ଅଧ୍ୟକ୍ଷ ପଦର ଯୋଗ୍ୟତା
୧ ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ଇଚ୍ଛା କରନ୍ତି । ୨ ଅତଏବ, ଅଧ୍ୟକ୍ଷଙ୍କର ନିନ୍ଦନୀୟ ନ ହେବା ଆବଶ୍ୟକ, ସେ ଅବଶ୍ୟ ଏକ ସ୍ତ୍ରୀର ସ୍ୱାମୀ, ଆତ୍ମସଞ୍ଜମ, ଉତ୍ତମ ବୁଦ୍ଧି, ସଦାଚାରୀ, ଆତିଥ୍ୟପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ, ୩ ମଦ୍ୟପାୟୀ କି ବିବାଦପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ, ୪ ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ । ୫ (କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ୱରଙ୍କ ମଣ୍ଡଳୀର ଦାୟିତ୍ୱ ନେବ ?) ୬ ସେ ନୂତନ ଶିଷ୍ୟ ହୋଇ ନ ଥିବେ, କାଳେ ଅସାରଗର୍ବୀ ହୋଇ ଶୟତାନ ଭଳି ଦଣ୍ଡଗ୍ରସ୍ତ ହେବେ । ୭ ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସମ୍ମାନ ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନର ଫାନ୍ଦରେ ପଡ଼ିବେ ।
ସେବକ (ଦୀକନ) ପଦର ଯୋଗ୍ୟତା
୮ ସେହି ପ୍ରକାରେ ସେବକମାନଙ୍କର ଶୁଦ୍ଧ ବିବେକରେ ବିଶ୍ୱାସର ନିଗୂଢ଼ତତ୍ତ୍ୱ ଅବଲମ୍ବନ କରି ଗମ୍ଭୀର, ଛଳନାବାକ୍ୟରହିତ, ୯ ମଦ୍ୟପାନରେ ଅନାସକ୍ତ ଓ କୁତ୍ସିତ ଧନଲାଭରେ ନିର୍ଲୋଭ ହେବା ଆବଶ୍ୟକ; ୧୦ ସେମାନେ ମଧ୍ୟ ପ୍ରଥମେ ପରୀକ୍ଷିତ ହେଉନ୍ତୁ, ପୁଣି, ଦୋଷ ନ ଦେଖାଗଲେ ସେବକ ପଦରେ ନିଯୁକ୍ତ ହେଉନ୍ତୁ । ୧୧ ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦାକାରିଣୀ ନ ହୋଇ ଗମ୍ଭୀର, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ୱସ୍ତ ହେବା ଆବଶ୍ୟକ । ୧୨ ସେବକମାନେ ଏକ ଏକ ସ୍ତ୍ରୀର ସ୍ୱାମୀ ହେଉନ୍ତୁ, ପୁଣି, ନିଜ ନିଜ ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ । ୧୩ କାରଣ ଯେଉଁମାନେ ଉତ୍ତମ ରୂପେ ସେବକ କାର୍ଯ୍ୟ କରିଅଛନ୍ତି, ସେମାନେ ନିଜ ନିଜ ପାଇଁ ଉତ୍ତମ ଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସମୂଳକ ଅଧିକ ସାହସ ପାଇବେ ।
ଈଶ୍ୱରପରାୟଣତାର ନିଗୂଢ଼ ତତ୍ତ୍ୱ
୧୪ ମୁଁ ଶୀଘ୍ର ତୁମ୍ଭ ନିକଟକୁ ଯିବି ବୋଲି ଆଶା କରୁଅଛି; ୧୫ ମାତ୍ର ଯେବେ ମୋହର ବିଳମ୍ବ ହୁଏ, ତେବେ ଈଶ୍ୱରଙ୍କ ଗୃହରେ, ଅର୍ଥାତ୍ ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ୱରୂପ ଜୀବିତ ଈଶ୍ୱରଙ୍କ ମଣ୍ଡଳୀରେ, କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମ୍ଭେ ଜାଣି ପାର, ଏହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି । ୧୬ ଈଶ୍ୱରପରାୟଣତାର ନିଗୂଢ଼ତତ୍ତ୍ୱ ଯେ ମହତ୍, ଏହା ସମସ୍ତେ ସ୍ୱୀକାର କରନ୍ତି । ତାହା ଏହି, ସେ ଦେହବନ୍ତ ହୋଇ ପ୍ରକାଶିତ ହେଲେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଦୂତମାନଙ୍କ ଦ୍ୱାରା ଦେଖାଗଲେ, ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ୱାସପାତ୍ର ହେଲେ, ଗୌରବରେ ଗୃହୀତ ହେଲେ ।