77
ଦୁର୍ଦ୍ଦଶା ସମୟରେ ଆଶ୍ୱାସନା 
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍ର ରୀତି ଅନୁସାରେ ଆସଫର ଗୀତ। 
 1 ମୁଁ ପରମେଶ୍ୱରଙ୍କ ନିକଟରେ ସ୍ୱରବରେ କାକୂକ୍ତି କରିବି; 
ପରମେଶ୍ୱରଙ୍କ ନିକଟରେ ହିଁ ସ୍ୱରବରେ କାକୂକ୍ତି କରିବି, ତହିଁରେ ସେ ମୋʼ ପ୍ରତି କର୍ଣ୍ଣପାତ କରିବେ। 
 2 ମୁଁ ଆପଣା ସଙ୍କଟ ଦିନରେ ପ୍ରଭୁଙ୍କୁ ଅନ୍ୱେଷଣ କଲି; 
ରାତ୍ରିକାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଙ୍କୁଚିତ ନୋହିଲା; 
ମୋହର ପ୍ରାଣ ପ୍ରବୋଧ ମାନିବାକୁ ଅସମ୍ମତ ହେଲା। 
 3 ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି ଅସ୍ଥିର ହେଉଅଛି; 
ଭାବନା କରି କରି ମୋହର ଆତ୍ମା ମୂର୍ଚ୍ଛିତ ହୁଏ। 
[ସେଲା]
  4 ତୁମ୍ଭେ ମୋʼ ଚକ୍ଷୁକୁ ଉଜାଗର କରି ରଖୁଅଛ; 
ମୁଁ ଏପରି ବ୍ୟାକୁଳ ଯେ, କଥା କହି ପାରୁ ନାହିଁ। 
 5 ମୁଁ ପୂର୍ବକାଳର ଦିନସବୁ, 
ପୁରାତନ କାଳର ବର୍ଷସବୁ ଭାବନା କରିଅଛି। 
 6 ମୁଁ ଆପଣା ରାତ୍ରିକାଳୀନ ଗୀତ ସ୍ମରଣ କରୁଅଛି; 
ମୁଁ ଆପଣା ମନେ ମନେ ଧ୍ୟାନ କରୁଅଛି; 
ପୁଣି, ମୋହର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା। 
 7 “ପ୍ରଭୁ କʼଣ ସଦାକାଳ ପରିତ୍ୟାଗ କରିବେ? 
ସେ କʼଣ ଆଉ ସୁପ୍ରସନ୍ନ ହେବେ ନାହିଁ? 
 8 ତାହାଙ୍କ ଦୟା କʼଣ ଚିରକାଳ ଲୁପ୍ତ ହେଲା? 
ତାହାଙ୍କ ପ୍ରତିଜ୍ଞା କʼଣ ଚିରକାଳ ବିଫଳ ହୁଏ? 
 9 ପରମେଶ୍ୱର କʼଣ କୃପାମୟ ହେବାକୁ ପାସୋରିଅଛନ୍ତି? 
ସେ କʼଣ କ୍ରୋଧରେ ଆପଣା କରୁଣା ରୁଦ୍ଧ କରିଅଛନ୍ତି?” 
[ସେଲା]
  10 ତହୁଁ ମୁଁ କହିଲି, “ଏହା ହିଁ ମୋହର ଦୁର୍ବଳତା; 
ମାତ୍ର ମୁଁ ସର୍ବୋପରିସ୍ଥଙ୍କ ଦକ୍ଷିଣ ହସ୍ତର ବର୍ଷସକଳ ସ୍ମରଣ କରିବି।” 
 11 ମୁଁ ସଦାପ୍ରଭୁଙ୍କ କର୍ମସବୁ ଉଲ୍ଲେଖ କରିବି; 
ମୁଁ ପୂର୍ବକାଳର ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାସବୁ ସ୍ମରଣ କରିବି। 
 12 ମୁଁ ତୁମ୍ଭର ସମସ୍ତ କର୍ମ ଚିନ୍ତା କରିବି 
ଓ ତୁମ୍ଭର କ୍ରିୟାସକଳ ଧ୍ୟାନ କରିବି। 
 13 ହେ ପରମେଶ୍ୱର, ତୁମ୍ଭର ପଥ ପବିତ୍ର ଅଟେ;* ତୁମ୍ଭର ପଥ ପବିତ୍ର ଅଟେ; ଅର୍ଥାତ୍ ପବିତ୍ରତାରେ ତୁମ୍ଭର ପଥ ଥାଏ; 
ପରମେଶ୍ୱରଙ୍କ ତୁଲ୍ୟ ମହାନ ପରମେଶ୍ୱର କିଏ? 
 14 ତୁମ୍ଭେ ଆଶ୍ଚର୍ଯ୍ୟ-କର୍ମକର୍ତ୍ତା ପରମେଶ୍ୱର; 
ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ। 
 15 ତୁମ୍ଭେ ନିଜ ବାହୁରେ ଆପଣା ଲୋକଙ୍କୁ, 
ଯାକୁବ ଓ ଯୋଷେଫର ସନ୍ତାନଗଣକୁ ମୁକ୍ତ କରିଅଛ। 
 16 ହେ ପରମେଶ୍ୱର, ସମୁଦ୍ର ତୁମ୍ଭଙ୍କୁ ଦେଖିଲା, 
ସମୁଦ୍ର ତୁମ୍ଭଙ୍କୁ ଦେଖି ଭୀତ ହେଲା; 
ମଧ୍ୟ ବାରିଧି କମ୍ପିତ ହେଲା। 
 17 ମେଘମାଳ ଜଳ ବୃଷ୍ଟି କଲେ, 
ଆକାଶ ଗର୍ଜ୍ଜନ କଲା; 
ମଧ୍ୟ ତୁମ୍ଭର ତୀରସବୁ ବ୍ୟାପ୍ତ ହେଲା। 
 18 ଘୂର୍ଣ୍ଣିବାୟୁରେ ତୁମ୍ଭର ବଜ୍ରଧ୍ୱନି ହେଲା; 
ବିଜୁଳି ଜଗତକୁ ଆଲୁଅମୟ କଲା; 
ପୃଥିବୀ କମ୍ପିତ ଓ ଥରହର ହେଲା। 
 19 ସମୁଦ୍ରରେ ତୁମ୍ଭର ପଥ ଓ ମହାଜଳରାଶିରେ ତୁମ୍ଭର ମାର୍ଗ ଥିଲା, 
ପୁଣି, ତୁମ୍ଭର ପଦଚିହ୍ନ ଜଣା ନୋହିଲା। 
 20 ତୁମ୍ଭେ ମୋଶା ଓ ହାରୋଣର ହସ୍ତ ଦ୍ୱାରା ଆପଣା 
ଲୋକମାନଙ୍କୁ ମେଷପଲ ପରି ଚଳାଇଲ।