64
ସୁରକ୍ଷା ପାଇଁ ପ୍ରାର୍ଥନା 
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। 
 1 ହେ ପରମେଶ୍ୱର, ମୋʼ କାକୂକ୍ତିର ରବ ଶ୍ରବଣ କର; 
ଶତ୍ରୁ ଭୟରୁ ମୋʼ ଜୀବନ ରକ୍ଷା କର। 
 2 କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ, 
ଅଧର୍ମାଚାରୀମାନଙ୍କ କଳହରୁ ମୋତେ ଲୁଚାଇ ରଖ; 
 3 ସେମାନେ ଖଡ୍ଗ ପରି ଆପଣା ଜିହ୍ୱା ଶାଣିତ କରିଅଛନ୍ତି 
 4 ଏବଂ ଆପଣାମାନଙ୍କ କଟୁବାକ୍ୟରୂପ ତୀର ଲକ୍ଷ୍ୟ କରିଅଛନ୍ତି; 
ଯେପରି ସିଦ୍ଧ ଲୋକଙ୍କ ପ୍ରତି ଗୋପନରେ ନିକ୍ଷେପ କରି ପାରିବେ; 
ସେମାନେ ହଠାତ୍ ତାହା ପ୍ରତି ନିକ୍ଷେପ କରନ୍ତି ଓ ଭୟ କରନ୍ତି ନାହିଁ। 
 5 ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ କରନ୍ତି; 
ସେମାନେ ଗୋପନରେ ଫାନ୍ଦ ପାତିବାକୁ କଥାବାର୍ତ୍ତା କରନ୍ତି; 
ସେମାନେ କହନ୍ତି, “ଆମ୍ଭମାନଙ୍କୁ* ଆମ୍ଭମାନଙ୍କୁ ସେମାନଙ୍କୁ  କିଏ ଦେଖିବ?” 
 6 ସେମାନେ ଅଧର୍ମ କଳ୍ପନା କରନ୍ତି; 
“ଆମ୍ଭେମାନେ ଯତ୍ନପୂର୍ବକ କଳ୍ପନା ସିଦ୍ଧ କରିଅଛୁ” ବୋଲି ସେମାନେ କହନ୍ତି; 
ଆଉ, ପ୍ରତ୍ୟେକର ଆନ୍ତରିକ ଭାବ ଓ ହୃଦୟ ଗଭୀର। 
 7 ମାତ୍ର ପରମେଶ୍ୱର ସେମାନଙ୍କ ପ୍ରତି ତୀର ନିକ୍ଷେପ କରିବେ; 
ସେଥିରେ ସେମାନେ ହଠାତ୍ ଆହତ ହେବେ। 
 8 ଏହିରୂପେ ସେମାନେ ନିପାତିତ ହେବେ, 
ସେମାନଙ୍କ ନିଜ ଜିହ୍ୱା ସେମାନଙ୍କର ବିପକ୍ଷ ହେବ; 
ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ଡ ହଲାଇବେ; 
 9 ପୁଣି, ସକଳ ମନୁଷ୍ୟ ଭୟ କରିବେ, 
ସେମାନେ ପରମେଶ୍ୱରଙ୍କ କର୍ମ ପ୍ରକାଶ କରିବେ 
ଓ ତାହାଙ୍କର କ୍ରିୟା ସୁବିବେଚନା କରିବେ। 
 10 ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ 
ଓ ତାହାଙ୍କର ଶରଣାଗତ ହେବ। 
ପୁଣି, ସରଳାନ୍ତଃକରଣ ସମସ୍ତେ ସଦାପ୍ରଭୁଙ୍କଠାରେ ପ୍ରଶଂସା କରିବେ।