3
ଯାଜକ ଓ ଶାସନକର୍ତ୍ତାଙ୍କୁ ଭର୍ତ୍ସନା 
 1 ପୁଣି, ମୁଁ କହିଲି, ହେ ଯାକୁବର ପ୍ରଧାନବର୍ଗ 
ଓ ହେ ଇସ୍ରାଏଲ ବଂଶର ଶାସନକର୍ତ୍ତାଗଣ, 
ମୁଁ ନିବେଦନ କରେ, ତୁମ୍ଭେମାନେ ଶୁଣ: 
ନ୍ୟାୟବିଚାର ଜ୍ଞାତ ହେବାର କି ତୁମ୍ଭମାନଙ୍କର ଉଚିତ ନୁହେଁ? 
 2 ମାତ୍ର ତୁମ୍ଭେମାନେ ସତ୍କର୍ମ ଘୃଣା କରି 
ଦୁଷ୍କର୍ମ ଭଲ ପାଉଅଛ; 
ତୁମ୍ଭେମାନେ ଲୋକମାନଙ୍କ ଶରୀରରୁ ସେମାନଙ୍କର ଚର୍ମ 
ଓ ସେମାନଙ୍କ ଅସ୍ଥିରୁ ସେମାନଙ୍କର ମାଂସ ଛଡ଼ାଇ ନେଉଅଛ; 
 3 ମଧ୍ୟ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ମାଂସ ଖାଉଅଛ 
ଓ ସେମାନଙ୍କର ଚର୍ମ ଛଡ଼ାଇ 
ସେମାନଙ୍କର ଅସ୍ଥିସବୁ ଭାଙ୍ଗୁଅଛ; 
ହଁ, ଯେପରି ହାଣ୍ଡି ଓ ହଣ୍ଡା ପାଇଁ ମାଂସ ଖଣ୍ଡ ଖଣ୍ଡ କରନ୍ତି, 
ସେହିପରି ସେମାନଙ୍କୁ ଖଣ୍ଡ ଖଣ୍ଡ କରି ପକାଉଅଛ। 
 4 ସେହି ସମୟରେ ସେମାନେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରିବେ, 
ମାତ୍ର ସେ ସେମାନଙ୍କୁ ଉତ୍ତର ଦେବେ ନାହିଁ; 
ବରଞ୍ଚ ସେମାନଙ୍କର ଦୁଷ୍କ୍ରିୟାନୁସାରେ 
ସେ ସେହି ସମୟରେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବେ। 
 5 ଯେଉଁ ଭବିଷ୍ୟଦ୍ବକ୍ତାଗଣ ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି; 
ଯେଉଁମାନେ ଦାନ୍ତରେ କାମୁଡ଼ୁ କାମୁଡ଼ୁ, “ଶାନ୍ତି ଶାନ୍ତି” ବୋଲି କହନ୍ତି 
ଓ କୌଣସି ଲୋକ ସେମାନଙ୍କ ମୁଖରେ କିଛି ନ ଦେଲେ, 
ତାହା ବିରୁଦ୍ଧରେ ଯେଉଁମାନେ ଯୁଦ୍ଧ ନିରୂପଣ କରନ୍ତି, 
ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି: 
 6 ଏଥିପାଇଁ ତୁମ୍ଭେମାନେ ଯେପରି କୌଣସି ଦର୍ଶନ ନ ପାଇବ, ତୁମ୍ଭମାନଙ୍କ ପ୍ରତି ରାତ୍ରି ହେବ 
ଓ ତୁମ୍ଭେମାନେ ଯେପରି ମନ୍ତ୍ରଶୂନ୍ୟ ହେବ; ଏଥିପାଇଁ ତୁମ୍ଭମାନଙ୍କ ପ୍ରତି ଅନ୍ଧକାର ହେବ; 
ଆଉ, ଭବିଷ୍ୟଦ୍ବକ୍ତାଗଣ ଉପରେ ସୂର୍ଯ୍ୟ ଅସ୍ତଗତ ହେବ 
ଓ ସେମାନଙ୍କ ଉପରେ ଦିବସ କୃଷ୍ଣବର୍ଣ୍ଣ ହେବ। 
 7 ପୁଣି, ଦର୍ଶକମାନେ ଲଜ୍ଜିତ 
ଓ ମନ୍ତ୍ରବେତ୍ତାମାନେ ଉଦ୍ବିଗ୍ନ ହେବେ; 
ହଁ, ସେମାନେ ସମସ୍ତେ ଆପଣା ଆପଣା ଓଷ୍ଠାଧର ଘୋଡ଼ାଇବେ; 
କାରଣ ପରମେଶ୍ୱରଙ୍କଠାରୁ କୌଣସି ଉତ୍ତର ନାହିଁ। 
 8 ମାତ୍ର ଯାକୁବକୁ ତାହାର ଆଜ୍ଞାଲଙ୍ଘନ 
ଓ ଇସ୍ରାଏଲକୁ ତାହାର ପାପ 
ଜ୍ଞାତ କରାଇବା ନିମନ୍ତେ ଆମ୍ଭେ ପ୍ରକୃତରେ ସଦାପ୍ରଭୁଙ୍କ ଆତ୍ମା ଦ୍ୱାରା 
ଶକ୍ତିରେ, ନ୍ୟାୟ-ବିଚାରରେ ଓ ପରାକ୍ରମରେ ପରିପୂର୍ଣ୍ଣ ଅଛୁ। 
 9 ହେ ଯାକୁବ ବଂଶର ପ୍ରଧାନବର୍ଗ 
ଓ ଇସ୍ରାଏଲ ବଂଶର ଶାସନକର୍ତ୍ତାଗଣ, 
ମୁଁ ନିବେଦନ କରେ, ତୁମ୍ଭେମାନେ ଏହା ଶୁଣ, 
ତୁମ୍ଭେମାନେ ନ୍ୟାୟବିଚାର ଘୃଣା କରୁଅଛ 
ଓ ଅପକ୍ଷପାତ ବିଚାରସବୁ ଅନ୍ୟଥା କରୁଅଛ। 
 10 ସେମାନେ ସିୟୋନକୁ ରକ୍ତରେ 
ଓ ଯିରୂଶାଲମକୁ ଅଧର୍ମରେ ନିର୍ମାଣ କରୁଅଛନ୍ତି। 
 11 ସେହି ସ୍ଥାନର ପ୍ରଧାନବର୍ଗ ଲାଞ୍ଚ ନେଇ ବିଚାର କରନ୍ତି 
ଓ ତହିଁର ଯାଜକଗଣ ବେତନ ନେଇ ଶିକ୍ଷା ଦିଅନ୍ତି 
ଓ ତହିଁର ଭବିଷ୍ୟଦ୍ବକ୍ତାଗଣ ଅର୍ଥ ନେଇ ମନ୍ତ୍ର ପଢ଼ନ୍ତି; 
ତଥାପି ସେମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରି କୁହନ୍ତି, 
“ସଦାପ୍ରଭୁ କି ଆମ୍ଭମାନଙ୍କ ମଧ୍ୟରେ ନାହାନ୍ତି? 
କୌଣସି ଅମଙ୍ଗଳ ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ।” 
 12 ଏହେତୁ ତୁମ୍ଭମାନଙ୍କ ସକାଶୁ 
ସିୟୋନ କ୍ଷେତ୍ର ତୁଲ୍ୟ ଚାଷ କରାଯିବ 
ଓ ଯିରୂଶାଲମ ଢିପି ହେବ, 
ଆଉ ଗୃହର ପର୍ବତ ବନସ୍ଥ ଉଚ୍ଚସ୍ଥଳୀର ତୁଲ୍ୟ ହେବ।