84
ସଦାପ୍ରଭୁଙ୍କ ଗୃହ ପ୍ରତି ଆଗ୍ରହ 
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। 
 1 ହେ ସୈନ୍ୟାଧିପତି ସଦାପ୍ରଭୋ, 
ତୁମ୍ଭର ଆବାସ କିପରି ପ୍ରିୟତମ! 
 2 ସଦାପ୍ରଭୁଙ୍କ ପ୍ରାଙ୍ଗଣ ନିମନ୍ତେ ମୋହର ପ୍ରାଣ ଲାଳସା କରେ, ମଧ୍ୟ ମୂର୍ଚ୍ଛିତ ହୁଏ; 
ମୋହର ହୃଦୟ ଓ ଶରୀର ଜୀବିତ ପରମେଶ୍ୱରଙ୍କ ନିମନ୍ତେ ଡକା ଛାଡ଼ଇ। 
 3 ହଁ, ଘରଚଟିଆ ଆପଣା ପାଇଁ ଏକ ଗୃହ 
ଓ ଖଞ୍ଜନପକ୍ଷୀ ଛୁଆ ରଖିବା ନିମନ୍ତେ ଆପଣା ପାଇଁ ଏକ ବସା ପାଇଅଛି, 
ହେ ସୈନ୍ୟାଧିପତି ସଦାପ୍ରଭୋ, ମୋହର ରାଜନ୍ 
ଓ ମୋହର ପରମେଶ୍ୱର, ତୁମ୍ଭର ଯଜ୍ଞବେଦି ସେହି ସ୍ଥାନ, 
 4 ଯେଉଁମାନେ ତୁମ୍ଭ ଗୃହରେ ବାସ କରନ୍ତି, ସେମାନେ ଧନ୍ୟ; 
ସେମାନେ ନିରନ୍ତର ତୁମ୍ଭର ପ୍ରଶଂସା କରୁଥିବେ। 
[ସେଲା]
  5 ଯାହାର ବଳ ତୁମ୍ଭଠାରେ ଥାଏ, ଯାହାର ହୃଦୟରେ 
ସିୟୋନଗାମୀ ରାଜପଥ ଥାଏ, ସେ ଲୋକ ଧନ୍ୟ। 
 6 ସେମାନେ କ୍ରନ୍ଦନ ଉପତ୍ୟକାରେ ଗମନ କରୁ କରୁ ତାହାକୁ ଝରଣା ସ୍ଥାନ କରନ୍ତି; 
ଆଦ୍ୟ ବୃଷ୍ଟି ନାନା ମଙ୍ଗଳରେ ତାହା ଭୂଷିତ କରେ। 
 7 ସେମାନେ ଉତ୍ତରୋତ୍ତର ବଳବାନ ହୋଇ ଅଗ୍ରସର ହୁଅନ୍ତି, 
ସେମାନଙ୍କର ପ୍ରତ୍ୟେକ ଲୋକ ସିୟୋନରେ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହୁଅନ୍ତି। 
 8 ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ; 
ହେ ଯାକୁବର ପରମେଶ୍ୱର, କର୍ଣ୍ଣପାତ କର। 
[ସେଲା]
  9 ହେ ଆମ୍ଭମାନଙ୍କ ଢାଲ ସ୍ୱରୂପ ପରମେଶ୍ୱର, ଦୃଷ୍ଟିପାତ କର 
ଓ ଆପଣା ଅଭିଷିକ୍ତଙ୍କ ମୁଖକୁ ଅନାଅ। 
 10 କାରଣ ସହସ୍ର ଦିନ ଅପେକ୍ଷା ତୁମ୍ଭ ପ୍ରାଙ୍ଗଣରେ ଏକ ଦିନ ଭଲ; 
ଦୁଷ୍ଟତାର ତମ୍ବୁରେ ବାସ କରିବା ଅପେକ୍ଷା ଆମ୍ଭ 
ପରମେଶ୍ୱରଙ୍କ ଗୃହରେ ଦ୍ୱାରୀ ହେବାର ବରଞ୍ଚ ଆମ୍ଭେ ଭଲ ଜାଣୁ। 
 11 କାରଣ ସଦାପ୍ରଭୁ ପରମେଶ୍ୱର ସୂର୍ଯ୍ୟ ଓ ଢାଲ ଅଟନ୍ତି; 
ସଦାପ୍ରଭୁ ଅନୁଗ୍ରହ ଓ ଗୌରବ ଦେବେ; 
ସେ ସରଳାଚାରୀମାନଙ୍କଠାରୁ କୌଣସି ମଙ୍ଗଳ ବିଷୟ ଅଟକାଇବେ ନାହିଁ। 
 12 ହେ ସୈନ୍ୟାଧିପତି ପରମେଶ୍ୱର, 
ଯେଉଁ ଲୋକ ତୁମ୍ଭଠାରେ ଶରଣ ନିଏ, ସେ ଧନ୍ୟ।