65
ପ୍ରଶଂସା ଓ ଧନ୍ୟବାଦ 
ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ଦାଉଦଙ୍କର ଗୀତ। 
 1 ହେ ପରମେଶ୍ୱର, ସିୟୋନରେ ପ୍ରଶଂସା ତୁମ୍ଭର ଅପେକ୍ଷା କରେ 
ଓ ତୁମ୍ଭ ଉଦ୍ଦେଶ୍ୟରେ ମାନତ ପୂର୍ଣ୍ଣ କରାଯିବ। 
 2 ଆହେ, ପ୍ରାର୍ଥନା ଶ୍ରବଣକାରୀ ଯେ ତୁମ୍ଭେ, 
ତୁମ୍ଭ ନିକଟକୁ ସକଳ ପ୍ରାଣୀ ଆସିବେ। 
 3 ଅପରାଧ ମୋʼ ଉପରେ ପ୍ରବଳ ହୁଏ; 
ତୁମ୍ଭେ ଆମ୍ଭମାନଙ୍କ ଅଧର୍ମ ମାର୍ଜନା କରିବ। 
 4 ତୁମ୍ଭେ ଯାହାକୁ ତୁମ୍ଭ ପ୍ରାଙ୍ଗଣରେ ବାସ କରିବା ପାଇଁ ମନୋନୀତ କର 
ଓ ଆପଣା ନିକଟକୁ ଆସିବାକୁ ଦିଅ, ସେ ଲୋକ ଧନ୍ୟ; 
ଆମ୍ଭେମାନେ ତୁମ୍ଭ ଗୃହର, ଅର୍ଥାତ୍, 
ତୁମ୍ଭ ମନ୍ଦିରର ପବିତ୍ର ସ୍ଥାନର ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହେବା। 
 5 ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, 
ତୁମ୍ଭେ ଭୟାନକ କ୍ରିୟା ଦ୍ୱାରା ଧର୍ମରେ ଆମ୍ଭମାନଙ୍କୁ ଉତ୍ତର ଦେବ; 
ତୁମ୍ଭେ ପୃଥିବୀର ପ୍ରାନ୍ତନିବାସୀ ଓ ଦୂରବର୍ତ୍ତୀ ସମୁଦ୍ରବାସୀ 
ସମସ୍ତଙ୍କର ବିଶ୍ୱାସଭୂମି ଅଟ। 
 6 ତୁମ୍ଭେ ପରାକ୍ରମରେ କଟି ବାନ୍ଧି ସ୍ୱଶକ୍ତିରେ 
ପର୍ବତଗଣକୁ ଦୃଢ଼ ରୂପେ ସ୍ଥାପନ କରିଥାଅ; 
 7 ତୁମ୍ଭେ ସମୁଦ୍ରସମୂହର ଗର୍ଜ୍ଜନ, ତହିଁର ତରଙ୍ଗମାଳାର 
ଗର୍ଜ୍ଜନ ଓ ଗୋଷ୍ଠୀୟମାନଙ୍କର କଳହ ଶାନ୍ତ କରିଥାଅ। 
 8 ଆହୁରି, ପ୍ରାନ୍ତଭାଗ-ନିବାସୀଗଣ ତୁମ୍ଭ ଚିହ୍ନ ଦେଖି ଭୀତ ହୁଅନ୍ତି; 
ତୁମ୍ଭେ ସନ୍ଧ୍ୟାକାଳ ଓ ପ୍ରାତଃକାଳର ଉଦ୍ଗମକୁ ଆନନ୍ଦମୟ କରିଥାଅ। 
 9 ତୁମ୍ଭେ ପୃଥିବୀର ତତ୍ତ୍ୱାବଧାନ କରି ତହିଁରେ ଜଳ ସେଚନ କରିଥାଅ, 
ତୁମ୍ଭେ ତାହାକୁ ଅତିଶୟ ଧନାଢ଼୍ୟ କରିଥାଅ; 
ପରମେଶ୍ୱରଙ୍କ ନଦୀ ଜଳରେ ପରିପୂର୍ଣ୍ଣ; 
ତୁମ୍ଭେ ପୃଥିବୀକୁ ପ୍ରସ୍ତୁତ କଲା ଉତ୍ତାରେ ସେମାନଙ୍କୁ ଶସ୍ୟ ଯୋଗାଇ ଦେଇଥାଅ। 
 10 ତୁମ୍ଭେ ବହୁଳ ରୂପେ ତାହାର ଶିଆରରେ ଜଳ ସେଚନ କରିଥାଅ; 
ତୁମ୍ଭେ ତହିଁର ହିଡ଼ସବୁ ସ୍ଥିର କରିଥାଅ; 
ତୁମ୍ଭେ ବୃଷ୍ଟିରେ ତାହାକୁ କୋମଳ କରିଥାଅ; 
ତୁମ୍ଭେ ତହିଁର ଅଙ୍କୁରକୁ ଆଶୀର୍ବାଦ କରିଥାଅ; 
 11 ତୁମ୍ଭେ ଆପଣା ମଙ୍ଗଳ ଭାବରେ ବର୍ଷକୁ ମୁକୁଟ ପିନ୍ଧାଇ ଥାଅ 
ଓ ତୁମ୍ଭ ପଥସବୁ ପୁଷ୍ଟତା କ୍ଷରଣ କରେ। 
 12 ତାହା ପ୍ରାନ୍ତରସ୍ଥ ଚରାସ୍ଥାନ ଉପରେ କ୍ଷରେ 
ଓ ଗିରିଗଣ ଆନନ୍ଦରୂପ କଟିବନ୍ଧନ ପାଆନ୍ତି। 
 13 ଚରାସ୍ଥାନସବୁ ମେଷପଲରେ ଭୂଷିତ ହୁଅନ୍ତି; 
ମଧ୍ୟ ଉପତ୍ୟକାସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି; 
ସେମାନେ ଜୟଧ୍ୱନି କରନ୍ତି, ମଧ୍ୟ ସେମାନେ ଗାନ କରନ୍ତି।