54
ଶତ୍ରୁ କବଳରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନା 
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। “ଦାଉଦ କʼଣ ଆମ୍ଭମାନଙ୍କ ମଧ୍ୟରେ ଲୁଚିକରି ନାହିଁ?” ସୀଫୀୟମାନେ ଶାଉଲଙ୍କୁ ଏହି କଥା କହିବା ସମୟରେ ରଚିତ। 
 1 ହେ ପରମେଶ୍ୱର, ତୁମ୍ଭ ନାମ ଦ୍ୱାରା ମୋତେ ପରିତ୍ରାଣ 
କର ଓ ତୁମ୍ଭ ପରାକ୍ରମରେ ମୋହର ବିଚାର କର। 
 2 ହେ ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ; ମୋʼ 
ମୁଖର କଥାରେ କର୍ଣ୍ଣପାତ କର। 
 3 କାରଣ ଅପରିଚିତ ଲୋକମାନେ ମୋʼ ବିରୁଦ୍ଧରେ ଉଠିଅଛନ୍ତି, 
ପୁଣି, ଦୁରନ୍ତ ଲୋକମାନେ ମୋʼ ପ୍ରାଣ ଖୋଜି ଅଛନ୍ତି। 
ସେମାନେ ପରମେଶ୍ୱରଙ୍କୁ ଆପଣା ସମ୍ମୁଖରେ ରଖି ନାହାନ୍ତି। 
[ସେଲା]
  4 ଦେଖ, ପରମେଶ୍ୱର ମୋହର ସାହାଯ୍ୟକାରୀ; 
ପ୍ରଭୁ ମୋʼ ପ୍ରାଣରକ୍ଷକ ଅଟନ୍ତି। 
 5 ସେ ମୋʼ ଶତ୍ରୁମାନଙ୍କ ପ୍ରତି ମନ୍ଦତାର ଫଳ ଦେବେ; 
ତୁମ୍ଭେ ଆପଣା ସତ୍ୟତାରେ ସେମାନଙ୍କୁ ବିନାଶ କର। 
 6 ମୁଁ ସ୍ୱେଚ୍ଛାଦତ୍ତ ଉପହାର ନେଇ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି; 
ହେ ସଦାପ୍ରଭୋ, ମୁଁ ତୁମ୍ଭ ନାମର ଧନ୍ୟବାଦ କରିବି, 
କାରଣ ତାହା ଉତ୍ତମ। 
 7 ଯେହେତୁ ସେ ମୋତେ ସମସ୍ତ ବିପଦରୁ ଉଦ୍ଧାର କରିଅଛନ୍ତି; 
ଆଉ, ମୋʼ ଶତ୍ରୁଗଣ ଉପରେ ମୋର ବାଞ୍ଛା ସଫଳ ହେବାର ମୋହର ଚକ୍ଷୁ ଦେଖିଅଛି।