122
ଯିରୂଶାଲମର ପ୍ରଶଂସା 
ଆରୋହଣ ଗୀତ; ଦାଉଦଙ୍କ ରଚିତ। 
 1 “ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ,” 
ଏହି କଥା ଲୋକମାନେ ମୋତେ କହିବା ବେଳେ ମୁଁ ଆନନ୍ଦିତ ହେଲି। 
 2 ହେ ଯିରୂଶାଲମ, ତୁମ୍ଭ ଦ୍ୱାର ଭିତରେ 
ଆମ୍ଭମାନଙ୍କ ଚରଣ ଠିଆ ହେଉଅଛି; 
 3 ହେ ଯିରୂଶାଲମ, 
ତୁମ୍ଭେ ସୁସଂଯୁକ୍ତ ଏକ ନଗର ତୁଲ୍ୟ ନିର୍ମିତ ହୋଇଅଛ; 
 4 ଗୋଷ୍ଠୀବର୍ଗ, ଅର୍ଥାତ୍, ସଦାପ୍ରଭୁଙ୍କ ଗୋଷ୍ଠୀବର୍ଗ 
ଇସ୍ରାଏଲ ପ୍ରତି ସାକ୍ଷ୍ୟ ସ୍ୱରୂପେ ସଦାପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେବା 
ନିମନ୍ତେ ସେଠାରେ ଆରୋହଣ କରନ୍ତି। 
 5 କାରଣ ସେଠାରେ ବିଚାରାର୍ଥକ ସିଂହାସନ, 
ଦାଉଦ-ବଂଶର ସିଂହାସନସବୁ ସ୍ଥାପିତ ଅଛି। 
 6 ଯିରୂଶାଲମର ଶାନ୍ତି ପାଇଁ ପ୍ରାର୍ଥନା କର; 
ଯେଉଁମାନେ ତୁମ୍ଭକୁ ସ୍ନେହ କରନ୍ତି, ସେମାନେ ଅଶେଷ ଉନ୍ନତି କରିବେ। 
 7 ତୁମ୍ଭ ପ୍ରାଚୀର ମଧ୍ୟରେ ଶାନ୍ତି ବର୍ତ୍ତୁ 
ଓ ତୁମ୍ଭ ଅଟ୍ଟାଳିକାସମୂହର ସୌଭାଗ୍ୟ ହେଉ। 
 8 ମୋହର ଭ୍ରାତୃଗଣ ଓ ମିତ୍ରଗଣ ସକାଶେ ମୁଁ ଏବେ 
କହିବି, ତୁମ୍ଭ ମଧ୍ୟରେ ଶାନ୍ତି ବର୍ତ୍ତୁ। 
 9 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ସକାଶେ 
ମୁଁ ତୁମ୍ଭର ମଙ୍ଗଳ ନିମନ୍ତେ ପ୍ରାର୍ଥନା କରିବି।