48
ସଦାପ୍ରଭୁଙ୍କ ନଗରୀ ସିୟୋନ 
ଗୀତ: କୋରହ-ସନ୍ତାନମାନଙ୍କର ଗୀତ। 
 1 ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ, 
ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ। 
 2 ଉତ୍ତର ଦିଗସ୍ଥ ସିୟୋନ ପର୍ବତ ଉଚ୍ଚତାରେ ମନୋହର, 
ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜଙ୍କର ନଗର। 
 3 ତହିଁର ଅଟ୍ଟାଳିକାସମୂହ ମଧ୍ୟରେ ପରମେଶ୍ୱର ଆଶ୍ରୟ 
ସ୍ୱରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି। 
 4 କାରଣ ଦେଖ, ରାଜାଗଣ ସଭାସ୍ଥ ହେଲେ, ସେମାନେ 
ଏକ ସଙ୍ଗେ ଗମନ କଲେ। 
 5 ସେମାନେ ତାହା ଦେଖି ଚମତ୍କୃତ ହେଲେ; 
ସେମାନେ ଉଦ୍ବିଗ୍ନ ହୋଇ ଶୀଘ୍ର ପଳାଇଲେ; 
 6 ସେଠାରେ ସେମାନେ କମ୍ପରେ ଓ ପ୍ରସବକାରିଣୀ ସ୍ତ୍ରୀର 
ବେଦନା ତୁଲ୍ୟ ବେଦନାରେ ଆକ୍ରାନ୍ତ ହେଲେ। 
 7 ତୁମ୍ଭେ ପୂର୍ବୀୟ ବାୟୁ ଦ୍ୱାରା 
ତର୍ଶୀଶ ନଗରର ଜାହାଜସବୁ ଭାଙ୍ଗିଥାଅ। 
 8 ଯେପରି ଆମ୍ଭେମାନେ ଶୁଣିଅଛୁ, ସେପରି 
ସୈନ୍ୟାଧିପତି ସଦାପ୍ରଭୁଙ୍କ ନଗରରେ, ଆମ୍ଭମାନଙ୍କ 
ପରମେଶ୍ୱରଙ୍କ ନଗରରେ ଦେଖିଅଛୁ; 
ପରମେଶ୍ୱର ଅନନ୍ତକାଳ ତାହା ସୁସ୍ଥିର କରିବେ। 
[ସେଲା]
  9 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ମନ୍ଦିର ମଧ୍ୟରେ 
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟ ଧ୍ୟାନ କରିଅଛୁ। 
 10 ହେ ପରମେଶ୍ୱର, ଯେପରି ତୁମ୍ଭର ନାମ, ସେହିପରି 
ତୁମ୍ଭର ପ୍ରଶଂସା, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅଟେ; 
ତୁମ୍ଭର ଦକ୍ଷିଣ ହସ୍ତ ଧର୍ମରେ ପରିପୂର୍ଣ୍ଣ। 
 11 ତୁମ୍ଭର ସକଳ ଶାସନ ସକାଶୁ ସିୟୋନ ପର୍ବତ ଆନନ୍ଦିତ ହେଉ, 
ଯିହୁଦାର କନ୍ୟାଗଣ* କନ୍ୟାଗଣ ଅର୍ଥାତ୍ ନଗରର ଲୋକମାନେ ଉଲ୍ଲାସିତ ହେଉନ୍ତୁ। 
 12 ସିୟୋନକୁ ପ୍ରଦକ୍ଷିଣ କର ଓ ତାହାର ଚତୁର୍ଦ୍ଦିଗରେ ଭ୍ରମଣ କର; 
ତହିଁର ଦୁର୍ଗସବୁ ଗଣନା କର। 
 13 ଯେପରି ତୁମ୍ଭେମାନେ ଭବିଷ୍ୟତ ବଂଶକୁ ଜଣାଇ 
ପାରିବ, ଏଥିପାଇଁ ତହିଁର ଦୃଢ଼ ପ୍ରାଚୀରମାନ ନିରୀକ୍ଷଣ 
କର, ତହିଁର ଅଟ୍ଟାଳିକାସବୁ ବିବେଚନା କର। 
 14 କାରଣ ଏହି ପରମେଶ୍ୱର ଅନନ୍ତକାଳ ଆମ୍ଭମାନଙ୍କର 
ପରମେଶ୍ୱର ଅଟନ୍ତି; 
ସେ ଆମ୍ଭମାନଙ୍କର ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ।