2
ଅତ୍ୟାଚାରୀଗଣ ସନ୍ତାପର ପାତ୍ର 
 1 ଯେଉଁମାନେ ଆପଣା ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରନ୍ତି 
ଓ କୁକର୍ମ ସ୍ଥିର କରନ୍ତି, ସେମାନେ ସନ୍ତାପର ପାତ୍ର! 
ପ୍ରଭାତ ହେବାମାତ୍ର ସେମାନେ ତାହା ସାଧନ କରନ୍ତି, 
କାରଣ ତାହା ସେମାନଙ୍କ ହସ୍ତର କ୍ଷମତାଧୀନ। 
 2 ଆଉ, ସେମାନେ କ୍ଷେତ୍ରକୁ ଲୋଭ କରନ୍ତି ଓ ବଳରେ ତାହା ଛଡ଼ାଇ ନିଅନ୍ତି 
ଓ ଗୃହକୁ ଲୋଭ କରି ତାହା ହରଣ କରି ନିଅନ୍ତି; 
ଆଉ, ସେମାନେ ପୁରୁଷ ଓ ତାହାର ଗୃହ ପ୍ରତି, 
ଏବଂ, ମନୁଷ୍ୟ ଓ ତାହାର ପୈତୃକ ଅଧିକାର ପ୍ରତି ଦୌରାତ୍ମ୍ୟ କରନ୍ତି। 
 3 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି; 
ଦେଖ, ଆମ୍ଭେ ଏହି ଗୋଷ୍ଠୀ ବିରୁଦ୍ଧରେ ଅମଙ୍ଗଳ କଳ୍ପନା କରୁଅଛୁ, 
ତହିଁରୁ ତୁମ୍ଭେମାନେ ଆପଣା ଆପଣା ବେକ କାଢ଼ି ନେବାକୁ 
କିଅବା ଗର୍ବ କରି ଚାଲି ପାରିବ ନାହିଁ; 
କାରଣ ତାହା ଦୁଃସମୟ ଅଟେ। 
 4 ସେହି ଦିନ ଲୋକମାନେ ତୁମ୍ଭ ବିରୁଦ୍ଧରେ 
ଗୋଟିଏ ପ୍ରବାଦ ଧରି ଅତିଶୟ ବିଳାପ କରିବେ, 
ଆଉ କହିବେ, “ଆମ୍ଭମାନଙ୍କର ସର୍ବନାଶ ହେଲା; 
ସେ ଆମ୍ଭ ଲୋକମାନଙ୍କର ଅଧିକାର ହସ୍ତାନ୍ତର କରିଅଛନ୍ତି; 
ସେ କିପରି ଆମ୍ଭଠାରୁ ତାହା ଦୂର କରିଅଛନ୍ତି। 
ସେ ଆମ୍ଭମାନଙ୍କର କ୍ଷେତ୍ର ବିଭାଗ କରି ବିଦ୍ରୋହୀମାନଙ୍କୁ ଦେଇଅଛନ୍ତି।” 
 5 ଏଥିପାଇଁ ଗୁଲିବାଣ୍ଟ ଦ୍ୱାରା ପରିମାପକ ରଜ୍ଜୁ ପକାଇବା ପାଇଁ 
ସଦାପ୍ରଭୁଙ୍କ ସମାଜରେ ତୁମ୍ଭର କେହି ନ ଥିବେ। 
 6 ତୁମ୍ଭେମାନେ ବାକ୍ୟ ପ୍ରଚାର ନ କର, 
“ସେମାନେ ଏପରି ପ୍ରଚାର କରନ୍ତି। 
ଯଦି ଏମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବେ ନାହିଁ” 
ତେବେ ଅପମାନ ଘୁଞ୍ଚିବ ନାହିଁ। 
 7 ହେ ଯାକୁବର ବଂଶ, 
ସଦାପ୍ରଭୁଙ୍କର ଆତ୍ମା କି ସଙ୍କୁଚିତ ହୋଇଅଛି? 
ଏହିସବୁ କି ତାହାଙ୍କର କର୍ମ? 
ଏହା କୁହାଯିବ? ଯେଉଁ ଜନ ସରଳ ଆଚରଣ କରେ, 
ଆମ୍ଭର ବାକ୍ୟସକଳ କି ତାହାର ମଙ୍ଗଳ ନ କରେ? 
 8 ମାତ୍ର ଅଳ୍ପ କାଳ ହେଲା, ଆମ୍ଭର ଲୋକମାନେ ଶତ୍ରୁ ତୁଲ୍ୟ ହୋଇ ଉଠିଅଛନ୍ତି; 
ଯୁଦ୍ଧରୁ ବିମୁଖ ଲୋକମାନଙ୍କ ତୁଲ୍ୟ ନିଶ୍ଚିନ୍ତ 
ପଥିକମାନଙ୍କ ଗାତ୍ରୀୟ ବସ୍ତ୍ରରୁ ତୁମ୍ଭେମାନେ ଉତ୍ତରୀୟ ବସ୍ତ୍ର ଛଡ଼ାଇ ନେଉଅଛ। 
 9 ଆମ୍ଭ ଲୋକମାନଙ୍କର ନାରୀଗଣକୁ ସେମାନଙ୍କର ସୁଖଜନକ ଗୃହରୁ ତୁମ୍ଭେମାନେ ଦୂର କରି ଦେଉଅଛ; 
ସେମାନଙ୍କର ସନ୍ତାନଗଣଠାରୁ ତୁମ୍ଭେମାନେ ଆମ୍ଭର (ଦତ୍ତ) ଗୌରବ ଚିରକାଳର ନିମନ୍ତେ ହରଣ କରି ନେଉଅଛ। 
 10 ତୁମ୍ଭେମାନେ ଉଠ ଓ ପ୍ରସ୍ଥାନ କର; 
କାରଣ ଏ ତୁମ୍ଭମାନଙ୍କର ବିଶ୍ରାମ-ସ୍ଥାନ ନୁହେଁ; 
ଯେହେତୁ ଅଶୁଚିତା ବିନାଶ, 
ଅର୍ଥାତ୍, ଭୟାନକ ବିନାଶ କରୁଅଛି। 
 11 ଯଦି କୌଣସି ଲୋକ ବାୟୁ ଓ ମିଥ୍ୟା କଥାର ଅନୁଗାମୀ ହୋଇ ମିଥ୍ୟାରେ କହେ, 
ଆମ୍ଭେ ଦ୍ରାକ୍ଷାରସ ଓ ସୁରା ବିଷୟକ ଭବିଷ୍ୟଦ୍ବାକ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିବା, 
ତେବେ ସେ ତ ଏହି ଲୋକମାନଙ୍କର ଭବିଷ୍ୟଦ୍ବକ୍ତା ହେବ। 
 12 ହେ ଯାକୁବ, ଆମ୍ଭେ ଅବଶ୍ୟ ତୁମ୍ଭର ଯାବତୀୟ ଲୋକଙ୍କୁ ଏକତ୍ର କରିବା; 
ଆମ୍ଭେ ଅବଶ୍ୟ ଇସ୍ରାଏଲର ଅବଶିଷ୍ଟାଂଶକୁ ସଂଗ୍ରହ କରିବା; 
ଆମ୍ଭେ ସେମାନଙ୍କୁ ବସ୍ରାର ମେଷଗଣ ତୁଲ୍ୟ ଏକତ୍ର ରଖିବା; 
ନିଜ ଚରାଣି ସ୍ଥାନ ମଧ୍ୟରେ ଯେପରି ମେଷପଲ, 
ସେହିପରି ମନୁଷ୍ୟର ବାହୁଲ୍ୟ ସକାଶୁ ସେମାନେ ମହାଶବ୍ଦ କରିବେ। 
 13 ଭଗ୍ନକାରୀ ସେମାନଙ୍କର ଅଗ୍ରଗାମୀ ହୋଇଅଛନ୍ତି; 
ସେମାନେ ବେଢ଼ା ଭାଙ୍ଗି ଦ୍ୱାର ପର୍ଯ୍ୟନ୍ତ ଯାଇଅଛନ୍ତି ଓ ସେହି ଦ୍ୱାର ଦେଇ ବାହାରି ଯାଇଅଛନ୍ତି; 
ପୁଣି, ସେମାନଙ୍କର ରାଜା ସେମାନଙ୍କର ଆଗେ ଆଗେ ଯାଇଅଛନ୍ତି 
ଓ ସଦାପ୍ରଭୁ ସେମାନଙ୍କର ଅଗ୍ରଗାମୀ ଅଛନ୍ତି।