ପିଲାତର୍ ମୁଆଟେ ଜିସୁ
(ମାର୍କ ୧୫:୧; ଲୁକ୍ ୨୩:୧-୨; ଜଅନ୍ ୧୮:୨୮-୩୨)
୧ତାର୍ ଆରକର୍ ଦିନର୍ ସାକାଲ୍ ସାକାଲ୍ ଜିସୁକେ ମରାଇଦେବାକେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ରାଜି ଅଇଲାଇ ।
୨ସେମନ୍ ଜିସୁକେ ସିକିଲି ସଙ୍ଗ୍ ବାନ୍ଦି ରମ୍ରାଇଜର୍ ରାଜା ପିଲାତର୍ ଲଗେ ଦାରିଗାଲାଇ ।
ଜିଉଦାର୍ ମରନ୍
(ପେରିତ୍ ୧:୧୮-୧୯)
୩ ଜେଡେବେଲେ ବିସ୍ବାସେ ବିସ୍ ଦେଉ ଜିଉଦା ଜିସୁକେ ମରନର୍ ଡଣ୍ଡ୍ ଆଦେସ୍ ଅଇଲା ଆଚେ ବଲି ସୁନ୍ଲା, ସେ ଦୁକ୍ ଅଇ ଏତାଇଲା ଆରି ମୁକିଅ ପୁଜାରିମନ୍କେ ଆରି ପାର୍ଚିନ୍ମନ୍କେ ତିରିସ୍ଟା ରୁପାଟାଙ୍ଗା ବାଉଡାଇଦେଇ କଇଲା, ୪“ଗଟେକ୍ କାଇ ଦସ୍ ନ ରଇଲା ଲକ୍କେ ମୁଇ ବିସ୍ବାସେ ବିସ୍ ଦେଲାପାରା କରି ବଡ୍ ପାପ୍ କରିଆଚି ।” ସେମନ୍ କଇଲାଇ, “ତେଇ ଆମର୍ କାଇଟା ଆଚେ ? ସେଟା ତର୍ ନିଜର୍ କାତା ।” ୫ଜିଉଦା ସେମନ୍ ଦେଇରଇବା ରୁପାଟାଙ୍ଗା ମନ୍ଦିର୍ ବିତ୍ରେ ପିଙ୍ଗିଦେଇ ଉଟିଗାଲା । ତାର୍ପଚେ ସେ ଜାଇକରି ଗାଲାଇ ଡର୍ ବାନ୍ଦି ଉଚ୍କିଅଇ ମରିଗାଲା ।
୬ମୁକିଅ ପୁଜାରିମନ୍ ଜିଉଦା ପିଙ୍ଗି ରଇଲା ରୁପାଟାଙ୍ଗାମନ୍ ଟୁଲିଆଇ କଇଲା, “ଏଟା ବନିର୍ ମୁଲିଅ, ଏଟା ମନ୍ଦିରର୍ ଦାନ୍ଦେବା ଜାଗାଇ ସଙ୍ଗଇବାଟା ନିୟମ୍ ବିରୁଦର୍ କାମ୍ ।” ୭ସେ ଡାବୁ କେନ୍ତାରି କର୍ଚ କରିଅଇସି, ଏ ବିସଇର୍ କାତାବାର୍ତା ଅଇ କୁମାର୍କେତ୍ ନାଉଁର୍ କଣ୍ଡେକ୍ ଜମି ଗେନ୍ଲାଇ । ଏଟା ବିନ୍ ଦେସର୍ ମଲା ଲକ୍ମନର୍ ପାଇ କବର୍ ଦେବା ଜାଗା ଅଇଲା । ୮ତେବର୍ ପାଇ ଆଜିକେ ଜାକ ସେ ଜାଗାକେ ବନିର୍ ଜାଗାବଲିକରି କଇଲାଇନି । ୯ଏ ବିସଇ ନେଇକରି ଜିରିମିୟ ବବିସତ୍ବକ୍ତା ଜେନ୍ତି କଇରଇଲା, ସେଟା ପୁରାପୁରୁନ୍ ଅଇଲା । ଜନ୍ଟା ତିରିସ୍ ଟାଙ୍ଗାକେ ବିକ୍ବାକେ ଇସ୍ରାଇଲର୍ ପିଲାମନ୍ ରାଜି କରିରଇଲାଇ ସେଟା ନେଲାଇ । ୧୦ଆରି ତିରିସ୍ଟା ଅଦ୍ଲି ଡାବୁ ନେଇ ସେମନ୍ କୁମାର୍ କେତ୍ ଗେନ୍ଲାଇ । ଏଟା କର୍ବାକେ ମକେ ମାପ୍ରୁ ଆଦେସ୍ ଦେଇରଇଲା ।
ପିଲାତ୍ ଜିସୁକେ ଆଡୁଆ ତାଡୁଆ ପାଚାର୍ଲା
(ମାର୍କ ୧୫:୨-୫; ଲୁକ୍ ୨୩:୩-୫; ଜଅନ୍ ୧୮:୩୩-୩୮)
୧୧ଜିସୁର୍ ମୁଆଟେ ଦେକି ରମ୍ ରାଇଜର୍ ସାସନ୍କାରିଆ ପିଲାତ ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା କି ?” ଜିସୁ ତାକେ କଇଲା, ତୁଇ ସେଟା କଇଲୁସ୍ନି । ୧୨ମାତର୍ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ଜିସୁର୍ ବିରୁଦେ ଆନିରଇବା ନିନ୍ଦା କାତାର୍ କାଇମିସା ଉତର୍ ଦେଏ ନାଇ ।
୧୩ତେବର୍ ପାଇ ପିଲାତ୍ ତାକେ କଇଲା, ତର୍ ବିରୁଦେ ସେମନ୍ ଜାଇ ଜାଇଟା କଇଲାଇନି ସେଟା କାଇ ତୁଇ ସୁନି ନାପାର୍ଲୁସ୍ନି କି ? ୧୪ମାତର୍ ଜିସୁ ପଦେକ୍ ମିସା କଏନାଇ ଜେ ପିଲାତ୍ କାବାଅଇଗାଲା ।
ଜିସୁକେ ମରନର୍ ଡଣ୍ଡ୍ ଦେଲା
(ମାର୍କ ୧୫:୬-୧୫; ଲୁକ୍ ୨୩:୧୩-୨୫; ଜଅନ୍ ୧୮:୩୯;୧୯:୧୬)
୧୫ନିସ୍ତାର୍ ପରବ୍ ବେଲେ ରମିୟ ସାସନ୍କାରିଆ ଲକ୍ମନର୍ ମନ୍ କଲା ଇସାବେ କାକେ ମିସା ଗଟେକ୍ ବନ୍ଦି ଲକ୍କେ ବନ୍ଦିଗରେଅନି ମୁକ୍ଲାଇଦେବା ରିତିନିତି ରଇଲା । ୧୬ସେବେଲେ ବାର୍ବା ନାଉଁର୍ ଗଟେକ୍ ବଡ୍ ଟାଉଟରିଆ ନର୍ମାରୁ ବନ୍ଦି ଅଇରଇଲା । ୧୭ତେଇ ଆସି ରଇଲା ଲକ୍ମନ୍କେ ପିଲାତ୍ ପାଚାର୍ଲା, “ମୁଇ କାକେ ମୁକ୍ଲାଇ ଦେବି ବଲି ତମେ ମନ୍ କଲାସ୍ନି ? ବାର୍ବାକେ କି ଜିସୁକେ, ଜାକେ କିରିସ୍ଟ ବଲି କଇବାଇ ?” ୧୮ପିଲାତ୍, ଜିଉଦି ନେତାମନ୍ ଆଁକାର୍ ଅଇ ଜିସୁକେ ତାର୍ଟାନେ ସର୍ପିଦେଇ ଆଚତ୍ ବଲି ନିକ ସଙ୍ଗ୍ ଜାନିରଇଲା ।
୧୯ପିଲାତ୍ ବିଚାର୍ନା ଜାଗାଇ ବସି ରଇଲାବେଲେ ତାର୍ ମାଇଜି ଗଟେକ୍ କବର୍ କଇଲା, “କାଇ ଦସ୍ପାପ୍ ନ କଲା ସେ ଲକ୍କେ କାଇଟା କରା ନାଇ । କାଲି ରାତି ସପ୍ନେ ତାର୍ ଲାଗି ମୁଇ ବେସି କସ୍ଟ ପାଇଲି । ”
୨୦ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ବାର୍ବାକେ ମୁକ୍ଲାଇ ଦେଇକରି, ଜିସୁକେ ମରନ୍ ଡଣ୍ଡ୍ ଦେବାକେ ଲକ୍ମନ୍କେ ପିଲାତର୍ ଲଗେ ଜାଇ ଦାବି କର୍ବାକେ ଉସ୍କାଇଲାଇ । ୨୧ପିଲାତ୍ ଆରି ତରେକ୍ ଲକ୍ମନ୍କେ ପାଚାର୍ଲା, “ମୁଇ ଏ ଦୁଇ ଲକର୍ ବିତ୍ରେଅନି କାକେ ମୁକ୍ଲାଇ ଦେବି ବଲି ତମେ ମନ୍ କଲାସ୍ନି ?”
ସେମନ୍ କଇଲାଇ, “ବାର୍ବାକେ ”
୨୨ପିଲାତ୍ ପାଚାର୍ଲା, “ତେବେ ସବୁ ଲକ୍ ମସିଅ ବଲି ଜାନିରଇଲା ଜିସୁକେ ମୁଇ କାଇଟା କର୍ବି ?” “ତାକେ କୁର୍ସେ ଚଗାଆ” ବଲି ସବୁଲକ୍ ଆଉଲି ଅଇଲାଇ ।
୨୩ପିଲାତ୍ ପାଚାର୍ଲା, “ମାତର୍ ସେ କାଇ ଦସ୍ କଲା ଆଚେ ?”
ସେମନ୍ ଆରି ଅଦିକ୍ ଆଉଲିଅଇ କଇବାର୍ ଦାର୍ଲାଇ “ତାକେ କୁର୍ସେ ଚଗାଆ ।”
୨୪ଜେଡେବେଲେ ପିଲାତ୍ ଦେକ୍ଲା ଜେ ସେମନ୍କେ ଆରି କାଇଟା କଇକରି ମିସା ଲାବ୍ ନାଇ, ନଇଲେ ଗଣ୍ଡ୍ଗଲ୍ ଅଇବାର୍ ଉପ୍ରେ ଆଚେ, ସେ ପାନି ଗୁଡିକ୍ ନେଇ, ସବୁ ଲକ୍ମନର୍ ମୁଆଟେ ଆତ୍ ଦଇପାକାଇ କଇଲା, “ଏ ଲକର୍ ମରନର୍ ପାଇ ମୁଇ ଦାଇ ନାଇ । ଏଟା ତମର୍ କାମ୍ ।”
୨୫ଲକ୍ମନ୍ କଇଲାଇ, “ତାର୍ ମରନର୍ ଡଣ୍ଡର୍ ଦସ୍ ପାଇବାର୍ ରଇଲେ, ସେ ଦସ୍ ଆମ୍କେ ଆରି ଆମର୍ ପିଲାଜିଲାକେ ପଡ ।”
୨୬ସାରାସାରି ପିଲାତ୍ ବାର୍ବାକେ ମୁକ୍ଲାଇଦେଇ ଜିସୁକେ କର୍ଡା ସଙ୍ଗ୍ ମାର୍ବାକେ ଆଦେସ୍ ଦେଲା, ତାର୍ ପଚେ କୁର୍ସେ ମରାଇବା ପାଇ ସନିଅମନ୍କେ ସର୍ପି ଦେଲାଇ ।
ସନିଅମନ୍ ଜିସୁକେ କିଜାଇଲାଇ
(ମାର୍କ ୧୫:୧୬-୨୦; ଜଅନ୍ ୧୯:୨-୩)
୨୭ପିଲାତର୍ ସନିଅମନ୍ ଜିସୁକେ ରମିୟ ସାସନ୍କାରିଆର୍ ଗରେ ଦାରି ଗାଲାଇ ଆରି ତାର୍ ଚାରିବେଟ୍ତି ଟିଆଅଇଲାଇ । ୨୮ସେ ପିନ୍ଦି ରଇବାଟା ବେଟି ନେଇକରି ତାକେ ଗଟେକ୍ ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦାଇ ଦେଲାଇ । ୨୯କାଟାର୍ ମୁକୁଟ୍ ତିଆର୍ କରି ତାର୍ ମୁଣ୍ଡେ ପିନ୍ଦାଇ ଦେଲାଇ ଆରି ତାର୍ ଉଜା ଆତେ ଗଟେକ୍ ଡାଙ୍ଗ୍ ଦାରାଇ ଦେଲାଇ । ତାର୍ ପଚେ, ତାର୍ ମୁଆଟେ ମାଣ୍ଡିକୁଟା ଦେଇ କିଜାଇକରି କଇଲାଇ, “ଏ ଜିଉଦିମନର୍ ରାଜା ! ବେସି ଦିନ୍ ବଁଚି ରଅ ।” ୩୦ସେମନ୍ ଜିସୁର୍ ଉପ୍ରେ ତୁକି ପାକାଇଲାଇ ଆରି ସେ ଦାରି ରଇବା ଡାଙ୍ଗ୍ସଙ୍ଗ୍ ତାର୍ ମୁଣ୍ଡେ ମାର୍ଲାଇ । ୩୧ତାକେ ଏନ୍ତାରି କିଜାଇ ସାର୍ଲା ପଚେ ରାଜା ପିନ୍ଦ୍ବା ବସ୍ତର୍ ବେଟିଦେଇ ତାର୍ ନିଜର୍ ବସ୍ତର୍ ପିନ୍ଦାଇଦେଲାଇ ଆରି ତେଇଅନି ତାକେ କୁର୍ସେ ଚଗାଇବାକେ ଦାରିଗାଲାଇ ।
ଜିସୁକେ କୁର୍ସେ ଚଗାଇଲାଇ
(ମାର୍କ ୧୫:୨୧-୩୨; ଲୁକ୍ ୨୩:୨୬-୪୩; ଜଅନ୍ ୧୯:୧୭-୨୭)
୩୨ସେମନ୍ ଜିବାବାଟେ କୁରିଣି ସଅରର୍ ସିମନ୍ ନାଉଁର୍ ଗଟେକ୍ ଲକ୍କେ ବେଟ୍ଅଇଲାଇ ଆରି ସନିଅମନ୍ ତାକେ ଜିସୁର୍ କୁର୍ସ ବଇ ନେବାକେ ବାଦିଅ କଲାଇ ।
୩୩ସେମନ୍ ଗଲ୍ଗତା ନାଉଁର୍ ଗଟେକ୍ ଜାଗାଇ କେଟ୍ଲାଇ । ଗଲ୍ଗତାର୍ ଅରତ୍ ଅଇଲାନି, ମୁଣ୍ଡ୍ଗିଗ୍ଡି ପାରା ରଇବା ଜାଗା । ୩୪ତେଇ ସେମନ୍ ଜିସୁକେ ପିତା ରଇବା ଅଙ୍ଗୁର୍ ରସ୍ କାଇବାକେ ଦେଲାଇ । ସେଟା ଜିସୁ ଅଲପ୍ ଚାକିକରି ଆରି କାଏନାଇ ।
୩୫ସେମନ୍ ଜିସୁକେ କୁର୍ସେ ମାରି କରି ସେ ପିନ୍ଦିରଇବା ବସ୍ତର୍ ତାକର୍ ତାକର୍ ବିତ୍ରେ କେଡ୍ପୁଟାଇ ବାଟାକରି ନେଲାଇ । ୩୬ତାର୍ପଚେ ସେମନ୍ କୁର୍ସେ ଚଗାଇଲା ଜିସୁକେ, ତେଇ ଜାଗି ରଇଲାଇ । ୩୭ତାର୍ ବିରୁଦେ ଲେକାଅଇରଇବା ଗଟେକ୍ ବରଡ୍ ଲେକି ତାର୍ ମୁଣ୍ଡ୍ ଉପ୍ରେ, ଜୁଲାଇ ରଇଲାଇ । ସେ ବରଡ୍ ଲଗେ ଏନ୍ତି ଲେକାଅଇରଇଲା, ଏ ଅଇଲାନି ଜିଉଦିମନର୍ ରାଜା, ଜିସୁ ।
୩୮ତାର୍ପଚେ ସେମନ୍ ତେଇ ଦୁଇଟା ଚର୍ମନ୍କେ ଆନ୍ଲାଇ । ଗଟେକ୍କେ ଜିସୁର୍ ଉଜା ବାଟେ ଆରି ଗଟେକ୍କେ ତାର୍ ଡେବ୍ରି ବାଟେ କୁର୍ସେ ଚଗାଇଲାଇ ।
୩୯ସେବାଟେ ଜାଇତେ ରଇବା ଲକ୍ମନ୍ ମୁଣ୍ଡ୍ ଜୁଲାଇ ଜୁଲାଇ ଜିସୁକେ କିଜାଇ କିଜାଇ କଇଲାଇ, ୪୦ “ ତୁଇସେ କାଇକି ମନ୍ଦିର୍ ବସ୍ଲାଇଦେଇ ତିନ୍ ଦିନ୍କେ ଆରି ତରେକ୍ ତିଆର୍ କରିଦେଇତେ ରଇଲୁସ୍ ? ତୁଇ ଜଦି ପର୍ମେସରର୍ ପଅ, ନିଜ୍କେ ରକିଆ କର୍ ଆରି କୁର୍ସେଅନି ଉତ୍ରି ଆଉ ।”
୪୧ମୁକିଅ ପୁଜାରି, ଦରମ୍ ଗୁରୁ ଆରି ଜିଉଦି ଜାତିର୍ ପାର୍ଚିନ୍ ନେତାମନ୍ ମିସା ଜିସୁକେ କିଜାଇକରି କଇଲାଇ, ୪୨“ସେ ବିନ୍ ଲକ୍ମନ୍କେ ରକିଆ କର୍ତେ ରଇଲା, ମାତର୍ ନିଜ୍କେ ରକିଆ କରିନାପାର୍ଲାନି । ସେ ଇସ୍ରାଏଲର୍ ରାଜା କାଇକି ? ଏବେ ଜଦି ସେ କୁର୍ସେଅନି ଉତ୍ରି ଆସି ପାର୍ସି ବଇଲେ ଆମେ ତାକେ ବିସ୍ବାସ୍ କର୍ବୁ । ୪୩ସେ ନିଜେ ମୁଇ ପର୍ମେସରର୍ ପଅ ବଲି କଇ, ପର୍ମେସର୍ଟାନେ ଆସା କଲାଆଚେ । ଆଲେ ଦେକୁ ତେବେ, ପର୍ମେସର୍ ତାକେ ଏବେ ରକିଆ କର୍ବାକେ ମନ୍ କଲାନି କି ନାଇ ।”
୪୪ଜିସୁର୍ ସଙ୍ଗ୍ କୁର୍ସେ ଚଗିରଇବା ଦୁଇଟା ଚର୍ମନ୍ ମିସା ତାକେ ସେନ୍ତାରି କିଜାଇଲାଇ ।
ଜିସୁର୍ ମରନ୍
(ମାର୍କ ୧୫:୩୩-୪୧; ଲୁକ୍ ୨୩:୪୪-୪୯; ଜଅନ୍ ୧୯:୨୮-୩୦)
୪୫ସେ ଦିନେ ମୁଣ୍ଡ୍ବେଲାଇ ଅନି ଆଡ୍ବେଲାଇ ଜାକ ଗୁଲାଇ ଜଗତ୍ ଆନ୍ଦାର୍ ଅଇଗାଲା ଆରି ସେଟା ତିନ୍ ଗନ୍ଟାଜାକ ରଇଲା ।
୪୬ଆଡ୍ବେଲାର୍ ତିନ୍ଟା ବେଲେ ଜିସୁ ଆକ୍ମାରି କଇଲା, “ଏଲି, ଏଲି, ଲାମାସବକ୍ତାନି, ବଇଲେ ଏ ମର୍ ପର୍ମେସର୍, ଏ ମର୍ ପର୍ମେସର୍, ମକେ ତମେ କାଇକେ ଚାଡିଦେଲାସ୍ ?”
୪୭ଲଗେ ଟିଆ ଅଇରଇବା କେତେ ଲକ୍ ଏଟା ସୁନିକରି କଇଲାଇ, “ସେ ଏଲିୟକେ ଡାକ୍ଲାନି ।”
୪୮ଗଟେକ୍ ଲକ୍ ପାଲାଇ ଜାଇ ପିତା ରଇଲା ଅଙ୍ଗୁର୍ରସ୍ଟାନେ ଗଟେକ୍ ସୁତାର୍ ଗର୍ଣ୍ଡା ବୁଡାଇଲା । ଆରି ସେଟା ଲାଟି ଟିପେ ବାନ୍ଦି କାଅ ବଲି ଜିସୁର୍ ମୁଆଟେ ଲାମାଇଦେଲା ।
୪୯ବିନ୍ ଲକ୍ମନ୍ କଇଲାଇ “ଚନେକ୍ ଜାଗା, ତାକେ ଏଲିୟ ରକିଆ କର୍ବାକେ ଆଇଲାନି କି ନାଇ ଦେକିଦେକୁ ।” ୫୦ଜିସୁ ଆରି ତରେକ୍ ଆକ୍ମାରିକରି, ସାରାସାରି ଜିବନ୍ ଚାଡିଗାଲା ।
୫୧ସେଡ୍କି ବେଲେ ମନ୍ଦିରେ ଜୁଲ୍ତେ ରଇବା ପାର୍ଦା ଉପ୍ରେଅନି ତଲେ ଜାକ ଦୁଇ ଗନ୍ଦାଅଇ ଚିରିଅଇଗାଲା । ଦର୍ତନି ଚୁଲ୍ବୁଲି ପାକ୍ନାମନ୍ ସବୁ ପୁଟିଗାଲା ୫୨ଆରି କବର୍ ଦେଇରଇବା କାଲ୍ମନ୍ ଉଗାଡିଅଇ କେତେକ୍ କେତେକ୍ ପର୍ମେସରର୍ ଦରମ୍ ଲକ୍ମନ୍ ଆରିତରେକ୍ ଜିବନ୍ ଅଇ ଉଟ୍ଲାଇ । ୫୩ସେମନ୍ କବର୍ ଦେଇରଇବା କାଲେଅନି ଉଟି ଆଇଲାଇ । ଜିସୁ ଆରିତରେକ୍ ଉଟ୍ଲା ପଚେ ଲକ୍ମନ୍, ଏମନ୍କେ ସୁକଲ୍ ଜାଗା ଜିରୁସାଲମେ ଜିବାଟା ଦେକ୍ଲାଇ ।
୫୪ଦର୍ତନି ଚୁଲ୍ବୁଲି ବିନ୍ ବିନ୍ ଗଟ୍ନା ଅଇବାଟା ଦେକି, ଜିସୁକେ ଜାଗିରଇବା ସନିଅମନର୍ ମୁକିଅ ଆରି ବିନ୍ ସନିଅମନ୍ ଡରିଗାଲାଇ । ସେମନ୍ କଇଲାଇ, “ସତଇସେ ଏ ନିଜେ ପର୍ମେସରର୍ ପଅ ଆକା !”
୫୫ ଗାଲିଲିଅନି ଜିସୁର୍ ସଙ୍ଗ୍ ରଇକରି ତାକେ ସାଇଜ କରିରଇବା କେତେଟା ମାଇଜି ଦୁରିକେ ରଇକରି ଏଟା ସବୁ ଦେକ୍ତେ ରଇଲାଇ । ୫୬ସେମନର୍ ବିତ୍ରେ ମଗ୍ଦଲିନି ମରିୟମ୍, ଜାକୁବ୍ ଆରି ଜସେପର୍ ମାଆ ମରିୟମ୍ ଆରି ଜେବଦିର୍ ମାଇଜି ରଇଲାଇ ।
ଜିସୁକେ କବର୍ ଦେଲାଇ
(ମାର୍କ ୧୫:୪୨-୪୭; ଲୁକ୍ ୨୩:୫୦-୫୬; ଜଅନ୍ ୧୯:୩୮-୪୨)
୫୭ସଞ୍ଜ୍ବେଲାଇ ଆରାମାତିଆ ସଅରର୍ ଜସେପ୍ ନାଉଁର୍ ଗଟେକ୍ ସାଉକାର୍ ଆସି କେଟ୍ଲା । ସେ ମିସା ଗଟେକ୍ ସିସ୍ ରଇଲା । ୫୮ସେ ପିଲାତ୍କେ ବେଟ୍ଅଇକରି ଜିସୁର୍ ମଲାମଡ୍ ଦାରିଜିବାକେ ଗୁଆରି କଲା । ଜସେପ୍ ଗୁଆର୍ଲାକେ ପିଲାତ୍ ମଡ୍ ନେବାକେ ଆଦେସ୍ ଦେଲା । ୫୯ସେ ଜିସୁର୍ ଗାଗଡ୍ ଦାରିଗାଲା ଆରି ଗଟେକ୍ ନୁଆ ଚାଦର୍ ଗର୍ଣ୍ଡାଇ ଗୁଡିଆଇ ଦେଲା । ୬୦ପାକ୍ନାଇ ତାକର୍ ନିଜର୍ ପାଇ କୁନି ରଇବା ଗଟେକ୍ ନୁଆ କବର୍ ଦେବା ପାଆରେ ସେଟା ନେଇ ସଙ୍ଗଇଲା ଆରି ସେ ପାଆର୍ ମୁଆଟେ ଗଟେକ୍ ବଡ୍ଟା ଚାଚଡା ପାକ୍ନା ଡାବିଦେଇ ଉଟିଗାଲା । ୬୧ମଗ୍ଦଲିନି ମରିୟମ୍ ଆରି ବିନ୍ ମରିୟମ୍ ଜିସୁକେ କବର୍ ଦେଲା ପାଆର୍ ମୁଆଟେ ବସି ରଇଲାଇ ।
ମସନ୍ ଜାଗୁଆଲ୍ମନ୍
୬୨ତାର୍ ଆର୍କର୍ ଦିନର୍ ବିସ୍ରାମ୍ବାରେ ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ପିଲାତ୍କେ ବେଟ୍ଅଇ କଇଲାଇ, ୬୩ “ଆଗିଆଁ, ସେ ବେସି ମିଚୁଆଟା । ବଁଚିରଇଲାବେଲେ ‘ମୁଇ ତିନ୍ଦିନ୍ ପଚେ ଆରିତରେକ୍ ଉଟ୍ବି’ ବଲି କଇତେ ରଇଲା । ଏଟା ଆମର୍ ମନେ ଆଚେ । ୬୪ତେବର୍ ପାଇ ତିନ୍ ଦିନ୍ ଜାକ ତାକେ କବର୍ ଦେଲାଟାନେ ଜାଗୁଆଲ୍ ଦାର୍ବାକେ ଆଦେସ୍ ଦିଆସ୍ । ସେନ୍ତି କଲେ ତାର୍ ସିସ୍ମନ୍ ତାର୍ ଗାଗଡ୍ ଚରାଇନେଇ ସେ ଜିବନ୍ ଅଇକରି ମଲାତେଇଅନି ଉଟ୍ଲା ବଲି କଇନାପାରତ୍ ।” ସେମନର୍ ଏନ୍ତାରି ମିଚ୍ କାତା ଜାନାଇବାଟା ସବୁର୍ଟାନେଅନି ଅଦିକ୍ କେତି ଅଇସି ।
୬୫ପିଲାତ୍ କଇଲା, “ଗଟେକ୍ ଦଲ୍ ଜାଗୁଆଲ୍ମନ୍କେ ନିଆ ଆରି ତାକେ କବର୍ ଦେଲାଟାନେ କାଇଟା ନ ପୁର୍ଲା ପାରା ଜାଗାଆ ।”
୬୬ସେମନ୍ ଜାଇକରି ଜିସୁକେ କବର୍ ଦେଲାଟାନେ ଜାଗ୍ବାକେ ସନିଅମନ୍ ଟିକ୍ କଲାଇ । କବର୍ ମୁଆଟେ ଡାବି ରଇବା ପାକ୍ନା ଉପ୍ରେ ସିଲ୍ମାରି ଜାଗୁଆଲ୍ମନ୍କେ ଜାଗାଇଲାଇ ।