4
ଇସ୍ରାଏଲ ବିରୁଦ୍ଧରେ ପରମେଶ୍ୱରଙ୍କ ଅଭିଯୋଗ 
 1 ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ; 
କାରଣ ଦେଶରେ ସତ୍ୟ ଅବା ଦୟା କିଅବା ପରମେଶ୍ୱର ବିଷୟକ ଜ୍ଞାନ ନ ଥିବାରୁ 
ଦେଶନିବାସୀଗଣ ସହିତ ସଦାପ୍ରଭୁଙ୍କର ବିବାଦ ଅଛି। 
 2 ଅଭିଶାପ ଦେବା, ବିଶ୍ୱାସଲଙ୍ଘନ, ବଧ, ଚୋରି ଓ ବ୍ୟଭିଚାର ବିନା ସେଠାରେ ଆଉ କିଛି ନାହିଁ; 
ଲୋକମାନେ ବିଦ୍ରୋହୀ ହୋଇ ଉଠନ୍ତି ଓ ରକ୍ତପାତ ଉପରେ ରକ୍ତପାତ କରାଯାଏ। 
 3 ଏଥିପାଇଁ ଦେଶ ବିଳାପ କରିବ ଓ ତହିଁର ନିବାସୀ ପ୍ରତ୍ୟେକ ଲୋକ, 
କ୍ଷେତ୍ରସ୍ଥ ବନ୍ୟ ପଶୁ ଓ ଆକାଶସ୍ଥ ପକ୍ଷୀଗଣ ସହିତ ଦୁର୍ବଳ ହେବେ; 
ହଁ, ସମୁଦ୍ରର ମତ୍ସ୍ୟଗଣ ମଧ୍ୟ ଦୂରୀକୃତ ହେବେ। 
 4 ତଥାପି କୌଣସି ମନୁଷ୍ୟ ବିବାଦ ନ କରୁ, କିଅବା କୌଣସି ମନୁଷ୍ୟ ଅନୁଯୋଗ ନ କରୁ; 
କାରଣ ତୁମ୍ଭର ଲୋକମାନେ ଯାଜକ ସହିତ ବିବାଦକାରୀ ଲୋକମାନଙ୍କର ତୁଲ୍ୟ ଅଟନ୍ତି। 
 5 ପୁଣି, ତୁମ୍ଭେ ଦିନ ବେଳେ ଝୁଣ୍ଟି ପଡ଼ିବ 
ଓ ଭବିଷ୍ୟଦ୍ବକ୍ତା ମଧ୍ୟ ରାତ୍ରିକାଳରେ ତୁମ୍ଭ ସଙ୍ଗେ ଝୁଣ୍ଟି ପଡ଼ିବ; 
ଆଉ, ଆମ୍ଭେ ତୁମ୍ଭର ମାତାକୁ ବିନାଶ କରିବା। 
 6 ଆମ୍ଭର ଲୋକମାନେ ଜ୍ଞାନର ଅଭାବ ସକାଶୁ ବିନଷ୍ଟ ହୋଇଅଛନ୍ତି; 
କାରଣ ତୁମ୍ଭେ ଜ୍ଞାନ ଅଗ୍ରାହ୍ୟ କରିଅଛ, ଆମ୍ଭେ ମଧ୍ୟ ତୁମ୍ଭକୁ ଅଗ୍ରାହ୍ୟ କରିବା, 
ତହିଁରେ ତୁମ୍ଭେ ଆମ୍ଭର ଯାଜକ ହେବ ନାହିଁ; 
ତୁମ୍ଭେ ଆପଣା ପରମେଶ୍ୱରଙ୍କ ବ୍ୟବସ୍ଥା ପାସୋରିବାରୁ 
ଆମ୍ଭେ ମଧ୍ୟ ତୁମ୍ଭ ସନ୍ତାନଗଣକୁ ପାସୋରି ଯିବା। 
 7 ସେମାନେ ଯେତେ ଅଧିକ ବୃଦ୍ଧି ପାଇଲେ 
ସେତେ ଅଧିକ ଆମ୍ଭ ବିରୁଦ୍ଧରେ ପାପ କଲେ; 
ଆମ୍ଭେ ସେମାନଙ୍କର ଗୌରବ ଅପମାନରେ ପରିଣତ କରିବା। 
 8 ସେମାନେ ଆମ୍ଭ ଲୋକମାନଙ୍କ ପାପରେ ପ୍ରତିପୋଷିତ ହୁଅନ୍ତି, 
ଆଉ ସେମାନଙ୍କ ଅଧର୍ମରେ ଆପଣା ଆପଣା ଅନ୍ତଃକରଣକୁ ଆସକ୍ତ କରନ୍ତି। 
 9 ଏଣୁ ଯେପରି ଲୋକମାନଙ୍କ ଉପରେ ସେହିପରି ଯାଜକମାନଙ୍କ ଉପରେ ବର୍ତ୍ତିବ; 
ପୁଣି, ଆମ୍ଭେ ସେମାନଙ୍କ ଆଚରଣ ଅନୁଯାୟୀ ସେମାନଙ୍କୁ ଦଣ୍ଡ ଦେବା 
ଓ ସେମାନଙ୍କ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବା। 
 10 ତହିଁରେ ସେମାନେ ଭୋଜନ କଲେ ମଧ୍ୟ ତୃପ୍ତ ହେବେ ନାହିଁ; 
ବ୍ୟଭିଚାର କଲେ ମଧ୍ୟ ବହୁବଂଶ ହେବେ ନାହିଁ; 
କାରଣ ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି। 
 11 ବ୍ୟଭିଚାର, ମଦ୍ୟ ଓ ନୂତନ ଦ୍ରାକ୍ଷାରସ ବୁଦ୍ଧି ହରଣ କରେ। 
 12 ଆମ୍ଭର ଲୋକମାନେ ଆପଣା କାଷ୍ଠଖଣ୍ଡର ନିକଟରେ ମନ୍ତ୍ରଣା ଚାହାନ୍ତି 
ଓ ସେମାନଙ୍କର ଯଷ୍ଟି ସେମାନଙ୍କ ପ୍ରତି (କଥା) ପ୍ରକାଶ କରେ; 
କାରଣ ବ୍ୟଭିଚାରର ଆତ୍ମା ସେମାନଙ୍କୁ ଭ୍ରାନ୍ତ କରିଅଛି, 
ପୁଣି ସେମାନେ ପରମେଶ୍ୱରଙ୍କ ଅଧୀନତାରୁ ଯାଇ ବ୍ୟଭିଚାର କରିଅଛନ୍ତି। 
 13 ସେମାନେ ପର୍ବତମାନର ଶୃଙ୍ଗରେ ବଳିଦାନ କରନ୍ତି 
ଓ ଉପପର୍ବତଗଣର ଉପରେ ଅଲୋନ, ଲିବ୍ନି 
ଓ ଏଲା ବୃକ୍ଷ ତଳେ ଧୂପ ଜଳାନ୍ତି, କାରଣ ତହିଁର ଛାୟା ଉତ୍ତମ; 
ଏଥିପାଇଁ ତୁମ୍ଭର କନ୍ୟାଗଣ ବେଶ୍ୟାଚାର କରନ୍ତି ଓ ତୁମ୍ଭର ବଧୂଗଣ ବ୍ୟଭିଚାର କରନ୍ତି। 
 14 ତୁମ୍ଭର କନ୍ୟାଗଣ ବେଶ୍ୟାଚାର କଲା ବେଳେ 
ଓ ତୁମ୍ଭର ବଧୂଗଣ ବ୍ୟଭିଚାର କଲା ବେଳେ 
ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା ନାହିଁ; 
କାରଣ ସେମାନେ ଆପେ ବେଶ୍ୟାମାନଙ୍କ ସଙ୍ଗେ ଦେବଗଣର ମନ୍ଦିରକୁ ଯାଆନ୍ତି 
ଓ ମାହାରୀମାନଙ୍କ ସଙ୍ଗେ ବଳିଦାନ କରନ୍ତି; 
ଯେଉଁ ଲୋକମାନେ ବୁଝନ୍ତି ନାହିଁ, ସେମାନେ ଉତ୍ପାଟିତ ହେବେ। 
 15 ହେ ଇସ୍ରାଏଲ, ତୁମ୍ଭେ ଯଦ୍ୟପି ବେଶ୍ୟାବୃତ୍ତି କର, 
ତଥାପି ଯିହୁଦା ସେପରି ଦୋଷଗ୍ରସ୍ତ ନ ହେଉ; 
ଆଉ, ତୁମ୍ଭେମାନେ ଗିଲ୍ଗଲ୍ରେ ଉପସ୍ଥିତ ହୁଅ ନାହିଁ, 
କିଅବା ବେଥ୍-ଆବନକୁ ଯାଅ ନାହିଁ; 
ଅଥବା ସେଠାରେ ଜୀବିତ ସଦାପ୍ରଭୁ ବୋଲି ଶପଥ କର ନାହିଁ। 
 16 କାରଣ ସ୍ଵେଚ୍ଛାଚାରିଣୀ ଗାଭୀ ତୁଲ୍ୟ ଇସ୍ରାଏଲ ଆପେ ସ୍ଵେଚ୍ଛାଚାରୀ ହୋଇଅଛି; 
ଏବେ ସଦାପ୍ରଭୁ ସେମାନଙ୍କୁ ମେଷଶାବକ ପରି ପ୍ରଶସ୍ତ ସ୍ଥାନରେ ଚରାଇବେ। 
 17 ଇଫ୍ରୟିମ ପ୍ରତିମାଗଣ ପ୍ରତି ଆସକ୍ତ ହୋଇଅଛି; ତାକୁ ଛାଡ଼ିଦିଅ। 
 18 ସେମାନଙ୍କର ପେୟଦ୍ରବ୍ୟ ଅମ୍ଳ ହୋଇଅଛି; 
ସେମାନେ ଅବିରତ ବେଶ୍ୟାଗମନ କରନ୍ତି; 
ତାହାର ଶାସନକର୍ତ୍ତାମାନେ ଅପମାନକୁ ଅତିଶୟ ଭଲ ପାଆନ୍ତି। 
 19 ବାୟୁ ତାହାକୁ ଆପଣା ପକ୍ଷରେ ଆଚ୍ଛାଦନ କରିଅଛି 
ଓ ସେମାନେ ଆପଣାମାନଙ୍କର ବଳିଦାନ ସକାଶୁ ଲଜ୍ଜିତ ହେବେ।