ଉନ୍ନତ ଅଟନ୍ତି।