ବିସ୍ରାମ୍ବାର୍ ବିସଇନେଇ ପାଚାର୍ବାଟା
(ମାର୍କ ୨:୨୩-୨୮; ଲୁକ୍ ୬:୧-୫)
୧ତାର୍ କେତେ ଦିନ୍ ପଚେ ଜିସୁ ଗଟେକ୍ ବିସ୍ରାମ୍ବାରେ ତାସ୍ପଦାର୍ ବାଟେ ଜାଇତେରଇଲା । ଜିବାବେଲେ ତାର୍ ସିସ୍ମନ୍କେ ବୁକ୍ ଲାଗ୍ଲାଜେ କେଡ୍ ଚିଡାଇ କାଇବାର୍ ଦାର୍ଲାଇ । ୨ସେଟା ଦେକି ପାରୁସିମନ୍ ଜିସୁକେ ପାଚାର୍ଲାଇ, “ଦେକ୍ ବିସ୍ରାମ୍ବାରେ ତର୍ ସିସ୍ମନ୍ କେନ୍ତାରି ସାସ୍ତରେ ରଇବା ରିତିନିତି ବିରଦର୍ କାମ୍ କଲାଇନି ।”
୩ଜିସୁ ସେମନ୍କେ କଇଲା, “ଦିନେକ୍ ଦାଉଦ୍ ଆରି ତାର୍ ସଙ୍ଗ୍ ରଇଲା ଲକ୍ମନ୍ ବୁକେ ରଇଲା ବେଲେ, ଦାଉଦ୍ କାଇଟା କରି ରଇଲା, ତମେ ସାସ୍ତରେ ପଡାସ୍ ନାଇ କି ? ୪ସେଦିନେ ସେମନ୍ ମନ୍ଦିର୍ ବିତ୍ରେ ପୁରି, ମାପ୍ରୁର୍ପାଇ ସର୍ପି ଅଇରଇବା ରୁଟି କାଇଲାଇ । ନିୟମ୍ ଇସାବେ ପୁଜାରିକେ ଚାଡି, ସେ ରୁଟି କେ ମିସା କାଇବାର୍ ଅଦିକାର୍ ନ ରଇଲା । ୫ତମେ କାଇ ପଡାସ୍ ନାଇ କି ? ମସାର୍ ନିୟମ୍ ଇସାବେ ସବୁ ବିସ୍ରାମ୍ବାରେ ପୁଜାରିମନ୍ ନିୟମ୍ ନ ମାନ୍ଲେ ମିସା, ସେଟାର୍ ପାଇ, ସେମନ୍ ଦସି ବଲି ବିଚାର୍ନା ନ ଅଅତ୍ । ୬ମୁଇ ତମ୍କେ କଇଲିନି, ଆଜି ଏ ମନ୍ଦିର୍ଟାନେଅନି ମୁକିଅ ବିସଇ ଇତି ଆଚେ ।” ୭ “ସାସ୍ତର୍ କଇଲାନି, ପସୁ ପୁଜ୍ବା ବିରୁ ନ କରି, ଲକ୍ମନ୍କେ ଦୟା କର୍ବାଟା, ମୁଇ ମନ୍ କଲିନି । ଏ କାତାର୍ ଅରତ୍ ଜଦି ସତ୍ ଇସାବେ ବୁଜିରଇତାସ୍ବଇଲେ, ଏ ଦସ୍ ନ କଲା ଲକ୍ମନ୍କେ ତମେ ଦସି ନ କର୍ତାସ୍ । ୮ଜାନିରୁଆ, ନର୍ପିଲା ମୁଇ ନିଜେ ବିସ୍ରାମ୍ବାରର୍ ମାପ୍ରୁ ।”
ସୁକ୍ଲା ଆତ୍ ନିମାନ୍ ଅଇଲା
(ମାର୍କ ୩:୧-୬; ଲୁକ୍ ୬:୬-୧୧)
୯ଜିସୁ ସେ ଜାଗାଇଅନି ବାରଇ ଜାଇ ପାର୍ତନା ଗରେ ପୁର୍ଲା । ୧୦ତେଇ ଆତ୍ ସୁକିଜାଇରଇଲା ଗଟେକ୍ ଲକ୍ ରଇଲା । ଜିସୁର୍ ଦସ୍ ଦାର୍ବାକେ ପାରୁସିମନ୍ ଗଟେକ୍ ଦଲଅଇ ତେଇ ଜାଗି ରଇଲାଇ । ସେଟାର୍ପାଇ ସେମନ୍ ଜିସୁକେ ପାଚାର୍ଲାଇ, “ବିସ୍ରାମ୍ବାରେ ନିମାନ୍ କର୍ବାଟା ଆମର୍ ନିୟମର୍ ବିରଦ୍ ନଏଁ କି ?”
୧୧ ଜିସୁ କଇଲା, “ଜଦି ବିସ୍ରାମ୍ବାରେ ତମର୍ ବିତ୍ରେ କାର୍ଆଲେ ମେଣ୍ଡା ଗଟେକ୍ ଡେଙ୍ଗ୍ କାଲେ ଅଦର୍ଲେ, ତମେ ତାକେ ଜିକି ନ ଆନାସ୍ କି ? ୧୨ମେଣ୍ଡାର୍ତେଇ ଅନି ଗଟେକ୍ ଲକର୍ ମୁଲିଅ କେତେକ୍ ଅଦିକ୍ । ସେଟାର୍ ପାଇ ଆମେ ବିସ୍ରାମ୍ବାରେ ବିନ୍ ଲକ୍କେ ସାଇଜ କର୍ବାଟା ସାସ୍ତରେ ରଇବା ରିତିନିତିର୍ ବିରଦ୍ ଅଇବା କାମ୍ ନଏଁ ।” ୧୩ଏତ୍କି କଇକରି ସେ ଆତ୍ ସୁକିଜାଇରଇଲା ଲକ୍କେ କଇଲା, “ଆତ୍ ସଲକ୍ କର୍ ।”
ସେ ଲକ୍ ଆତ୍ ସଲକ୍ କଲା ଦାପ୍ରେ, ସେ ଆତ୍ ନିକ ଲକର୍ ଆତ୍ ପାରା ଅଇଗାଲା । ୧୪ତାର୍ପଚେ ପାରୁସିମନ୍ ସେ ଜାଗାଇଅନି ବାରଇ ଉଟିଜାଇ ଜିସୁକେ ମରାଇବାକେ ଜଜ୍ନା କଲାଇ ।
ମାପ୍ରୁ ବାଚିରଇବା ସେବା କାରିଆ
୧୫ତାର୍ ବିରୁଦେ ପାଁଚ୍ବାଟା ସୁନିକରି, ଜିସୁ ସେ ଜାଗା ଚାଡି ବିନେ ଉଟିଗାଲା । କେତେକ୍ କେତେକ୍ ଲକ୍ ତାର୍ ପଚେ ପଚେ ଗାଲାଇ । ଆରି ସେ ସବୁ ରଗି ଲକ୍ମନ୍କେ ନିକ କଲା । ୧୬ତାର୍ ନିଜର୍ ବିସଇ ବିନ୍ ଲକ୍ମନ୍କେ କାଇ ବଲି ନ କୁଆ ବଲି ସେମନ୍କେ ଆଦେସ୍ ଦେଇତେରଇଲା । ୧୭ଜିସାୟ ବବିସତ୍ବକ୍ତାର୍ ଟାନେଅନି ପର୍ମେସର୍ ଜନ୍ କାତା ସୁନାଇରଇଲା, ସେଟା ପୁରାପୁରୁନ୍ କର୍ବାକେ ଏଟା କଲା,
୧୮“ଏ ମର୍ ବାଚିରଇବା ସେବାକାରିଆ ।
ଆକେ ମୁଇ ଆଲାଦ୍ କଲିନି,
ତାର୍ ଲଗେ ମର୍ ସାର୍ଦା । ମର୍ ଆତ୍ମା ତାର୍ ଉପ୍ରେ ଆସି ଡାବି ଅଇସି,
ସେ ସବୁ ଜାତିର୍ ଲଗେ ଜାଇ ମର୍ ଟିକ୍ ବିଚାର୍ନା ଜାନାଇସି ।
୧୯ସେ କାକେ କିରଜାଟି ନ କରେ । ସେ ବେସି ଆଉଲି ନ ଅଏ ।
ସାଇର୍ ମଜାଇ ଟିଆ ନ ଅଏ ଆରି ଜବର୍ ଅଇତେ କାତା ନ କଏ ।
୨୦ଦୁର୍ବଲ୍ ଲକ୍ମନ୍କେ ସେ ଆଲାଦର୍
ଚଲାଚଲ୍ତି କର୍ସି,
ଆରି ଆକା ସାକା ନଇଲା ଲକ୍ମନ୍କେ ଦୟା କର୍ସି ।
ସେମନ୍ ନିଆଇ ନ ପାଇବାଜାକ ସେ
ତାର୍ କାମ୍ ବନ୍ଦ୍ ନ କରେ ।
୨୧ତାକେ ସବୁ ଦେସର୍ ଲକ୍ ଆସା କର୍ବାଇ ।”
ଜିସୁ ଆରି ବାଲ୍ଜିବୁଲ୍
(ମାର୍କ ୩:୨୦-୩୦; ଲୁକ୍ ୧୧:୧୪-୨୩)
୨୨ତାର୍ ପଚେ ଦିନେକ୍ ଲକ୍ମନ୍ ଗଟେକ୍ କାଣା ଅଇ ଗୁଲା ଅଇଜାଇରଇଲା ଲକ୍କେ ଜିସୁର୍ ଲଗେ ଆନ୍ଲାଇ । ତାକେ ଡୁମା ଦାରିରଇଲାଜେ କାତାଅଇ ନାପାର୍ତେ ରଇଲା । ଜିସୁ ତାକେ ନିମାନ୍ କଲା । ଏଦେ ଦେକା ! ସେ ଦେକ୍ଲା ଆରି କାତା କଇପାର୍ଲା । ୨୩ଜିସୁର୍ ଏ କାମ୍ ଦେକି ସବୁ ଲକ୍ କାବା ଅଇଜାଇ ପାଚାର୍ ଉଚାର୍ ଅଇଲାଇ, “ଏ କାଇ ସେ ଦାଉଦର୍ ପଅ କି ?” ୨୪ ଏଟା ସୁନି ପାରୁସିମନ୍ କଇଲାଇ, “ସେ ଡୁମାମନର୍ ମୁକିଅ ବାଲ୍ଜିବୁଲର୍ ଟାନେଅନି ବପୁ ପାଇ ଡୁମା ଚାଡାଇଲାନି ।”
୨୫ଜିସୁ ତାକର୍ ମନର୍ କାତା ଜାନି ସେମନ୍କେ କଇଲା, ଗଟେକ୍ ରାଇଜର୍ ଲକ୍ ବିନ୍ବିନ୍ ଦଲେ ବାଗ୍ ଅଇ ନିଜର୍ ନିଜର୍ ବିତରେ ଲାଗାଲାଗି ଅଇଲେ, ସେ ଦେସ୍ ବେସି ଦିନ୍ ନ ରଏ । କନ୍ଆଲେ ସଅର୍ ନଇଲେ ଗର୍ ବିତ୍ରେ ବିନ୍ ବିନ୍ ଦଲ୍ ଗଡିକରି ଲାଗାଜଡା ଅଇଲେ ସେମନ୍ ଦାପ୍ରେସେ କୁରୁପ୍ନାସ୍ ଅଇଜିବାଇ । ୨୬ସେନ୍ତାରିସେ, ସଇତାନର୍ ରାଇଜେ ଜଦି ଗଟେକ୍ ଦଲ୍ ବିନ୍ ଦଲ୍ ବିରୁଦେ ଲାଗ୍ଲାନି ବଇଲେ, ସେଟା କୁଟ୍କୁଟା ଅଇ ବିଲିଜାଇସି । ଏଟା ଜାନ୍ବାର୍ ଆଚେ । ୨୭ମୁଇ ବାଲ୍ଜିବୁଲର୍ ବପୁ ପାଇ ଡୁମାମନ୍କେ ଚାଡାଇଲିନି ବଲି ତମେ କଇଲାସ୍ନି ତେବେ, ସେମନ୍କେ କେଦ୍ବାକେ ତମର୍ ସିସ୍ମନ୍କେ କେ ବପୁ ଦେଲାନି ? ତମର୍ ସିସ୍ମନର୍ ଏ କାମର୍ ଲାଗି, ତମେ ଦାବି କଲାଟା ମିଚ୍ ବଲି ଜାନାପଡ୍ଲାନି । ୨୮ଡୁମା ଚାଡାଇବା ବପୁ ମୁଇ ବାଲ୍ଜିବୁଲର୍ ଟାନେଅନି ପାଇନାଇ । ସେଟା ମୁଇ ପର୍ମେସରର୍ ଆତ୍ମାର୍ଟାନେଅନି ପାଇଆଚି । ଏଟାର୍ ପାଇ ଆରି ଗଟେକ୍ ବିସଇ ଜାନାପଡି ଗାଲାନିଜେ ସରଗ୍ ରାଇଜ୍ ତମର୍ ଲଗେ ଆସି କେଟିଗାଲାବେ ।
୨୯ଆଗେ ଗଟେକ୍ ବପୁର୍ ଲକ୍କେ ନ ବାନ୍ଦ୍ତେ କେ ମିସା ତାର୍ ଗରେ ପୁରିକରି ଗରେ ରଇଲାଟା ଚରାଇ ନେଇ ନାପାରତ୍ ।
୩୦ ଜେ ମର୍ ବାଟେ ନ ରଏ, ବାଇଦରେ ସେ ମର୍ ବିରୁଦେ ଆଚେ । ଆରି ଜେ ମର୍ ସଙ୍ଗ୍ ମିସିକରି ନ ଟୁଲିଆଏ, ସେ ବିଚିଦେଲାନି । ୩୧ସେଟାର୍ପାଇ ମୁଇ ତମ୍କେ କଇଲିନି, ଜଦି କେ ଆଲେ ପାପ୍ କଲେ କି ନିନ୍ଦା କାତା କଇଲେ ମିସା, ତାର୍ ଲାଗି ତାକେ କେମା ଦିଆଅଇସି । ମାତର୍ କେ ଜଦି ସୁକଲ୍ ଆତ୍ମାର୍ ବିରୁଦେ କାଇ ବଲି କଇସି ବଇଲେ, ତାକେ କେମା ନାଇ । ୩୨ ଜଦି କେ ନର୍ପିଲା, ମର୍ ବିରଦେ ନିନ୍ଦା କାତା କଇଲେ, ତାକେ କେମା ମିଲ୍ସି, ମାତର୍ ଜେ ଜଦି ସୁକଲ୍ ଆତ୍ମାର୍ ବିରୁଦେ ନିନ୍ଦା କାତା କଇଲେ ତାକେ ଏବେ କି ପଚ୍କେ ମିସା କେମା ନ ମିଲେ ।
ଗଚ୍ ଆରି ତାର୍ ପଲ୍
(ଲୁକ୍ ୬:୪୩-୪୫)
୩୩ “ନିକ ପଲ୍ ଦାର୍ବାର୍ଆଲେ ଗଟେକ୍ ଗଚ୍ ନିକ ଅଇବାର୍ ଆଚେ । ବାନିଆ ଗଚେ ବାନିଆ ପଲ୍ ଅଇସି । ଗଚ୍ କେନ୍ତିଟା, ତାର୍ ପଲେ ଅନି ଜାନାପଡ୍ସି । ୩୪ ଏ ସାଁପ୍ ପାରା କାରାପ୍ ଲକ୍ମନ୍ ! ତମେ କାରାପ୍ ଅଇ ନିମାନ୍ କାତା କଇପାରାସ୍ କି ? ମନେ ଚିନ୍ତାକଲାଟା ଟଣ୍ଡ୍ବାଟେ ବାରଇସି । ୩୫ଗଟେକ୍ ନିମାନ୍ ଲକ୍ ତାର୍ ମନ୍ବିତ୍ରେ ଅନି ନିମାନ୍ କାତା ଆନ୍ସି । ଗଟେକ୍ କାରାପ୍ ଲକ୍ ତାର୍ ମନ୍ ବିତ୍ରେ ବର୍ତିଅଇ ରଇବା ବାଦ୍ଲାପାରା କାତା ବାର୍କରାଇ ଆନ୍ସି ।”
୩୬“ତମେ କଇରଇଲା କାଇ ଲଡାକେ ନଇବା ସବୁ କାତା, ବିଚାର୍ନା ଦିନେ ତମ୍କେ ଇସାବ୍ ଦେବାକେ ଅଇସି । ୩୭ତମର୍ କାତାଇଅନି ତମେ ବିଚାର୍ କରାଇଅଇ, ଦସି ନଇଲେ ଦସ୍ ନ କଲା ଲକ୍ ବଲାଇଅଇସା ।”
କାବାଅଇଜିବା କାମ୍ କର୍ବାକେ ଦାବି
(ମାର୍କ ୮:୧୧-୧୨; ଲୁକ୍ ୧୧:୨୯-୩୨)
୩୮ ଗଟେକ୍ ଦିନେ ଜିଉଦି ମନର୍ ନିୟମ୍ ସିକାଇଦେବା ଲକ୍ମନ୍ ଆରି ପାରୁସି ଲକ୍ମନର୍ ବିତ୍ରେଅନି କେତେଲକ୍ ଜିସୁକେ କଇଲାଇ, “ଏ ଗୁରୁ, ତମର୍ ଗଟେକ୍ କାବାଅଇଜିବା ଚିନ୍ ଦେକ୍ବାକେ ଆମେ ମନ୍କଲୁନି ।”
୩୯ ଜିସୁ ସେମନ୍କେ କଇଲା, “ଏ ଜୁଗର୍ ବିସ୍ବାସ୍ ନ କରୁମନ୍ କେଡେ କାରାପ୍, ଆରି ପର୍ମେସର୍କେ ବିସ୍ବାସ୍ କରତ୍ନାଇ । ତମେ ମକେ ଗଟେକ୍ କାବାଅଇଜିବା କାମ୍ ଦେକାଇବାକେ କଇଲାସ୍ନି ? ନାଇ, ଅବ୍କା ବାବବାଦି ଜୁନସର୍ ଜିବନେ ଗଟିରଇଲା କାବାଅଇଜିବାଟା ତମ୍କେ ଦେକାଇଦେଇ ଅଇସି ।”
୪୦“ଜୁନସ୍ ଜେନ୍ତି ମାଚ୍ ପେଟେ ତିନ୍ ଦିନ୍ ତିନ୍ ରାତି ରଇଲା, ସେନ୍ତି ନର୍ପିଲା ମୁଇ ମିସା ମାଟି ତଲେ ତିନ୍ ଦିନ୍ ତିନ୍ ରାତି କାଟାଇବି । ୪୧ଜନ୍ ଦିନେ ପର୍ମେସର୍ ଲକ୍ମନର୍ ବିଚାର୍ କର୍ସି, ସେ ଦିନେ ନିନିବିର୍ ଲକ୍ମନ୍ ତମର୍ ବିରୁଦେ ଦାବି କର୍ବାକେ ଟିଆ ଅଇବାଇ । କାଇକେ ବଇଲେ ସେମନ୍ ଜୁନସର୍ କାତା ସୁନି ପାପ୍ ବାଟେଅନି ବାଅଡ୍ଲାଇ । ମୁଇ ତମ୍କେ କଇଲିନି, ଜୁନସର୍ ଟାନେଅନି ବଡ୍ ଲକ୍ ଇତି ଆଚେ । ୪୨ବିଚାର୍ କର୍ବାବେଲେ ଦକିନ୍ ଦେସେ ରଇବା ସେବା ନାଉଁର୍ ଗଟେକ୍ ଜାଗାର୍ ରାନି, ତମର୍ ଦସ୍ ଦେକାଇବାକେ ଟିଆ ଅଇସି, କାଇକେ ବଇଲେ ସଲମନର୍ ଗିଆନର୍ କାତା ସୁନ୍ବାକେ ବେସି ଦୁର୍ ଦେସେଅନି ସେ ଆସି ରଇଲା । ମାତର୍ ମୁଇ ତମ୍କେ ସତ୍ କଇଲିନି, ସଲ୍ମନର୍ ଟାନେ ଅନି ଗଟେକ୍ ବେସି ବଡ୍ ଲକ୍ ଇତି ଆଚେ ।”
ଡୁମା ବାଅଡ୍ଲା
(ଲୁକ୍ ୧୧:୨୪-୨୬)
୪୩ଜିସୁ ଆରି କଇଲା, ଜେଡେବଲ୍ କାରାପ୍ ଆତ୍ମା ଗଟେକ୍ ଲକର୍ ଗାଗ୍ଡେଅନି ବାରଇ ଜାଇସି, ସେବେଲା, ସେ ରଇବାକେ ମରୁବାଲିବୁଏଁ ଜାଗା କଜି ବୁଲ୍ସି । ମାତର୍ ସେନ୍ତି ଜାଗା ତାକେ ନ ମିଲ୍ଲେ । ୪୪ସେ ବେଲା ସେ କଇସି, “ମୁଇ ଜନ୍ ଲକର୍ତେଇଅନି ବାରଇ ଆଇଲି ଆଚି, ତେଇସେ ଆରିତରେକ୍ ଜିବି” ବଲି ବାଉଡି ଉଟିଜାଇସି । ସେଡିକି ବେଲେ ସେ ଆସିକରି ବିତ୍ରେ ସପାସୁତର୍ ଅଇ ପରିଚଲ୍ ରଇବାଟା ଦେକ୍ଲେ, ସେ ଜାଇ ତାର୍ତେଇଅନି ଅଦିକ୍ କାରାପ୍ ରଇବା ସାତ୍ଟା ଆତ୍ମାମନ୍କେ ଡାକିଆନ୍ସି । ୪୫ତାର୍ ପଚେ ସବୁ କାରାପ୍ ଆତ୍ମାମନ୍ ଜାଇକରି ସେ ଲକର୍ ବିତ୍ରେ ବାସାକରି ରଇବାଇ । ସେ ବେଲା ସେ ଲକ୍ ଆଗ୍ତୁର୍ତେଇଅନି ଅଦିକ୍ କରାପ୍ଅଇଜାଇସି । ଏନ୍ତିସେ ଆଜିକାଲି ଜିଇବା କାରାପ୍ ଲକ୍ମନ୍କେ ଅଇସି । ବଲି କଇଲା ।
ଜିସୁର୍ ଗରର୍ ଲକ୍ମନ୍
(ମାର୍କ ୩:୩୧-୩୫; ଲୁକ୍ ୮:୧୯-୨୧)
୪୬ଜିସୁ ଜେଡେବେଲା ତେଇ ରୁଣ୍ଡିରଇଲା ଲକ୍ମନ୍କେ କାତା ସୁନାଇତେ ରଇଲା, ତାର୍ ଆୟା ଆରି ବାଇମନ୍ ଆସି ଡାଣ୍ଡେ ଟିଆଅଇରଇଲାଇ । ସେମନ୍ ଜିସୁର୍ ସଙ୍ଗ୍ କାତାଅଇବାକେ ମନ୍ କର୍ତେ ରଇଲାଇ । ୪୭ସେଡିକି ବେଲେ ଗଟେକ୍ ଲକ୍ ଜିସୁକେ କଇଲା, “ତର୍ ଆୟା ଆରି ବାଇମନ୍ ଡାଣ୍ଡେ ଜାଗ୍ଲାଇ ଆଚତ୍, ସେମନ୍ ତର୍ ସଙ୍ଗ୍ କାତା ଅଇବାକେ ମନ୍ କଲାଇନି ।”
୪୮ଜିସୁ ସେମନ୍କେ କଇଲା, “କାକେ ମର୍ ଆୟା ଆରି ବାଇମନ୍ ବଲି ବାବ୍ଲାସ୍ନି ?” ୪୯ତାର୍ ସିସ୍ମନର୍ ବାଟେ ଆତ୍ ଦେକାଇ କଇଲା, “ଏ ଲକ୍ମନ୍ସେ ମର୍ ଆୟା ଆରି ବାଇମନ୍ ଅଇବାଇ । ୫୦ଜେ ସର୍ଗେ ରଇବା ମର୍ ବାବାର୍ ମନ୍ କଲା ଇସାବେ କାମ୍ କର୍ସି, ସେମନ୍ ଆକା ମର୍ ବାଇ, ବଇନି ଆରି ଆୟା ଅଇବାଇ ।”