63
ପରମେଶ୍ୱରଙ୍କ ସାନ୍ନିଧ୍ୟ ପାଇଁ ବ୍ୟାକୁଳତା 
ଦାଉଦଙ୍କର ଗୀତ, ସେ ଯିହୁଦା-ପ୍ରାନ୍ତରରେ ଥିବା ବେଳେ ରଚିତ। 
 1 ହେ ପରମେଶ୍ୱର, ତୁମ୍ଭେ ମୋହର ପରମେଶ୍ୱର; 
ବ୍ୟାକୁଳରେ ମୁଁ ତୁମ୍ଭର ଅନ୍ୱେଷଣ କରିବି; 
ଜଳଶୂନ୍ୟ ଶୁଷ୍କ ଓ ଶ୍ରାନ୍ତିକର ଦେଶରେ ମୋʼ ପ୍ରାଣ ତୁମ୍ଭ ନିମନ୍ତେ ତୃଷିତ ହୁଏ 
ଓ ମୋʼ ଶରୀର ତୁମ୍ଭ ପାଇଁ ଲାଳସା କରେ। 
 2 ତେଣୁ ତୁମ୍ଭ ପରାକ୍ରମ ଓ ଗୌରବ ଦେଖିବା ପାଇଁ 
ମୁଁ ପବିତ୍ର ସ୍ଥାନରେ ତୁମ୍ଭ ପ୍ରତି ଚାହିଁ ରହିଅଛି। 
 3 କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ; 
ମୋହର ଓଷ୍ଠାଧର ତୁମ୍ଭର ପ୍ରଶଂସା କରିବ। 
 4 ଏହିରୂପେ ମୁଁ ଯାବଜ୍ଜୀବନ ତୁମ୍ଭର ଧନ୍ୟବାଦ କରିବି; 
ମୁଁ ତୁମ୍ଭ ନାମରେ ଆପଣା ହସ୍ତ ଉଠାଇବି; 
 5 ଯେପରି ମେଦ ଓ ମଜ୍ଜାରେ, ସେପରି ମୋହର ପ୍ରାଣ ପରିତୃପ୍ତ ହେବ 
ଓ ମୋʼ ମୁଖ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବ। 
 6 ମୁଁ ଶଯ୍ୟା ଉପରେ ତୁମ୍ଭଙ୍କୁ ସ୍ମରଣ କରିବା ବେଳେ 
ରାତ୍ରିର ପ୍ରହରକୁ ପ୍ରହର ତୁମ୍ଭ ବିଷୟ ଧ୍ୟାନ କରେ। 
 7 କାରଣ ତୁମ୍ଭେ ମୋହର ସହାୟ ହୋଇଅଛ, 
ଆଉ ତୁମ୍ଭ ପକ୍ଷର ଛାୟାରେ ମୁଁ ଉଲ୍ଲାସ କରିବି। 
 8 ମୋହର ପ୍ରାଣ ତୁମ୍ଭ ପଛେ ପଛେ ଲାଗିଥାଏ; 
ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖେ। 
 9 ମାତ୍ର ଯେଉଁମାନେ ମୋʼ ପ୍ରାଣନାଶର ଚେଷ୍ଟା କରନ୍ତି, 
ସେମାନେ ପୃଥିବୀର ଅଧଃସ୍ଥାନକୁ ଯିବେ। 
 10 ସେମାନେ ଖଡ୍ଗର ପରାକ୍ରମରେ ସମର୍ପିତ ହେବେ; 
ସେମାନେ ଶୃଗାଳର ଖାଦ୍ୟ ହେବେ। 
 11 ମାତ୍ର ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ; 
ତାହାଙ୍କ ନାମରେ ଶପଥକାରୀ ପ୍ରତ୍ୟେକ ଲୋକ ଦର୍ପ କରିବେ; 
କାରଣ ମିଥ୍ୟାବାଦୀମାନଙ୍କ ମୁଖ ରୁଦ୍ଧ ହେବ।