78
ପରମେଶ୍ୱର ଓ ତାହାଙ୍କ ଲୋକମାନେ 
ଆସଫର ମସ୍କୀଲ୍। 
 1 ହେ ମୋହର ଲୋକମାନେ, ମୋହର ବ୍ୟବସ୍ଥା ଶୁଣ; 
ମୋʼ ମୁଖର ବାକ୍ୟରେ କର୍ଣ୍ଣପାତ କର। 
 2 ମୁଁ ଦୃଷ୍ଟାନ୍ତ-କଥାରେ ଆପଣା ମୁଖ ଫିଟାଇବି; 
ମୁଁ ପୂର୍ବକାଳର ଗୂଢ଼ ବାକ୍ୟସବୁ ପ୍ରକାଶ କରିବି; 
 3 ଆମ୍ଭେମାନେ ତାହାସବୁ ଶୁଣି ଜାଣିଅଛୁ 
ଓ ଆମ୍ଭମାନଙ୍କ ପିତୃଗଣ ଆମ୍ଭମାନଙ୍କୁ ଜଣାଇ ଅଛନ୍ତି। 
 4 ଆମ୍ଭେମାନେ ତାହାସବୁ ସେମାନଙ୍କ ସନ୍ତାନଗଣଠାରୁ ଗୁପ୍ତ ରଖିବା ନାହିଁ, 
ଆସନ୍ତା ପିଢ଼ି ନିକଟରେ ସଦାପ୍ରଭୁଙ୍କର ପ୍ରଶଂସା 
ଓ ତାହାଙ୍କର ପରାକ୍ରମ ଓ ତାହାଙ୍କ କୃତ ଆଶ୍ଚର୍ଯ୍ୟ-କର୍ମସକଳ ବର୍ଣ୍ଣନା କରିବା। 
 5 କାରଣ ସେ ଯାକୁବ ମଧ୍ୟରେ ଏକ ସାକ୍ଷ୍ୟ ସ୍ଥାପନ କଲେ 
ଓ ଇସ୍ରାଏଲର ମଧ୍ୟରେ ଏକ ବ୍ୟବସ୍ଥା ନିରୂପଣ କଲେ, 
ଆପଣା ସନ୍ତାନଗଣକୁ ତାହା ଜଣାଇବା ନିମନ୍ତେ 
ଆମ୍ଭମାନଙ୍କ ପିତୃଗଣକୁ ଆଜ୍ଞା କଲେ; 
 6 ଯେପରି ଆସନ୍ତା ପୁରୁଷ, ଅର୍ଥାତ୍, ଯେଉଁ ସନ୍ତାନଗଣ ଜାତ ହେବେ, 
ସେମାନେ ଜାଣିବେ ଓ ଉଠି ଆପଣା ଆପଣା ସନ୍ତାନଗଣକୁ ତାହା ଜଣାଇବେ; 
 7 ତହିଁରେ ସେମାନେ ଯେପରି ପରମେଶ୍ୱରଙ୍କଠାରେ ଭରସା ରଖି ପାରିବେ 
ଓ ପରମେଶ୍ୱରଙ୍କ କ୍ରିୟାସକଳ ପାସୋରି ନ ଯିବେ, 
ମାତ୍ର ତାହାଙ୍କ ଆଜ୍ଞାସବୁ ପାଳନ କରିବେ; 
 8 ପୁଣି, ଆପଣା ପିତୃଗଣ ତୁଲ୍ୟ 
ଅବାଧ୍ୟ ଓ ବିଦ୍ରୋହୀ ବଂଶ ହେବେ ନାହିଁ; 
ସେହି ବଂଶ ଆପଣା ଆପଣା ଅନ୍ତଃକରଣ ଯଥାର୍ଥ ରୂପେ ସୁସ୍ଥିର କଲେ ନାହିଁ; 
ଓ ସେମାନଙ୍କ ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା। 
 9 ଇଫ୍ରୟିମର ସନ୍ତାନଗଣ ସସଜ୍ଜ ଓ ଧନୁର୍ଦ୍ଧର ହୋଇ 
ସଂଗ୍ରାମ ଦିନରେ ହଟିଗଲେ। 
 10 ସେମାନେ ପରମେଶ୍ୱରଙ୍କ ନିୟମ ପାଳନ କଲେ ନାହିଁ 
ଓ ତାହାଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଅସ୍ୱୀକାର କଲେ; 
 11 ସେମାନେ ତାହାଙ୍କ କାର୍ଯ୍ୟସକଳ, 
ସେମାନଙ୍କ ପ୍ରତି ପ୍ରକାଶିତ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାସକଳ ଭୁଲିଗଲେ। 
 12 ସେ ସେମାନଙ୍କ ପିତୃଗଣ ସାକ୍ଷାତରେ 
ମିସର ଦେଶରେ, ସୋୟନ-ପଦାରେ ନାନା ଆଶ୍ଚର୍ଯ୍ୟକର୍ମ କଲେ। 
 13 ସେ ସମୁଦ୍ରକୁ ବିଭକ୍ତ କରି ସେମାନଙ୍କୁ ପାର କରାଇଲେ; 
ପୁଣି, ସେ ଜଳସମୂହକୁ ରାଶୀ ରୂପେ ଠିଆ କରାଇଲେ। 
 14 ଦିବସରେ ସେ ମେଘ ଦ୍ୱାରା 
ଓ ରାତ୍ରିରେ ଅଗ୍ନିତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇ ନେଲେ। 
 15 ପ୍ରାନ୍ତରରେ ସେ ଶୈଳମାନଙ୍କୁ ବିଦୀର୍ଣ୍ଣ କଲେ, 
ପୁଣି, ଯେପରି ଅଗାଧସ୍ଥଳରୁ, ସେପରି ସେମାନଙ୍କୁ ପ୍ରଚୁର ଜଳ ପାନ କରାଇଲେ। 
 16 ସେ ଶୈଳରୁ ସ୍ରୋତ ବାହାର କଲେ 
ଓ ନଦୀ ତୁଲ୍ୟ ଜଳ ବହାଇଲେ। 
 17 ତଥାପି ସେମାନେ ତାହାଙ୍କ ବିରୁଦ୍ଧରେ ପାପ କରିବାକୁ 
ଓ ମରୁଭୂମିରେ ସର୍ବୋପରିସ୍ଥଙ୍କ ପ୍ରତିକୂଳରେ ବିଦ୍ରୋହାଚରଣ କରିବାକୁ ନିରସ୍ତ ନୋହିଲେ। 
 18 ପୁଣି, ସେମାନେ ଆପଣାମାନଙ୍କ ଅଭିଳାଷ ପୂରଣାର୍ଥେ 
ଭକ୍ଷ୍ୟ ମାଗି ଆପଣା ଆପଣା ମନରେ ପରମେଶ୍ୱରଙ୍କର ପରୀକ୍ଷା କଲେ। 
 19 ହଁ, ସେମାନେ ପରମେଶ୍ୱରଙ୍କ ପ୍ରତିକୂଳରେ କଥା କହିଲେ; 
ସେମାନେ କହିଲେ, “ପରମେଶ୍ୱର କି ପ୍ରାନ୍ତରରେ ମେଜ ସଜାଇ ପାରିବେ? 
 20 ଦେଖ, ସେ ଶୈଳକୁ ଆଘାତ କରନ୍ତେ, ଜଳ ନିର୍ଗତ ହେଲା 
ଓ ସ୍ରୋତ ପ୍ରବାହିତ ହେଲା; 
ସେ କି ଅନ୍ନ ମଧ୍ୟଦେଇ ପାରନ୍ତି? 
ସେ କି ଆପଣା ଲୋକମାନଙ୍କ ନିମନ୍ତେ ମାଂସ ଯୋଗାଇବେ?” 
 21 ଏହେତୁ ସଦାପ୍ରଭୁ ଶୁଣି କୋପାନ୍ୱିତ ହେଲେ 
ଓ ଯାକୁବ ବିରୁଦ୍ଧରେ ଅଗ୍ନି ପ୍ରଜ୍ୱଳିତ ହେଲା 
ଓ ଇସ୍ରାଏଲ ବିରୁଦ୍ଧରେ ମଧ୍ୟ କ୍ରୋଧ ଉଠିଲା; 
 22 କାରଣ ସେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ନାହିଁ 
ଓ ତାହାଙ୍କ ପରିତ୍ରାଣରେ ନିର୍ଭର ରଖିଲେ ନାହିଁ। 
 23 ତଥାପି ସେ ଉପରିସ୍ଥ ମେଘମାଳକୁ ଆଜ୍ଞା କଲେ 
ଓ ଆକାଶର ଦ୍ୱାର ମୁକ୍ତ କଲେ। 
 24 ଆଉ, ସେ ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷାଇଲେ 
ଓ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ। 
 25 ପରାକ୍ରମୀଗଣର ଆହାର ମନୁଷ୍ୟ ଭୋଜନ କଲା; 
ସେ ସେମାନଙ୍କ ତୃପ୍ତି ପର୍ଯ୍ୟନ୍ତ ଭକ୍ଷ୍ୟ ପଠାଇଲେ। 
 26 ସେ ଆକାଶରେ ପୂର୍ବୀୟ ବାୟୁ ବହାଇଲେ 
ଓ ନିଜ ପରାକ୍ରମ ଦ୍ୱାରା ଦକ୍ଷିଣ ବାୟୁ ଚଳାଇଲେ। 
 27 ମଧ୍ୟ ସେ ଧୂଳି ପରି ସେମାନଙ୍କ ଉପରେ ମାଂସ ବର୍ଷାଇଲେ, 
ପୁଣି, ସମୁଦ୍ରର ବାଲି ପରି ପକ୍ଷୀମାନଙ୍କୁ ବର୍ଷାଇଲେ; 
 28 ସେ ସେମାନଙ୍କ ଛାଉଣି ମଧ୍ୟରେ, 
ସେମାନଙ୍କ ଆବାସର ଚତୁର୍ଦ୍ଦିଗରେ ତାହା ବର୍ଷାଇଲେ। 
 29 ତହିଁରେ ସେମାନେ ଭୋଜନ କରି ପରିତୃପ୍ତ ହେଲେ 
ଓ ସେ ସେମାନଙ୍କ ଅଭିଳାଷିତ ବିଷୟ ସେମାନଙ୍କୁ ପ୍ରଦାନ କଲେ। 
 30 ଅଭିଳାଷିତ ବିଷୟରୁ ସେମାନଙ୍କ ସ୍ନେହ ଭଙ୍ଗ ନୋହୁଣୁ, 
ଖାଦ୍ୟ ସେମାନଙ୍କ ମୁଖରେ ଥାଉ ଥାଉ 
 31 ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ପ୍ରତିକୂଳରେ ଉଠିଲା 
ଓ ସେମାନଙ୍କ ହୃଷ୍ଟପୁଷ୍ଟ ଲୋକଙ୍କ ମଧ୍ୟରୁ ବଧ କଲା, 
ପୁଣି, ଇସ୍ରାଏଲର ଯୁବାଗଣକୁ ସଂହାର କଲା। 
 32 ଏସବୁ ହେଲେ ହେଁ ସେମାନେ ପୁନର୍ବାର ପାପ କଲେ 
ଓ ତାହାଙ୍କ ଆଶ୍ଚର୍ଯ୍ୟ କ୍ରିୟାରେ ବିଶ୍ୱାସ କଲେ ନାହିଁ। 
 33 ଏହେତୁ ସେ ଅସାରତାରେ ସେମାନଙ୍କ ଦିନ 
ଓ ଆତଙ୍କରେ ସେମାନଙ୍କ ବର୍ଷସବୁ କ୍ଷେପଣ କରାଇଲେ, 
 34 ସେ ସେମାନଙ୍କୁ ବଧ କଲା ବେଳେ, ସେମାନେ ତାହାଙ୍କୁ ଖୋଜିଲେ; 
ଆଉ, ଫେରି ଶୀଘ୍ର ପରମେଶ୍ୱରଙ୍କ ଅନ୍ୱେଷଣ କଲେ। 
 35 ପରମେଶ୍ୱର ଯେ ସେମାନଙ୍କର ଶୈଳ 
ଓ ସର୍ବୋପରିସ୍ଥ ପରମେଶ୍ୱର ଯେ ସେମାନଙ୍କର ମୁକ୍ତିକର୍ତ୍ତା, ଏହା ସ୍ମରଣ କଲେ। 
 36 ମାତ୍ର ସେମାନେ ମୁଖରେ ତାହାଙ୍କର ଚାଟୁବାଦ କଲେ 
ଓ ଜିହ୍ୱାରେ ତାହାଙ୍କ ନିକଟରେ ମିଥ୍ୟା କହିଲେ। 
 37 କାରଣ ସେମାନଙ୍କ ଅନ୍ତଃକରଣ ତାହାଙ୍କ ପ୍ରତି ସ୍ଥିର ନ ଥିଲା, 
କିଅବା ସେମାନେ ତାହାଙ୍କ ନିୟମରେ ବିଶ୍ୱସ୍ତ ନ ଥିଲେ। 
 38 ମାତ୍ର ସେ ସ୍ନେହଶୀଳ ହେବାରୁ ସେମାନଙ୍କ ଅପରାଧ 
କ୍ଷମା କରି ସେମାନଙ୍କୁ ଧ୍ୱଂସ କଲେ ନାହିଁ; 
ପୁଣି, ସେ ଅନେକ ଥର ଆପଣା କ୍ରୋଧ ସମ୍ବରଣ କରି 
ଆପଣା କୋପ ଉତ୍ତେଜ କଲେ ନାହିଁ। 
 39 ଆଉ, ସେମାନେ ଯେ ମାଂସ ମାତ୍ର 
ଓ ବହିଯାଇ ଫେରି ନ ଆସିବା ବାୟୁ ସ୍ୱରୂପ, ଏହା ସେ ସ୍ମରଣ କଲେ। 
 40 ସେମାନେ ପ୍ରାନ୍ତର ମଧ୍ୟରେ କେତେ ଥର ତାହାଙ୍କର ବିଦ୍ରୋହୀ ହେଲେ 
ଓ ମରୁଭୂମିରେ ତାହାଙ୍କୁ ଅସନ୍ତୁଷ୍ଟ କଲେ। 
 41 ସେମାନେ ପୁନର୍ବାର ବିମୁଖ ହୋଇ ପରମେଶ୍ୱରଙ୍କୁ ପରୀକ୍ଷା କଲେ 
ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ବିରକ୍ତ କଲେ। 
 42 ସେମାନେ ତାହାଙ୍କର ହସ୍ତ 
ଓ ଯେଉଁ ଦିନ ସେ ବିପକ୍ଷଠାରୁ ସେମାନଙ୍କୁ ମୁକ୍ତ କଲେ, ସେହି ଦିନ 
 43 ଆଉ, ସେ କିରୂପେ ମିସରରେ ଆପଣା ଚିହ୍ନ 
ଓ ସୋୟନ-ପଦାରେ ଆପଣାର ଅଦ୍ଭୁତ ଲକ୍ଷଣ ସ୍ଥାପନ କଲେ; 
 44 ପୁଣି, ସେମାନଙ୍କର ନଦୀ ଓ ସ୍ରୋତସବୁ ରକ୍ତମୟ କରିବାରୁ 
ସେମାନେ ପାନ କରି ପାରିଲେ ନାହିଁ, ଏହାସବୁ ସ୍ମରଣ କଲେ ନାହିଁ। 
 45 ସେ ସେମାନଙ୍କ ମଧ୍ୟକୁ ଦଂଶକ ଝିଙ୍କ ପଠାଇଲେ, ସେସବୁ ସେମାନଙ୍କୁ ଗ୍ରାସ କଲେ 
ଓ ବେଙ୍ଗ ପଠାଇଲେ, ସେସବୁ ସେମାନଙ୍କୁ ବିନାଶ କଲେ। 
 46 ମଧ୍ୟ ସେ କୀଟକୁ ସେମାନଙ୍କ ଭୂମିର ଫଳ 
ଓ ପଙ୍ଗପାଳକୁ ସେମାନଙ୍କ ପରିଶ୍ରମର ଫଳ ଦେଲେ। 
 47 ସେ ଶିଳା ଦ୍ୱାରା ସେମାନଙ୍କ ଦ୍ରାକ୍ଷାଲତା 
ଓ ହିମ ଦ୍ୱାରା ସେମାନଙ୍କ ଡିମ୍ବିରିବୃକ୍ଷ ନଷ୍ଟ କଲେ। 
 48 ଆହୁରି, ସେ ସେମାନଙ୍କ ପଶୁଗଣକୁ ଶିଳାରେ 
ଓ ସେମାନଙ୍କ ପଲସବୁକୁ ପ୍ରଜ୍ୱଳିତ ବଜ୍ରାଘାତରେ ସମର୍ପଣ କଲେ। 
 49 ସେ ଆପଣା କ୍ରୋଧର ପ୍ରଚଣ୍ଡତା, କୋପ ଓ ରୋଷ 
ଓ ସଙ୍କଟରୂପ ଅନିଷ୍ଟର ଦୂତଦଳ ସେମାନଙ୍କ ବିରୁଦ୍ଧରେ ପଠାଇଲେ। 
 50 ସେ ନିଜ କ୍ରୋଧ ପାଇଁ ପଥ ପ୍ରସ୍ତୁତ କଲେ, 
ସେ ମୃତ୍ୟୁୁରୁ ସେମାନଙ୍କ ପ୍ରାଣ ରକ୍ଷା କଲେ ନାହିଁ, ମାତ୍ର 
ମହାମାରୀରେ ସେମାନଙ୍କ ଜୀବନ ସମର୍ପଣ କଲେ; 
 51 ସେ ମିସରରେ ପ୍ରଥମଜାତ ସମସ୍ତଙ୍କୁ, 
ହାମ୍ର ତମ୍ବୁରେ ସେମାନଙ୍କ ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ; 
 52 ମାତ୍ର ସେ ଆପଣା ଲୋକମାନଙ୍କୁ ମେଷଗଣ ତୁଲ୍ୟ ଚଳାଇଲେ 
ଓ ପ୍ରାନ୍ତରରେ ସେମାନଙ୍କୁ ପଲ ପରି କଢ଼ାଇ ନେଲେ। 
 53 ପୁଣି, ସେ ସେମାନଙ୍କୁ ନିରାପଦରେ ଚଳାଇଲେ, 
ତେଣୁ ସେମାନେ ଉଦ୍ବିଗ୍ନ ନୋହିଲେ, 
ମାତ୍ର ସମୁଦ୍ର ସେମାନଙ୍କ ଶତ୍ରୁଗଣକୁ ମଗ୍ନ କଲା। 
 54 ଆଉ, ସେ ସେମାନଙ୍କୁ ଆପଣା ପବିତ୍ର ସୀମାକୁ 
ଓ ଆପଣା ଦକ୍ଷିଣ ହସ୍ତ ଦ୍ୱାରା ଲବ୍ଧ ଏହି ପର୍ବତକୁ ଆଣିଲେ। 
 55 ଆହୁରି, ସେ ସେମାନଙ୍କ ଆଗରୁ ଗୋଷ୍ଠୀୟବର୍ଗଙ୍କୁ ତଡ଼ିଦେଲେ 
ଓ ଅଧିକାରାର୍ଥେ ପରିମାପକ ରଜ୍ଜୁ ଦ୍ୱାରା ସେମାନଙ୍କୁ ବିଭାଗ କରିଦେଲେ 
ଓ ଇସ୍ରାଏଲ ଗୋଷ୍ଠୀବର୍ଗକୁ ସେମାନଙ୍କ ତମ୍ବୁରେ ବାସ କରାଇଲେ। 
 56 ତଥାପି ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ପରୀକ୍ଷା କରି ତାହାଙ୍କର ବିଦ୍ରୋହୀ ହେଲେ 
ଓ ତାହାଙ୍କର ପ୍ରମାଣ-ବାକ୍ୟସବୁ ପାଳନ କଲେ ନାହିଁ; 
 57 ମାତ୍ର ବିମୁଖ ହୋଇ ଆପଣା ପୂର୍ବପୁରୁଷଗଣ ତୁଲ୍ୟ ବିଶ୍ୱାସଘାତକତା କଲେ; 
ସେମାନେ ପ୍ରବଞ୍ଚକ ଧନୁ ତୁଲ୍ୟ ଲକ୍ଷ୍ୟ ହୁଡ଼ିଲେ। 
 58 କାରଣ ସେମାନେ ଆପଣାମାନଙ୍କ ଉଚ୍ଚସ୍ଥଳୀ ଦ୍ୱାରା ତାହାଙ୍କୁ ବିରକ୍ତ କଲେ। 
ଓ ଆପଣାମାନଙ୍କ ଖୋଦିତ ପ୍ରତିମା ଦ୍ୱାରା ତାହାଙ୍କର ଅନ୍ତର୍ଜ୍ୱାଳା ଜନ୍ମାଇଲେ। 
 59 ପରମେଶ୍ୱର ଏହା ଶୁଣି କୋପାନ୍ୱିତ ହେଲେ 
ଓ ଇସ୍ରାଏଲକୁ ଅତିଶୟ ଘୃଣା କଲେ; 
 60 ଏପରିକି, ସେ ଶୀଲୋସ୍ଥିତ ଆବାସ 
ଓ ମନୁଷ୍ୟମାନଙ୍କ ମଧ୍ୟରେ ଆପଣାର ସ୍ଥାପିତ ତମ୍ବୁ ପରିତ୍ୟାଗ କଲେ। 
 61 ପୁଣି, ସେ ବନ୍ଦୀତ୍ୱରେ ଆପଣା ପରାକ୍ରମ 
ଓ ବିପକ୍ଷ ହସ୍ତରେ ଆପଣା ଗୌରବ ସମର୍ପଣ କଲେ। 
 62 ସେ ଆପଣା ଲୋକମାନଙ୍କୁ ମଧ୍ୟ ଖଡ୍ଗରେ ସମର୍ପି ଦେଲେ 
ଓ ଆପଣା ଅଧିକାର ପ୍ରତି କ୍ରୋଧ ହେଲେ। 
 63 ଅଗ୍ନି ସେମାନଙ୍କ ଯୁବାଗଣକୁ ଗ୍ରାସ କଲା 
ଓ ସେମାନଙ୍କ କନ୍ୟାଗଣର ବିବାହ-ଗୀତ* ବିବାହ-ଗୀତ ଅର୍ଥାତ୍ ବିବାହ ହେଲା ନାହିଁ। 
 64 ସେମାନଙ୍କ ଯାଜକଗଣ ଖଡ୍ଗରେ ପତିତ ହେଲେ 
ଓ ସେମାନଙ୍କ ବିଧବାଗଣ କିଛି ବିଳାପ କଲେ ନାହିଁ। 
 65 ସେତେବେଳେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକ ପରି, 
ମଦିରା ହେତୁ ହର୍ଷନାଦକାରୀ ବୀର ପରି ଉଠିଲେ। 
 66 ଆଉ, ସେ ଆପଣା ବିପକ୍ଷଗଣକୁ ପ୍ରହାର କରି ହଟାଇ ଦେଲେ; 
ସେ ସେମାନଙ୍କୁ ଚିରକାଳ ନିନ୍ଦାପାତ୍ର କଲେ। 
 67 ଆହୁରି, ସେ ଯୋଷେଫର ବଂଶକୁ† ବଂଶକୁ ତମ୍ବୁକୁ ଅଗ୍ରାହ୍ୟ କଲେ 
ଓ ଇଫ୍ରୟିମ ଗୋଷ୍ଠୀକୁ ମନୋନୀତ କଲେ ନାହିଁ। 
 68 ମାତ୍ର ଯିହୁଦା ଗୋଷ୍ଠୀକୁ, 
ଆପଣାର ପ୍ରିୟ ସିୟୋନ ପର୍ବତକୁ ମନୋନୀତ କଲେ। 
 69 ଆଉ, ସେ ଉଚ୍ଚ ଗଗନ ତୁଲ୍ୟ 
ଓ ଅନନ୍ତକାଳ ନିମନ୍ତେ ଆପଣା ସ୍ଥାପିତ ପୃଥିବୀ ତୁଲ୍ୟ ଆପଣା ଧର୍ମଧାମ ନିର୍ମାଣ କଲେ। 
 70 ଆହୁରି, ସେ ଆପଣା ଦାସ ଦାଉଦଙ୍କୁ ମନୋନୀତ କଲେ 
ଓ ମେଷଖୁଆଡ଼ରୁ ତାଙ୍କୁ ଗ୍ରହଣ କଲେ। 
 71 ସେ ଆପଣା ଲୋକ ଯାକୁବକୁ 
ଓ ଆପଣା ଅଧିକାର ଇସ୍ରାଏଲକୁ ପ୍ରତିପାଳନ କରିବା ନିମନ୍ତେ ସ୍ତନ୍ୟଦାୟିନୀ ମେଷୀଗଣ ପଛରୁ ତାଙ୍କୁ ଆଣିଲେ। 
 72 ତହିଁରେ ସେ ଆପଣା ଅନ୍ତଃକରଣର ସରଳତାନୁସାରେ ସେମାନଙ୍କୁ ପ୍ରତିପାଳନ କଲେ 
ଓ ଆପଣା ହସ୍ତର ନିପୁଣତାରେ ସେମାନଙ୍କୁ ଚଳାଇଲେ।