ଥେସଲନୀକୀରେ ପାଉଲଙ୍କ ସେବାକାର୍ଯ୍ୟ
୧ ହେ ଭାଇମାନେ, ତୁମ୍ଭେମାନେ ନିଜେ ଜାଣ ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ବ୍ୟର୍ଥ ହୋଇ ନାହିଁ । ୨ ମାତ୍ର ଯେପରି ତୁମ୍ଭେମାନେ ଜାଣ, ଆମ୍ଭେମାନେ ସେଥିପୂର୍ବେ ଫିଲିପ୍ପୀରେ ଦୁଃଖ ଓ ଅତ୍ୟାଚାର ଭୋଗ କଲା ଉତ୍ତାରେ ତୁମ୍ଭମାନଙ୍କ ନିକଟରେ ଅତିଶୟ ପ୍ରାଣପଣେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ୱରଙ୍କ ଦ୍ୱାରା ସାହସ ପ୍ରାପ୍ତ ହୋଇଥିଲୁ । ୩ କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅଶୁଚିତାମୂଳକ କିଅବା ଛଳଯୁକ୍ତ ନ ଥିଲା, ୪ କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚାର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେରୂପେ ଈଶ୍ୱରଙ୍କ ଦ୍ୱାରା ଯୋଗ୍ୟ ଗଣିତ ହୋଇଅଛୁ, ସେହିରୂପେ ଆମ୍ଭେମାନେ ପ୍ରଚାର କରୁଅଛୁ; ଅତଏବ ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ ଈଶ୍ୱର, ବରଂ ଆମ୍ଭେମାନେ ମନୁଷ୍ୟକୁ ସନ୍ତୁଷ୍ଟ ନ କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁଅଛୁ । ୫ ତୁମ୍ଭେମାନେ ତ ଜାଣ ଯେ, ଆମ୍ଭେମାନେ କୌଣସି ପ୍ରକାର ଚାଟୁବାଦ ବ୍ୟବହାର କରି ନାହୁଁ, କିଅବା ଲୋଭର ଛଳନାତ୍ମକ ବାକ୍ୟ କହିନାହୁଁ, ଈଶ୍ୱର ଏଥିର ସାକ୍ଷୀ । ୬ ଯଦ୍ୟପି ଖ୍ରୀଷ୍ଟଙ୍କ ପ୍ରେରିତ ସ୍ୱରୂପେ ଆମ୍ଭେମାନେ ସମ୍ଭ୍ରମ ଦାବି କରି ପାରିଥାନ୍ତୁ, ତଥାପି ତୁମ୍ଭମାନଙ୍କର ଠାରୁ ହେଉ ବା ଅନ୍ୟ କାହାରିଠାରୁ ହେଉ କୌଣସି ମନୁଷ୍ୟଠାରୁ ଗୌରବ ପାଇବାକୁ ଚେଷ୍ଟା କରି ନାହୁଁ । ୭ କିନ୍ତୁ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ମୃଦୁଶୀଳ ହୋଇ, ମାତା ଯେପରି ଆପଣା ସନ୍ତାନମାନଙ୍କୁ ଲାଳନପାଳନ କରେ, ୮ ସେହି ପ୍ରକାରେ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ସ୍ନେହ ଥିବାରୁ ଆମ୍ଭେମାନେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ସୁସମାଚାର କେବଳ ନୁହେଁ, ମାତ୍ର ଆପଣା ପ୍ରାଣ ଦେବାକୁ ସୁଧା ଇଚ୍ଛୁକ ଥିଲୁ, କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରିୟପାତ୍ର ହୋଇଥିଲ । ୯ ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟ ତୁମ୍ଭମାନଙ୍କ ସ୍ମରଣରେ ଅଛି; ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ କାହାରି ଭାର ସ୍ୱରୂପ ନ ହେଉ, ଏଥି ନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଈଶ୍ୱରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ । ୧୦ ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭେମାନେ କିପରି ପବିତ୍ର, ଧାର୍ମିକ ଓ ଅନିନ୍ଦନୀୟ ବ୍ୟବହାର କରିଥିଲୁ, ସେଥିର ତୁମ୍ଭେମାନେ ସାକ୍ଷୀ, ପୁଣି, ଈଶ୍ୱର ମଧ୍ୟ ସାକ୍ଷୀ । ୧୧ ଆଉ ତୁମ୍ଭେମାନେ ତ ଜାଣ, ପିତା ଯେପ୍ରକାରେ ନିଜ ସନ୍ତାନମାନଙ୍କୁ ଶିକ୍ଷା ଦିଅନ୍ତି, ସେହି ପ୍ରକାରେ ଆମ୍ଭେମାନେ ତୁମ୍ଭ ପ୍ରତ୍ୟେକ ଜଣକୁ ଉପଦେଶ ଓ ଉତ୍ସାହ ଦେଇ ଏକାନ୍ତ ଅନୁରୋଧ କରିଥିଲୁ, ୧୨ ଯେପରି ତୁମ୍ଭମାନଙ୍କ ଆହ୍ୱାନକାରୀ ଈଶ୍ୱରଙ୍କ ଯୋଗ୍ୟ ଆଚରଣ କରି, ତାହାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହୋଇ ପାର । ୧୩ ଆଉ, ଏହି କାରଣରୁ ଆମ୍ଭେମାନେ ମଧ୍ୟ ନିରନ୍ତର ଈଶ୍ୱରଙ୍କ ଧନ୍ୟବାଦ କରୁଅଛୁ ଯେ, ଯେତେବେଳେ ତୁମ୍ଭେମାନେ ଆମ୍ଭମାନଙ୍କ ଦ୍ୱାରା ପ୍ରଚାରିତ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କଲ, ସେତେବେଳେ ସେହି ବାକ୍ୟକୁ ମନୁଷ୍ୟର ବାକ୍ୟ ରୂପେ ଗ୍ରହଣ ନ କରି ବରଂ ଈଶ୍ୱରଙ୍କ ବାକ୍ୟ ସ୍ୱରୂପେ ଗ୍ରହଣ କରିଥିଲ, ଆଉ ବାସ୍ତବରେ ତାହା ଈଶ୍ୱରଙ୍କ ବାକ୍ୟ ଅଟେ, ପୁଣି, ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଅନ୍ତରରେ ତାହା ମଧ୍ୟ କାର୍ଯ୍ୟ ସାଧନ କରୁଅଛି । ୧୪ କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦା ଦେଶସ୍ଥ ମଣ୍ଡଳୀସମୁହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୂଦୀମାନଙ୍କ ଦ୍ୱାରା ଯେଉଁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ୱଜାତୀୟମାନଙ୍କ ଦ୍ୱାରା ସେହି ସବୁ ଦୁଃଖଭୋଗ କରୁଅଛ । ୧୫ ସେହି ଯିହୂଦୀମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ, ପୁଣି, ଭାବବାଦୀମାନଙ୍କୁ ମଧ୍ୟ ବଧ କରିଥିଲେ, ଆଉ ଆମ୍ଭମାନଙ୍କୁ ତାଡନା କଲେ; ସେମାନେ ଈଶ୍ୱରଙ୍କ ଅସନ୍ତୋଷପାତ୍ର ଓ ସମସ୍ତ ମାନବଜାତିର ବିପକ୍ଷ, ୧୬ କାରଣ ଅଣଯିହୂଦୀମାନଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ସର୍ବଦା ଆମ୍ଭମାନଙ୍କୁ ବାଧା ଦିଅନ୍ତି, ପୁଣି, ସେମାନେ ପାପରେ ଆପଣା ଆପଣାକୁ ପରିପୂର୍ଣ୍ଣ କରୁଥାନ୍ତି; ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ତ୍ତିଲାଣି ।
ପୁନଃ ଯାତ୍ରା ପାଇଁ ପାଉଲଙ୍କ ଆଗ୍ରହ
୧୭ କିନ୍ତୁ, ହେ ଭାଇମାନେ, ଆମ୍ଭେମାନେ ହୃଦୟରେ ନୁହେଁ, ମାତ୍ର ଶରୀରରେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କଠାରୁ ବିଚ୍ଛିନ୍ନ ହୋଇଥିବାରୁ ତୁମ୍ଭମାନଙ୍କ ମୁଖ ଦେଖିବାକୁ ଅତ୍ୟନ୍ତ ଆକାଂକ୍ଷା ସହକାରେ ଅଧିକ ଚେଷ୍ଟା କରିଥିଲୁ । ୧୮ ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମନସ୍ଥ କରିଥିଲୁ, ବିଶେଷରେ ମୁଁ ପାଉଲ ଥରେ, ହଁ, ଦୁଇ ଥର ମନସ୍ଥ କରିଥିଲି, କିନ୍ତୁ ଶୟତାନ ଆମ୍ଭମାନଙ୍କୁ ବାଧା ଦେଲା । ୧୯ କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭମାନଙ୍କ ଭରସା, ଆନନ୍ଦ କି ଦର୍ପର ମୁକୁଟ କ'ଣ ? ତାହା କି ତୁମ୍ଭେମାନେ ନୁହଁ? ୨୦ ତୁମ୍ଭେମାନେ ତ ଆମ୍ଭମାନଙ୍କ ଗୌରବ ଓ ଆନନ୍ଦର କାରଣ ଅଟ ।