98
ସଦାପ୍ରଭୁ ହିଁ ଜଗତର ଶାସନକର୍ତ୍ତା 
ଗୀତ। 
 1 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; 
କାରଣ ସେ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି; 
ତାହାଙ୍କ ଦକ୍ଷିଣ ହସ୍ତ ଓ ତାହାଙ୍କ ପବିତ୍ର ବାହୁ ତାହାଙ୍କ ପକ୍ଷରେ ପରିତ୍ରାଣ ସାଧନ କରିଅଛି। 
 2 ସଦାପ୍ରଭୁ ଆପଣା ପରିତ୍ରାଣ ଜଣାଇ ଅଛନ୍ତି; 
ସେ ଅନ୍ୟ ଦେଶୀୟମାନଙ୍କ ଦୃଷ୍ଟିଗୋଚରରେ ଆପଣା ଧର୍ମ ପ୍ରକାଶ କରିଅଛନ୍ତି। 
 3 ସେ ଇସ୍ରାଏଲ ବଂଶ ପକ୍ଷରେ ଆପଣା ଦୟା ଓ ବିଶ୍ୱସ୍ତତା ସ୍ମରଣ କରିଅଛନ୍ତି; 
ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିତ୍ରାଣ ଦେଖିଅଛନ୍ତି। 
 4 ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର; 
ଉଚ୍ଚଧ୍ୱନି କର, ଆନନ୍ଦଗାନ କର ଓ ପ୍ରଶଂସା ଗାନ କର। 
 5 ବୀଣା ଯନ୍ତ୍ରରେ, ବୀଣା ଓ ଏକତାନ ସ୍ୱରରେ 
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର। 
 6 ତୂରୀ ଓ ଭେରୀ ନାଦରେ 
ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦଧ୍ୱନି କର। 
 7 ସମୁଦ୍ର ଓ ତହିଁର ପୂର୍ଣ୍ଣତା, 
ଜଗତ ଓ ତନ୍ନିବାସୀ ସମସ୍ତେ ଗର୍ଜ୍ଜନ କରନ୍ତୁ; 
 8 ନଦ-ନଦୀଗଣ କରତାଳି ଦେଉନ୍ତୁ; 
ପର୍ବତଗଣ ଏକ ସଙ୍ଗେ ଆନନ୍ଦଗାନ କରନ୍ତୁ; 
 9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରନ୍ତୁ, 
କାରଣ ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି; 
ସେ ଧର୍ମରେ ଜଗତର 
ଓ ନ୍ୟାୟରେ ଗୋଷ୍ଠୀବର୍ଗର ବିଚାର କରିବେ।