99
ସଦାପ୍ରଭୁ ହିଁ ରାଜାଧିରାଜ 
 1 ସଦାପ୍ରଭୁ ରାଜ୍ୟ କରନ୍ତି; ଗୋଷ୍ଠୀବର୍ଗ କମ୍ପିତ ହେଉନ୍ତୁ; 
ସେ କିରୂବଗଣ ଉପରେ ଉପବିଷ୍ଟ; ପୃଥିବୀ ବିଚଳିତ ହେଉ। 
 2 ସଦାପ୍ରଭୁ ସିୟୋନରେ ମହାନ 
ଓ ସେ ସର୍ବଦେଶୀୟମାନଙ୍କ ଉପରେ ଉନ୍ନତ। 
 3 ସେମାନେ ତୁମ୍ଭ ମହତ ଓ ଭୟଙ୍କର ନାମର ପ୍ରଶଂସା କରନ୍ତୁ; 
ସେ ପବିତ୍ର ଅଟନ୍ତି। 
 4 ରାଜାଙ୍କ ଶକ୍ତି ମଧ୍ୟ ବିଚାର ଭଲ ପାଏ; 
ତୁମ୍ଭେ ନ୍ୟାୟ ସ୍ଥିର କରୁଥାଅ, 
ତୁମ୍ଭେ ଯାକୁବ ମଧ୍ୟରେ ବିଚାର ଓ ନ୍ୟାୟ ସାଧନ କରୁଥାଅ। 
 5 ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର 
ଓ ତାହାଙ୍କ ପାଦପୀଠରେ ପ୍ରଣାମ କର; 
ସେ ପବିତ୍ର ଅଟନ୍ତି। 
 6 ତାହାଙ୍କ ଯାଜକଗଣ ମଧ୍ୟରେ ମୋଶା, ହାରୋଣ 
ଓ ତାହାଙ୍କ ନାମରେ ପ୍ରାର୍ଥନାକାରୀମାନଙ୍କ ମଧ୍ୟରେ ଶାମୁୟେଲ; 
ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ସେ ସେମାନଙ୍କୁ ଉତ୍ତର ଦେଲେ। 
 7 ସେ ମେଘ ସ୍ତମ୍ଭରେ ସେମାନଙ୍କ ନିକଟରେ କଥା କହିଲେ; 
ସେମାନେ ତାହାଙ୍କର ସାକ୍ଷ୍ୟ ଓ ସେମାନଙ୍କୁ ଦତ୍ତ ବିଧିସବୁ ପାଳନ କଲେ। 
 8 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଉତ୍ତର ଦେଲ। 
ତୁମ୍ଭେ ସେମାନଙ୍କ କର୍ମର ପରିଶୋଧ ନେଲେ ହେଁ 
ସେମାନଙ୍କର କ୍ଷମାକାରୀ ପରମେଶ୍ୱର ହୋଇଥିଲ। 
 9 ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର 
ଓ ତାହାଙ୍କ ପବିତ୍ର ପର୍ବତରେ ପ୍ରଣାମ କର; 
କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ପବିତ୍ର ଅଟନ୍ତି।