୧ଆରିତରେକ୍ ଜିସୁ ସେମନ୍କେ କଇଲା, ମୁଇ ତମ୍କେ ସତ୍ କାତା କଇଲିନି । ସେଟାର୍ପାଇ ସୁନା, ଏବେ ଇତି ରଇବା କେତେ ଲକ୍ମନ୍, ପର୍ମେସର୍ ରାଜା ଅଇକରି ତାର୍ ରାଇଜ୍ ସାସନ୍ କର୍ବାଟା ନ ଦେକ୍ବା ଜାକ ନ ମରାସ୍ ।
ଜିସୁର୍ ସଙ୍ଗ୍ ମସା ଆରି ଏଲିୟ
(ମାତିଉ ୧୭:୧-୧୩; ଲୁକ୍ ୯:୨୮)
୨ ଚଅ ଦିନ୍ ପଚେ ଜିସୁ ପିତର୍ ଜାକୁବ୍ ଆରି ଜଅନକେ ତାର୍ ସଙ୍ଗ୍ ମିସ୍ତେ ଡାକିକରି କେ ନଇବା ଗଟେକ୍ ଡେଙ୍ଗ୍ ପର୍ବତ୍ ଉପ୍ରେ ଗାଲା । ସିତି ସେମନର୍ ମୁଆଟେ ତାର୍ ରୁପ୍ ବଦ୍ଲିଗାଲା । ୩ଆରି ତାର୍ ପଚିଆ ବେସି ଜଗ୍ଜଗି ଜାଇ, ଦବ୍ ଅଇଗାଲା । ଆରି ଏ ଦୁନିଆ ଇସାବେ କେ ମିସା ସେନ୍ତି ଦବ୍ କରି ଦଇନାପାରତ୍ । ୪ଆରି ମସାର୍ ସଙ୍ଗ୍ ଏଲିୟ ଆରି ଜିସୁ ମିସ୍ତେ କାତାବାର୍ତା ଅଇବାଟା ସେମନ୍କେ ଡିସ୍ଲା । ୫ତେଇ ପିତର୍ ଜିସୁକେ କଇଲା, “ଏ ଗୁରୁ ଆମେ ଇତି ରଇବାଟା ନିକ । ଇତି ତିନ୍ଟା କୁଡିଆ ତିଆର୍ କରୁ । ତମର୍ପାଇ ଗଟେକ୍, ମସାର୍ପାଇ ଗଟେକ୍ ଆରି ଏଲିୟର୍ ପାଇ ଗଟେକ୍ ।” ୬ପିତର୍ କଇବା ବିସଇ କାଇଟା ବଲି ନିଜେ ନାଜାନି ରଇଲା । କାଇକେବଇଲେ ସେମନ୍ ବେସି ଡରିଜାଇରଇଲାଇ ।
୭ ଆରି ସେମନ୍କେ ମେଗର୍ ଚାଇ ଡାବିଅଇଦେଲା । ସେ ମେଗେଅନି ଏନ୍ତାରି କାତା ଅଇଲା, “ଏ ମର୍ ଆଲାଦର୍ ପ, ଆର୍ କାତା ସୁନା ।” ୮ଆରି ଅଟାତ୍ ସେମନ୍ ଚାରିବେଡ୍ତି ଦେକ୍ଲାଇ, ତାକର୍ ସଙ୍ଗ୍ ଜିସୁକେ ଚାଡି ଆରି କାକେ ମିସା ଦେକତ୍ ନାଇ ।
୯ସେମନ୍ ପର୍ବତେ ଅନି ଉତର୍ଲାବେଲେ ଜିସୁ ସେମନ୍କେ ଡାଟ୍ ସଙ୍ଗ୍ ଆଦେସ୍ ଦେଇ ଏନ୍ତି ବଲି କଇଲା, “ପର୍ମେସରର୍ ଟାନେଅନି ଆସିରଇବା ନର୍ପିଲା ମୁଇ, ମଲାଟାନେଅନି ଆରିତରେକ୍ ନ ଉଟ୍ବା ଜାକ ଇତି କାଇକାଇଟା ତମେ ଦେକ୍ଲାସ୍, ସେ ବିସଇ କାକେମିସା ନ କୁଆ ।” ୧୦ସେଟାର୍ପାଇ ପର୍ବତ୍ ଉପ୍ରେ ଜାଇଟା ସେମନ୍ ଦେକ୍ଲାଇ, ସେ ବିସଇ କାକେମିସା କଅତ୍ ନାଇ । ମାତର୍ ମଲାଟାନେଅନି ଆରିତରେକ୍ ଉଟ୍ବା ଅରତ୍ କାଇଟା ବଲିକରି ସେମନ୍ କାତାବାର୍ତା ଅଇତେରଇଲାଇ । ୧୧ ସିସ୍ମନ୍ ଜିସୁକେ ପାଚାର୍ଲାଇ, “ଏଲିୟ ପର୍ତୁମ୍ ଆଇବାର୍ ଆଚେ ବଲି ନିୟମ୍ ସିକାଇଦେବା ଲକ୍ମନ୍ କାଇକେ କଇଲାଇନି ?”
୧୨ଜିସୁ ତାର୍ ସିସ୍ମନ୍କେ କଇଲା, “ଉଁ ପର୍ମେସରର୍ ବଇତେଇ ଏଲିୟ ଆଗ୍ତୁ ଆଇସି ବଲି ଲେକା ଅଇଲାକାତା ସତ୍ସେ । ଏଲିୟ ପର୍ତୁମ୍ ଆସିକରି ସବୁ ବିସଇ ଟିକ୍ କର୍ସି, ମାତର୍ ପର୍ମେସର୍ ଅନି ଆସିରଇବା ନର୍ପିଲା ମୁଇ ବେସି ବେସି କସ୍ଟ ପାଇବି ଆରି ଲକ୍ମନ୍ ମକେ ନ ନାମତ୍ ବଲି ମିସା କାଇ ପର୍ମେସରର୍ ବଇଟାନେ ଲେକା ଅଏନାଇ କି ? ୧୩ମୁଇ ତମ୍କେ ସତ୍ କଇଲିନି, ଏବେ ଏଲିୟ ଆସି ସାର୍ଲା ଆଚେ । ଆରି ତାର୍ ବିସଇ ପର୍ମେସର୍ ଟାନେ କାଇଟା ଲେକା ଅଇଲା ଆଚେ, ସେ ସେନ୍ତିସେ ଲକ୍ମନ୍ ମିସା ତାକର୍ ନିଜର୍ ମନ୍ କଲା ଇସାବେ କରାପ୍ ଚଲାଚଲ୍ତି କଲାଇ ।”
ଜିସୁ ଗଟେକ୍ ପିଲାକେ ଡୁମା ଚାଡାଇଲା
(ମାତିଉ ୧୭:୧୪-୨୦; ଲୁକ୍ ୯:୩୭-୪୩)
୧୪ତାର୍ପଚେ ଜିସୁ, ପିତର୍, ଜାକୁବ୍ ଆରି ଜଅନ୍ ବିନ୍ ସିସ୍ମନର୍ ଲଗେ କେଟ୍ଲାବେଲେ ତେଇ ବେସି ଲକ୍ମନ୍ ରୁଣ୍ଡିରଇବାଟା ଦେକ୍ଲାଇ । ଆରି ନିୟମ୍ ସିକାଇଦେବା ଲକ୍ମନ୍ ସିସ୍ମନର୍ ସଙ୍ଗ୍ ଦଦାପେଲା ଅଇତେରଇଲାଇ । ୧୫ଲକ୍ମନ୍ ଜେଡେବେଲ୍ ଜିସୁ ତେଇ ଆଇବାଟା ଦେକ୍ଲାଇ, ସାର୍ଦାରେ କାବା ଅଇଗାଲାଇ ଆରି ଜିସୁକେ ଦୁକ୍ ସୁକ୍ ପାଚାର୍ବାକେ ତାର୍ଲଗେ ପାଲାଇ ଆସି ଜୁଆର୍ କର୍ବାର୍ ଦାର୍ଲାଇ । ୧୬ଜିସୁ ତାର୍ ସିସ୍ମନ୍କେ ପାଚାର୍ଲା, “ତମେ ନିୟମ୍ ସିକାଇବା ଲକ୍, ମର୍ ସିସ୍ମନର୍ ସଙ୍ଗ୍ କାଇ ବିସଇନେଇ ଦଦାପେଲା ଅଇତେରଇଲାସ୍ ?”
୧୭ସେ ମାନ୍ଦା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ ଡାକି କଇଲା, “ଏ ଗୁରୁ, ମୁଇ ମର୍ ପିଲାକେ ନିକ କର୍ବାକେ ତମର୍ ଟାନେ ଆନିରଇଲି । ତାର୍ ବିତ୍ରେ ଗଟେକ୍ କାରାପ୍ ଆତ୍ମା ପୁରିକରି ତାକେ କାତା ଅଇବାକେ ଦେଏ ନାଇ । ୧୮ସେ କରାପ୍ ଆତ୍ମା ପିଲାକେ ଦାର୍ଲାବେଲେ, ତାକେ ମଡିକରି ଅଦ୍ରାଇଦେଲାନି ଆରି ତାର୍ ଟଣ୍ଡେଅନି ପେପୁଲ୍ ବାରଇଲାନି ଆରି ସେ ଦାତ୍ କାତର୍ସି । ଆରି ତାର୍ ଗାଗଡ୍ ସିଦା ଅଇଜାଇସି । ମୁଇ ତାର୍ତେଇ ଅନି କାରାପ୍ ଆତ୍ମାକେ ବାର୍କରାଇ କେଦିଦେବାଇ ବଲି ତମର୍ ସିସ୍ମନର୍ ଲଗେ ଆନିରଇଲି । ମାତର୍ ତମର୍ ସିସ୍ମନ୍ ନାପାର୍ଲାଇ ।”
୧୯ଜିସୁ ସେମନ୍କେ କଇଲା, “ଏ ପର୍ମେସର୍କେ ବିସ୍ବାସ୍ ନ ରଇବା ଆଜିକାଲିର୍ ଲକ୍ମନ୍, ତମେ ବିସ୍ବାସ୍ କର୍ବାକେ ଆରି କେତେ ଦିନ୍ ମୁଇ ତମର୍ ସଙ୍ଗ୍ ରଇବାର୍ ଆଚେ ? ଆରି କେତେଦିନ୍ ମୁଇ ସାଆସ୍ ଦାରି ତମର୍ ସଙ୍ଗ୍ ରଇବାର୍ ଆଚେ ? ସେ ପିଲାକେ ମର୍ଲଗେ ଆନା ।” ୨୦ଆରି ଲକ୍ମନ୍ ସେ ପିଲାକେ ଜିସୁର୍ଲଗେ ଆନ୍ଲାଇ । ସେ କରାପ୍ ଆତ୍ମା ଜିସୁକେ ଦେକ୍ଲା ଦାପ୍ରେ ପିଲାକେ ତଲେ ମଡିକରି ଅଦ୍ରାଇଲା । ଆରି ଗୁଣ୍ଡ୍ଲି ଗୁଣ୍ଡ୍ଲି କରି ତାର୍ ଟଣ୍ଡେଅନି ପେପୁଲ୍ ବାରଇ ଜାଇତେରଇଲା ।
୨୧ଜିସୁ ସେ ପିଲାର୍ ବାବାକେ ପାଚାର୍ଲା, “ଏ ପିଲା ଏନ୍ତି ଅଇ କେତେଦିନ୍ ଅଇଲା ?” ପିଲାର୍ ବାବା କଇଲା, “ ସାନ୍ବେଲେଅନି ” ବଲି । ୨୨ଆରି ସେ କଇଲା, “ସେ କାରାପ୍ ଆତ୍ମା ପିଲାକେ ମରାଇବାକେ ବେସିତର୍ ପାନିଟାନେ ଆରି ଜଇଟାନେ ମଡିକରି ଅଦ୍ରାଇ ଆଚେ । ମାତର୍ ତୁଇ ଜଦି କାଇଟା କର୍ବାକେ ପାରୁସ୍ ବଇଲେ ଆମର୍ ପାଇ ଦୟାକରି ସାଇଜ କର୍ ।”
୨୩ଜିସୁ ତାକେ କଇଲା, “କାଇକେ ଜଦି ପାରୁସ୍ ବଇଲେ ନିମାନ୍ କର୍ ବଲିକରି କଇଲୁସ୍ନି ? କାଇକେବଇଲେ ପର୍ମେସର୍କେ ବିସ୍ବାସ୍ କର୍ବା ଲକ୍ମନର୍ ତେଇ ସବୁ ଅଇସି ।”
୨୪ସେ ଦାପ୍ରେ ପିଲାର୍ ବାବା ଆଉଲିଅଇକରି, “ମୁଇ ବିସ୍ବାସ୍ କଲିନି, ଆରି ଅଦିକ୍ ବିସ୍ବାସ୍ କର୍ବାକେ ମକେ ସାଇଜ କର୍ ।” ବଲିକରି କଇଲା ।
୨୫ଏ ଗଟ୍ନାର୍ କାମ୍ ଦେକ୍ବାକେ ଲକ୍ମନ୍ ଏକାତରେ ପାଲାଇଆଇବାଟା ଜିସୁ ଦେକିକରି ସେ କାରାପ୍ ଆତ୍ମାକେ ଦମ୍କାଇକରି କଇଲା, “ଏ କରାପ୍ ଆତ୍ମା, ତୁଇ ଏ ପିଲାକେ ଗୁଲା ଆରି ବଇରା କରାଇଆଚୁସ୍ । ଏ ପିଲାର୍ ଗାଗ୍ଡେଅନି ବାରଇ ଉଟିଜା ଆରି କେବେ ମିସା ତାର୍ ଗାଗ୍ଡେ ନ ପୁର୍, ବଲି ମୁଇ ତକେ ଆଦେସ୍ ଦେଲିନି ।”
୨୬ଆରି କାରାପ୍ ଆତ୍ମା ବେସି ଆଉଲିଅଇକରି ପିଲାକେ ମଡିକରି ଅଦ୍ରାଇ, ତାର୍ଟାନେଅନି ବାରଇଗାଲା । ଆରି ପିଲା ମରିଗାଲା ଲକର୍ ପାରା ଡିସ୍ଲା, ଏନ୍ତିକି କେତେକ୍ ଲକ୍ମନ୍ “ସେ ମରିଗାଲା ।” ବଲିକରି କଇଲାଇ । ୨୭ମାତର୍ ଜିସୁ ସେ ପିଲାକେ ଆତେଦାରି ଉଟାଇକରି ତାକେ ଟିଆ କରାଇଲାକେ ସେ ଟିଆଅଇଲା ।
୨୮ଜିସୁ ଆରି ତାର୍ ସିସ୍ମନ୍ ଗଟେକ୍ ଗର୍ ବିତ୍ରେ ଗାଲାପଚେ, ଲକ୍ମନ୍ କେ ନଇଲାବେଲେ ତାକେ ପାଚାର୍ଲାଇ, “ଆମେ କାଇକେ ସେ କାରାପ୍ ଆତ୍ମାକେ କେଦି ନାପାର୍ଲୁ ?”
୨୯ଏ କାତା ସୁନି ଜିସୁ ସେମନ୍କେ କଇଲା, “ଏନ୍ତାରି କାରାପ୍ ଆତ୍ମା ପର୍ମେସର୍କେ ପାର୍ତନା କରିସେ କେଦ୍ବାର୍ ଅଇସି, ଆରି କାଇ ବାଟ୍ ନାଇ ।”
ନିଜର୍ ମରନ୍ ବିସଇ ଜିସୁ ଆରିତରେକ୍ କଇଲାନି
(ମାତିଉ ୧୭:୨୨-୨୩; ଲୁକ୍ ୯:୪୩-୪୫)
୩୦ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ ସେ ଜାଗା ଚାଡିକରି ଉଟିଗାଲାଇ । ସେମନ୍ ଗାଲିଲି ଦେସର୍ ବାଟ୍ଦେଇକରି ଜାଇତେରଇଲାଇ । ସେମନ୍ କନ୍ ଜାଗାଇ ଆଚତ୍ ବଲିକରି ଲକ୍ମନ୍ ନ ଜାନତ୍ ବଲି ଜିସୁ ମନ୍ କର୍ତେରଇଲା ୩୧କାଇକେବଇଲେ ସେ ତାର୍ ସିସ୍ମନ୍କେ ସିକାଇ ଦେବାକେ ମନ୍ କର୍ତେରଇଲା । ଜିସୁ ତାର୍ ସିସ୍ମନ୍କେ କଇଲା, “ସତ୍ ପର୍ମେସରର୍ ଟାନେଅନି ଆସିରଇବା ନର୍ପିଲା ମକେ, ଲକ୍ମନର୍ ଆତେ ସର୍ପି ଦେବାଇ ଆରି ସେମନ୍ ମକେ ମରାଇଦେବାଇ । ମାତର୍ ମୁଇ ମରିକରି ତିନ୍ଦିନ୍ ଗାଲାପଚେ ଆରି ତରେକ୍ ମଲାଟାନେଅନି ଜିବନ୍ ଅଇ ଉଟ୍ବି ।”
୩୨ମାତର୍ ଜିସୁ କଇବା ଏ କାତାର୍ ଅରତ୍ ସିସ୍ମନ୍ ବୁଜତ୍ ନାଇ ଆରି ସେମନ୍ ସେ କାତାର୍ ଅରତ୍ ପାଚାର୍ବାକେ ଡର୍ଲାଇ ।
ସବୁର୍ଟାନେଅନି କେ ବଡ୍
(ମାତିଉ ୧୮:୧-୫; ଲୁକ୍ ୯:୪୬-୪୮)
୩୩ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ ଆଇଲାଇ ଆରି ସେମନ୍ ଗର୍ ବିତ୍ରେ ଗାଲାଇ । ତାର୍ପଚେ ଜିସୁ ସେମନ୍କେ ପାଚାର୍ଲା, “ତମେ ବାଟେ କନ୍ ବିସଇନେଇ ଦଦାପେଲା ଅଇତେରଇଲାସ୍ ?”
୩୪ ମାତର୍ ତାର୍ ସିସ୍ମନ୍ ଚିମ୍ରା ଅଇଦେଲାଇ । କାଇକେବଇଲେ ସେମନ୍ ବାଟେ, ଆମର୍ ବିତ୍ରେ ସବୁର୍ଟାନେଅନି କେ ବଡ୍ ବଲି ଦଦାପେଲା ଅଇତେରଇଲାଇ । ୩୫ ଜିସୁ ବସ୍ଲା ଆରି ତାର୍ ବାର୍ଟା ସିସ୍ମନ୍କେ ତାର୍ଲଗେ ଡାକାଇ ସେମନ୍କେ କଇଲା, “ଜଦି କେ ମୁକିଆ ଅଇବାକେ ମନ୍ କଲେ, ସେ ସବୁର୍ଟାନେଅନି ସାନ୍ ଅଇବାର୍ ଆଚେ, ଆରି ସବୁଲକର୍ ସେବା କର୍ବାର୍ ଆଚେ ।” ୩୬ତାର୍ପଚେ ଜିସୁ ଗଟେକ୍ ସାନ୍ଟା ପିଲାକେ ନେଇକରି ସେମନର୍ ମୁଆଟେ ଟିଆ କରାଇ ସେମନ୍କେ କଇଲା, ୩୭ “କେ କେ ମର୍ ଲାଗି ଏନ୍ତାରି ଗଟେକ୍ ସାନ୍ଟା ପିଲାକେ ନାମ୍ବାଇ, ସେମନ୍ ମକେ ନାମ୍ଲାଇନି, ଆରି କେ କେ ମକେ ନାମ୍ଲାଇନି, ସେମନ୍ ମକେ ନାଇ, ମାତର୍ ମକେ ପାଟାଇରଇବା ମର୍ ବାବାକେ ନାମ୍ଲାଇନି ।”
ଜେ ଆମ୍କେ ବିରଦ୍ ନ କରେ ସେ ଆମର୍ ନିଜର୍ ଲକ୍
(ଲୁକ୍ ୯:୪୯-୫୦)
୩୮ଜଅନ୍ ଜିସୁକେ କଇଲା, “ଏ ଗୁରୁ, ଗଟେକ୍ ଲକ୍ ତର୍ନାଉଁ ଦାରି ଲକ୍ମନର୍ଟାନେଅନି କାରାପ୍ ଆତ୍ମାକେ ବାର୍କରାଇ କେଦିଦେବାଟା ଆମେ ଦେକିକରି, ତାକେ ସେନ୍ତି ନ କର୍ ବଲି କଇଲୁ, କାଇକେବଇଲେ ସେ ଆମର୍ ନିଜର୍ ଲକ୍ ନଏଁ ।”
୩୯ମାତର୍ ଜିସୁ କଇଲା, “ତାକେ ଏନ୍ତି ନ କର୍ ବଲି ତେବାଆ ନାଇ କାଇକେବଇଲେ, ମର୍ ନାଉଁର୍ ବପୁ ପାଇକରି କାବା ଅଇଜିବା କାମ୍ମନ୍ କରିପାର୍ବା ଲକ୍, ମର୍ ବିରୁଦେ କାରାପ୍ କାତା ନ କଏ । ୪୦ କାଇକେବଇଲେ ଜେ ଆମ୍କେ ବିରଦ୍ ନ କରେ, ସେ ଆମର୍ ନିଜର୍ ଲକ୍ । ୪୧ ଆରି ମୁଇ ତମ୍କେ ସତ୍ କଇଲିନି, କେ ତମ୍କେ ମର୍ନାଉଁ ଦାରି ଗଟେକ୍ ଗିଲାସ୍ ପାନି କାଇବାକେ ଦେଇସିବଇଲେ, ସେଟାର୍ପାଇ ସତ୍ସେ ତାକେ ପୁରୁସ୍କାର୍ ମିଲ୍ସି ।”
ବିନ୍ ଲକ୍କେ ପାପ୍ ନ କରାଇବାକେ ସିକିଆ
(ମାତିଉ ୧୮:୬-୯; ଲୁକ୍ ୧୭:୧-୨)
୪୨ଜିସୁ କଇବାର୍ ଦାର୍ଲା “ଜଦି କେ ମର୍ତେଇ ବିସ୍ବାସ୍ କରିରଇବା ଗଟେକ୍ ଲକ୍କେ, ସେ କରିରଇବା ବିସ୍ବାସ୍ ଚାଡିଦେବାକେ ପାପ୍କାମ୍ କରାଇଲାଇନି ବଇଲେ, ସେ ଲକର୍ ଗାଲାଇ ଜତା ପାକ୍ନା ବାନ୍ଦିକରି ତାକେ ସମ୍ଦୁରେ ପିଙ୍ଗିଦେବାଟା ତାର୍ପାଇ ନିକ ଅଇତା । ୪୩ ଜଦି ତମର୍ ଆତ୍ ତମ୍କେ ପାପ୍ କରାଇଲାନି ବଇଲେ, ସେ ଆତ୍ କାଟିପାକାଆ । କାଇକେବଇଲେ ଜଡେକ୍ ଆତ୍ ରଇକରି ସବୁଦିନର୍ପାଇ ଜଇଲାଗ୍ବା ନର୍କେ ପେଲାଇଅଇବା ବାଦୁଲେ ଗଟେକ୍ ଆତ୍ ନ ରଇକରି ସର୍ଗେ କେଟ୍ବାଟା ନିକ ଅଇସି । ୪୪କାଇକେବଇଲେ ନର୍କେ ସେମନର୍ କିଡା ନସ୍ଟ ନ ଅଅତ୍ ଆରି ଜଇ ନ ଲିବେ । ୪୫ଜଦି ତମର୍ ପାଦ୍ ତମ୍କେ ପାପ୍କାମ୍ କରାଇଲାନି ବଇଲେ, ସେ ପାଦ୍ କାଟି ପିଙ୍ଗିଦିଆସ୍ । ଜଡେକ୍ ପାଦ୍ ରଇକରି ନର୍କେ ପେଲାଇଅଇବା ବାଦୁଲେ ଚଟା ଅଇକରି ସର୍ଗେ କେଟ୍ବାଟା ତମର୍ପାଇ ନିକଅଇସି । ୪୬କାଇକେବଇଲେ ନର୍କେ ସେମନର୍ କିଡା ନସ୍ଟ ନ ଅଅତ୍ ଆରି ଜଇ ନ ଲିବେ । ୪୭ ଜଦି ତମର୍ ଆଁକିର୍ ଲାଗି ତମେ ବିସ୍ବାସ୍ ଆରାଇଲାସ୍ନି ବଇଲେ, ସେ ଆଁକି ବେଟି ପିଙ୍ଗିଦିଆସ୍ । କାଇକେବଇଲେ ଜଡେକ୍ ଆଁକି ରଇ ନର୍କେ ପେଲାଇଅଇବା ବାଦୁଲେ, ଗଟେକ୍ ଆଁକି ରଇକରି ସରଗ୍ ରାଇଜେ କେଟ୍ବାଟା ତମର୍ପାଇ ନିକରଇସି । ୪୮କାଇକେବଇଲେ ନର୍କେ ସେମନର୍ କିଡା ନସ୍ଟ ନ ଅଅତ୍ ଆରି ଜଇ ନ ଲିବେ ।”
୪୯“ଜେନ୍ତିକି ସୁନା ଜଇଟାନେ ପଡାଇକରି ନିର୍ମଲ୍ କଲାପାରା ସବୁ ଲକ୍ମନ୍କେ ଜଇସଙ୍ଗ୍ ନିର୍ମଲ୍ କର୍ବାଇ ।”
୫୦ “ନୁନ୍ ଗଟେକ୍ ନିମାନ୍ ଜିନିସ୍ । ମାତର୍ ନୁନ୍ ଜଦି ତାର୍ କରିଆ ଅଇବାଟା ଆରାଇସି ବଇଲେ ସେ ଆରି ତରେକ୍ କେନ୍ତାର୍ କରିଆ ଅଇପାର୍ସି ? ତମେ ନୁନ୍ ପାରା ନିମାନ୍ ଗୁନେ ପୁରାପୁରୁନ୍ ଅଇ ସବୁଲକ୍ମନର୍ ସଙ୍ଗ୍ ମିସି ବିଡି କରି ସୁଆଲେ ରୁଆ” ବଲି କଇଲା ।