5
ଇସ୍ରାଏଲ ଓ ଯିହୁଦାର ଶାସ୍ତି 
 1 ହେ ଯାଜକଗଣ, ଏହା ଶୁଣ, ହେ ଇସ୍ରାଏଲ ବଂଶ, ମନୋଯୋଗ କର, 
ହେ ରାଜବଂଶ, କର୍ଣ୍ଣପାତ କର, କାରଣ ବିଚାର ତୁମ୍ଭମାନଙ୍କ ସମ୍ବନ୍ଧୀୟ; 
ତୁମ୍ଭେମାନେ ମିସ୍ପାରେ ଫାନ୍ଦ ସ୍ୱରୂପ ଓ ତାବୋରରେ ପ୍ରସାରିତ ଜାଲ ସ୍ୱରୂପ ହୋଇଅଛ। 
 2 ପୁଣି, ଅତ୍ୟାଚାରୀମାନେ ହତ୍ୟା କରିବାରେ ଗଭୀରକୁ ଯାଇଅଛନ୍ତି; 
ମାତ୍ର ଆମ୍ଭେ ସେହି ସମସ୍ତଙ୍କର ଅନୁଯୋଗକାରୀ ଅଟୁ। 
 3 ଆମ୍ଭେ ଇଫ୍ରୟିମକୁ ଜାଣୁ ଓ ଇସ୍ରାଏଲ ଆମ୍ଭର ଅଗୋଚର ନୁହେଁ; 
କାରଣ ହେ ଇଫ୍ରୟିମ, ତୁମ୍ଭେ ଏବେ ବେଶ୍ୟାବୃତ୍ତି କରିଅଛ, ଇସ୍ରାଏଲ ଅଶୁଚି ହୋଇଅଛି। 
 4 ସେମାନଙ୍କର କ୍ରିୟାସକଳ ସେମାନଙ୍କୁ 
ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟକୁ ଫେରିବାକୁ ଦେବ ନାହିଁ; 
କାରଣ ସେମାନଙ୍କ ଅନ୍ତରରେ ବ୍ୟଭିଚାରର ଆତ୍ମା ଅଛି 
ଓ ସେମାନେ ସଦାପ୍ରଭୁଙ୍କୁ ଜାଣନ୍ତି ନାହିଁ। 
 5 ପୁଣି, ଇସ୍ରାଏଲର ଦର୍ପ ତାହାର ମୁଖ ଆଗରେ ସାକ୍ଷ୍ୟ ଦିଏ; 
ଏଥିପାଇଁ ଇସ୍ରାଏଲ ଓ ଇଫ୍ରୟିମ ଆପଣାମାନଙ୍କ ଅଧର୍ମରେ ଝୁଣ୍ଟି ପଡ଼ିବେ। 
 6 ସେମାନେ ଆପଣାମାନଙ୍କର ମେଷପଲ ଓ ଗୋପଲ ଘେନି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଯିବେ; 
ମାତ୍ର ତାହାଙ୍କର ଉଦ୍ଦେଶ୍ୟ ପାଇବେ ନାହିଁ; 
କାରଣ ସେ ସେମାନଙ୍କ ନିକଟରୁ ଚାଲି ଯାଇଅଛନ୍ତି। 
 7 ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା କରିଅଛନ୍ତି; 
କାରଣ ସେମାନେ ଅବୈଧ ସନ୍ତାନ ଉତ୍ପନ୍ନ କରିଅଛନ୍ତି; 
ଏବେ ଅମାବାସ୍ୟା ସେମାନଙ୍କୁ ଓ ସେମାନଙ୍କ କ୍ଷେତ୍ରସବୁକୁ ଗ୍ରାସ କରିବ। 
 8 ତୁମ୍ଭେମାନେ ଗିବୀୟାରେ ଶିଙ୍ଗା ଧ୍ୱନି କର, 
ରାମାରେ ତୂରୀ ବଜାଅ; 
ବେଥ୍-ଆବନରେ ଭୟାନକ ସିଂହନାଦ କର; 
ତୁମ୍ଭ ପଛେ, ହେ ବିନ୍ୟାମୀନ୍, 
 9 ଭର୍ତ୍ସନା ଦିନରେ ଇଫ୍ରୟିମ ଧ୍ୱଂସର ସ୍ଥାନ ହେବ; ଯାହା ନିଶ୍ଚୟ ଘଟିବ, 
ତାହା ଆମ୍ଭେ ଇସ୍ରାଏଲ ଗୋଷ୍ଠୀମାନଙ୍କ ମଧ୍ୟରେ ଜ୍ଞାତ କରାଇଅଛୁ। 
 10 ଯେଉଁମାନେ ସୀମାର ଚିହ୍ନ ଘୁଞ୍ଚାନ୍ତି, ଯିହୁଦାର ଅଧିପତିଗଣ ସେମାନଙ୍କ ତୁଲ୍ୟ ହୋଇଅଛନ୍ତି; 
ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଜଳ ପରି ଢାଳିବା। 
 11 ଇଫ୍ରୟିମ ସନ୍ତୁଷ୍ଟ ହୋଇ ମନୁଷ୍ୟର ଆଜ୍ଞାନୁସାରେ ଚାଲିଥିବାରୁ 
ସେ ଉପଦ୍ରବଗ୍ରସ୍ତ ହୋଇଅଛି ଓ ବିଚାରରେ କଷ୍ଟ ପାଇଅଛି। 
 12 ଏଥିସକାଶୁ ଆମ୍ଭେ ଇଫ୍ରୟିମ ପକ୍ଷରେ କୀଟ ସ୍ୱରୂପ 
ଓ ଯିହୁଦା ବଂଶ ପକ୍ଷରେ କ୍ଷୟ ସ୍ୱରୂପ ହୋଇଅଛୁ। 
 13 ଯେତେବେଳେ ଇଫ୍ରୟିମ ଆପଣା ରୋଗ ଓ ଯିହୁଦା ଆପଣା କ୍ଷତ ଦେଖିଲା, 
ସେତେବେଳେ ଇଫ୍ରୟିମ ଅଶୂରୀୟର ନିକଟକୁ ଗଲା 
ଓ ଯାରେବ ରାଜା ନିକଟକୁ ଲୋକ ପଠାଇଲା; 
ମାତ୍ର ସେ ତୁମ୍ଭମାନଙ୍କୁ ସୁସ୍ଥ କରିବାକୁ ସକ୍ଷମ ନୁହେଁ, 
କିଅବା ସେ ତୁମ୍ଭମାନଙ୍କର କ୍ଷତ ଆରୋଗ୍ୟ କରିବ ନାହିଁ। 
 14 କାରଣ ଆମ୍ଭେ ଇଫ୍ରୟିମ ପ୍ରତି ସିଂହ ତୁଲ୍ୟ 
ଓ ଯିହୁଦା ବଂଶ ପ୍ରତି ଯୁବା ସିଂହ ତୁଲ୍ୟ ହେବା। 
ଆମ୍ଭେ, ଆମ୍ଭେ ହିଁ ବିଦୀର୍ଣ୍ଣ କରି ଚାଲିଯିବା; 
ଆମ୍ଭେ ସେମାନଙ୍କୁ ଟାଣି ଦୂରକୁ ନେଇଯିବା ଓ ଉଦ୍ଧାର କରିବା ପାଇଁ କେହି ନ ଥିବ। 
 15 ସେମାନେ ଆପଣା ଆପଣା ଅପରାଧ ସ୍ୱୀକାର କରି 
ଆମ୍ଭର ମୁଖ ଅନ୍ଵେଷଣ ନ କରିବା ପର୍ଯ୍ୟନ୍ତ ଆମ୍ଭେ ଫେରି ଆପଣା ସ୍ଥାନକୁ ଯିବା; 
ସେମାନେ ଆପଣାମାନଙ୍କର ଦୁଃଖ ସମୟରେ ଆନ୍ତରିକ ଭାବରେ ଆମ୍ଭର ଅନ୍ଵେଷଣ କରିବେ।