115
ଏକମାତ୍ର ସତ୍ୟ ପରମେଶ୍ୱର 
 1 ହେ ସଦାପ୍ରଭୋ, ଆମ୍ଭମାନଙ୍କୁ ନୁହେଁ, ଆମ୍ଭମାନଙ୍କୁ ନୁହେଁ, 
ମାତ୍ର ତୁମ୍ଭ ଦୟା ଓ ତୁମ୍ଭ ସତ୍ୟତା ସକାଶେ 
ଆପଣା ନାମକୁ ଗୌରବାନ୍ୱିତ କର। 
 2 “ଏବେ ସେମାନଙ୍କର ପରମେଶ୍ୱର କାହାନ୍ତି,” ଏହା 
ଅନ୍ୟ ଦେଶୀୟମାନେ କାହିଁକି କହିବେ? 
 3 ମାତ୍ର ଆମ୍ଭମାନଙ୍କ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି; 
ଯାହା ତାହାଙ୍କର ଇଚ୍ଛା, ତାହା ସେ କରିଅଛନ୍ତି। 
 4 ସେମାନଙ୍କର ପ୍ରତିମାସବୁ ରୂପା ଓ ସୁନା, 
ମନୁଷ୍ୟର ହସ୍ତକୃତ କର୍ମ ଅଟେ। 
 5 ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ; 
ଚକ୍ଷୁ ସେମାନଙ୍କର ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ। 
 6 ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ; 
ନାସିକା ସେମାନଙ୍କର ଅଛି, ମାତ୍ର ସେମାନେ ଆଘ୍ରାଣ କରନ୍ତି ନାହିଁ; 
 7 ସେମାନଙ୍କର ହସ୍ତ ଅଛି, ମାତ୍ର ସେମାନେ ସ୍ପର୍ଶ କରନ୍ତି ନାହିଁ; 
ଚରଣ ସେମାନଙ୍କର ଅଛି, ମାତ୍ର ସେମାନେ ଗମନ କରନ୍ତି ନାହିଁ; 
କିଅବା କଣ୍ଠରେ ସେମାନେ କଥା କହନ୍ତି ନାହିଁ। 
 8 ସେମାନଙ୍କର ନିର୍ମାଣକାରୀମାନେ 
ଓ ସେମାନଙ୍କଠାରେ ନିର୍ଭରକାରୀମାନେ ସେମାନଙ୍କ ତୁଲ୍ୟ ହେବେ। 
 9 ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁଙ୍କଠାରେ ନିର୍ଭର କର; 
ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ। 
 10 ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର; 
ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ। 
 11 ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର; 
ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ। 
 12 ସଦାପ୍ରଭୁ ଆମ୍ଭମାନଙ୍କ ବିଷୟରେ ମନୋଯୋଗୀ ହୋଇଅଛନ୍ତି; ସେ ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ; 
ସେ ଇସ୍ରାଏଲ ବଂଶକୁ ଆଶୀର୍ବାଦ କରିବେ; 
ସେ ହାରୋଣ-ବଂଶକୁ ଆଶୀର୍ବାଦ କରିବେ। 
 13 ସେ ସଦାପ୍ରଭୁଙ୍କ ଭୟକାରୀ 
ସାନ ଓ ବଡ଼ ସମସ୍ତଙ୍କୁ ଆଶୀର୍ବାଦ କରିବେ। 
 14 ସଦାପ୍ରଭୁ ତୁମ୍ଭମାନଙ୍କୁ, 
ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ସନ୍ତାନଗଣକୁ ଆହୁରି ଆହୁରି ବୃଦ୍ଧି କରନ୍ତୁ। 
 15 ତୁମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା 
ସଦାପ୍ରଭୁଙ୍କର ଆଶୀର୍ବାଦ-ପାତ୍ର ଅଟ। 
 16 ସ୍ୱର୍ଗ ସଦାପ୍ରଭୁଙ୍କର ସ୍ୱର୍ଗ; 
ମାତ୍ର ସେ ମନୁଷ୍ୟ-ସନ୍ତାନଗଣକୁ ପୃଥିବୀ ଦେଇଅଛନ୍ତି। 
 17 ମୃତମାନେ, କିଅବା ଯେଉଁମାନେ ନୀରବ ସ୍ଥାନରେ ଅବରୋହଣ କରନ୍ତି, 
ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ; 
 18 ମାତ୍ର ଆମ୍ଭେମାନେ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ 
ସଦାପ୍ରଭୁଙ୍କର ଧନ୍ୟବାଦ କରିବା। 
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।