85
ଜାତିର ମଙ୍ଗଳାର୍ଥେ ପ୍ରାର୍ଥନା 
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। 
 1 ହେ ସଦାପ୍ରଭୋ, ତୁମ୍ଭେ ନିଜ ଦେଶ ପ୍ରତି ପ୍ରସନ୍ନ ହୋଇଅଛ; 
ତୁମ୍ଭେ ଯାକୁବର ବନ୍ଦୀଦଶା ଫେରାଇଅଛ। 
 2 ତୁମ୍ଭେ ଆପଣା ଲୋକମାନଙ୍କ ଅପରାଧ କ୍ଷମା କରିଅଛ, 
ତୁମ୍ଭେ ସେମାନଙ୍କ ପାପସବୁ ଆଚ୍ଛାଦନ କରିଅଛ। 
[ସେଲା]
  3 ତୁମ୍ଭେ ଆପଣା ସମସ୍ତ କୋପରୁ ନିବୃତ୍ତ ହୋଇଅଛ; 
ତୁମ୍ଭେ ଆପଣା କ୍ରୋଧର ପ୍ରଚଣ୍ଡତାରୁ ବିମୁଖ ହୋଇଅଛ। 
 4 ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ 
ଓ ଆମ୍ଭମାନଙ୍କ ପ୍ରତି ତୁମ୍ଭ ବିରକ୍ତି ନିବୃତ୍ତ କର। 
 5 ତୁମ୍ଭେ କି ସଦାକାଳ ଆମ୍ଭମାନଙ୍କ ଉପରେ କ୍ରୁଦ୍ଧ ହେବ? 
ତୁମ୍ଭେ କି ପୁରୁଷ-ପରମ୍ପରା ପ୍ରତି ଆପଣା କ୍ରୋଧ ରଖିଥିବ? 
 6 ତୁମ୍ଭର ଲୋକମାନେ ଯେପରି ତୁମ୍ଭଠାରେ ଆନନ୍ଦ କରିବେ, 
ଏଥିପାଇଁ ତୁମ୍ଭେ କି ପୁନର୍ବାର ଆମ୍ଭମାନଙ୍କୁ ସଜୀବ କରିବ ନାହିଁ? 
 7 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରତି ଆପଣା ଦୟା ପ୍ରକାଶ କର 
ଓ ଆମ୍ଭମାନଙ୍କୁ ତୁମ୍ଭ ପରିତ୍ରାଣ ପ୍ରଦାନ କର। 
 8 ସଦାପ୍ରଭୁ ପରମେଶ୍ୱର ଯାହା କହିବେ, ତାହା ଆମ୍ଭେ ଶୁଣିବୁ; 
କାରଣ ସେ ଆପଣା ଲୋକମାନଙ୍କୁ ଓ ଆପଣା ସଦ୍ଭକ୍ତମାନଙ୍କୁ ଶାନ୍ତିର କଥା କହିବେ; 
ମାତ୍ର ସେମାନେ ପୁନର୍ବାର ମୂର୍ଖତା ପ୍ରତି ନ ଫେରନ୍ତୁ। 
 9 ଯେପରି ଆମ୍ଭମାନଙ୍କ ଦେଶରେ ଗୌରବ ବାସ କରିବ, 
ଏଥିପାଇଁ ନିଶ୍ଚୟ ତାହାଙ୍କ ଭୟକାରୀମାନଙ୍କ ନିକଟରେ ତାହାଙ୍କ ପରିତ୍ରାଣ ଅଛି। 
 10 ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି; 
ଧର୍ମ ଓ ଶାନ୍ତି ପରସ୍ପର ଚୁମ୍ବନ କରିଅଛନ୍ତି। 
 11 ପୃଥିବୀରୁ ସତ୍ୟତା ଅଙ୍କୁରିତ ହେଉଅଛି; 
ପୁଣି, ଧାର୍ମିକତା ସ୍ୱର୍ଗରୁ ଦୃଷ୍ଟିପାତ କରିଅଛି। 
 12 ସଦାପ୍ରଭୁ ମଙ୍ଗଳ ପ୍ରଦାନ କରିବେ; 
ତହିଁରେ ଆମ୍ଭମାନଙ୍କ ଦେଶ ଫଳ ଉତ୍ପନ୍ନ କରିବ। 
 13 ଧର୍ମ ତାହାଙ୍କର ଆଗେ ଆଗେ ଯିବ 
ଓ ତାହାଙ୍କ ପଦଚିହ୍ନକୁ ଗମନର ପଥ କରିବ।