ତୀମଥିଙ୍କୁ ପଠାଇବା
୧ ଅତଏବ ଆମ୍ଭେମାନେ ଆଉ ସହି ନ ପାରିବାରୁ ଆଥୀନୀରେ ଏକାକୀ ପଛରେ ରହିବା ପାଇଁ ସ୍ଥିର କଲୁ; ୨ ପୁଣି, ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଓ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ, ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଈଶ୍ୱରଙ୍କ ସହକାର୍ଯ୍ୟକାରୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ, ୩ ଯେପରି କେହି ଏହି ସମସ୍ତ କ୍ଲେଶ ମଧ୍ୟରେ ବିଚଳିତ ନ ହୁଏ । କାରଣ ଆମ୍ଭେମାନେ ଏଥି ନିମନ୍ତେ ନିରୁପିତ ବୋଲି ତୁମ୍ଭେମାନେ ତ ଜାଣ । ୪ ଆମ୍ଭମାନଙ୍କୁ ଯେ କ୍ଲେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୁର୍ବରୁ ଥରକୁଥର କହିଥିଲୁ, ପୁଣି, ସେହିପରି ଘଟିଅଛି, ତୁମ୍ଭେମାନେ ତାହା ଜାଣ । ୫ ଏଥି ନିମନ୍ତେ, କାଳେ ପରୀକ୍ଷକ ତୁମ୍ଭମାନଙ୍କୁ ପରିକ୍ଷା କରିବ ଓ ଆମ୍ଭମାନଙ୍କ ପରିଶ୍ରମ ବ୍ୟର୍ଥ ହୋଇଯିବ, ଏହା ଚିନ୍ତା କରି ମୁଁ ମଧ୍ୟ ଆଉ ସହି ନ ପାରିବାରୁ ତୁମ୍ଭମାନଙ୍କ ବିଶ୍ୱାସ ବିଷୟ ଜାଣିବା ପାଇଁ ଲୋକ ପଠାଇଲି ।
ତୀମଥିଙ୍କ ଉତ୍ସାହଜନକ ବିବରଣ
୬ କିନ୍ତୁ ଏବେ ତୀମଥି ତୁମ୍ଭମାନଙ୍କ ନିକଟରୁ ଆମ୍ଭମାନଙ୍କ ନିକଟକୁ ଫେରିଆସି ତୁମ୍ଭମାନଙ୍କ ବିଶ୍ୱାସ ଓ ପ୍ରେମ ସମ୍ବନ୍ଧରେ, ପୁଣି, ଆମ୍ଭେମାନେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛୁ, ସେହିପରି ତୁମ୍ଭେମାନେ ସର୍ବଦା ଆମ୍ଭମାନଙ୍କୁ ସ୍ମରଣରେ ରଖି ଯେ ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଅଛ, ଏବିଷୟରେ ଆମ୍ଭମାନଙ୍କୁ ସୁସମାଚାର ଦେଇଅଛନ୍ତି; ୭ ଏଥି ନିମନ୍ତେ, ହେ ଭାଇମାନେ, ତୁମ୍ଭମାନଙ୍କ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଆମ୍ଭମାନଙ୍କ ସମସ୍ତ ସଙ୍କଟ ଓ କ୍ଲେଶ ଭୋଗରେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଅଛୁ; ୮ କାରଣ ଆମ୍ଭେମାନେ ଏବେ ଜୀବିତ ଯଦି ତୁମ୍ଭେମାନେ ପ୍ରଭୁଙ୍କଠାରେ ସୁସ୍ଥିର ହୋଇଥାଅ । ୯ ହଁ, ଆମ୍ଭମାନଙ୍କ ଈଶ୍ୱରଙ୍କ ଛାମୁରେ ତୁମ୍ଭମାନଙ୍କ ପାଇଁ ଆମ୍ଭେମାନେ ଯେ, ସମସ୍ତେ ଆନନ୍ଦରେ ଆନନ୍ଦିତ ହେଉଅଛୁ, ସେଥିର ପ୍ରତିଦାନ ସ୍ୱରୂପେ ତୁମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କୁ କିପରି ଧନ୍ୟବାଦ ଦେଇପାରୁ ? ୧୦ ତୁମ୍ଭମାନଙ୍କ ବିଶ୍ୱାସର ଯାହା କିଛି ଉଣା ଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଯେପରି ସାକ୍ଷାତ କରି ପାରୁ, ଏଥିପାଇଁ ଦିବାରାତ୍ର ପ୍ରାର୍ଥନା କରୁଅଛୁ । ୧୧ ଆମ୍ଭମାନଙ୍କ ଈଶ୍ୱର ଓ ପିତା ନିଜେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ନିକଟକୁ ଆମ୍ଭମାନଙ୍କ ଆଗମନର ପଥ ସୁଗମ କରନ୍ତୁ; ୧୨ ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ସହିତ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଭୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ । ୧୩ ସେ ତୁମ୍ଭମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ ।