ଭଣ୍ଡ ଶିକ୍ଷକ
୧ ଆତ୍ମା ସ୍ପଷ୍ଟରୂପେ କହୁଅଛନ୍ତି, ଶେଷ କାଳରେ କେହି କେହି ଭ୍ରଷ୍ଟବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ ୨ ପ୍ରତାରଣାପୂର୍ଣ୍ଣ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ; ୩ ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି, ବିଭିନ୍ନ ଖାଦ୍ୟ ପଦାର୍ଥରୁ ଅଲଗା ରହିବା ନିମନ୍ତେ ଶିକ୍ଷା ଦିଅନ୍ତି । ବିଶ୍ୱାସ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ୱାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ୱର ଏସବୁ ତ ସୃଷ୍ଟି କରିଅଛନ୍ତି । ୪ କାରଣ ଈଶ୍ୱରଙ୍କ ସମସ୍ତ ସୃଷ୍ଟ ବସ୍ତୁ ଉତ୍ତମ, ପୁଣି, ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଅଗ୍ରହଣୀୟ ନୁହେଁ, ୫ ଯେଣୁ ଈଶ୍ୱରଙ୍କ ବାକ୍ୟ ଓ ପ୍ରାର୍ଥନା ଦ୍ୱାରା ତାହା ପବିତ୍ର କରାଯାଏ ।
ଖ୍ରୀଷ୍ଟ ଯୀଶୁଙ୍କର ଉତ୍ତମ ସେବକ
୬ ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ, ପୁଣି, ତୁମ୍ଭେ ଯେଉଁ ବିଶ୍ୱାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ସେହି ବାକ୍ୟ ଦ୍ୱାରା ପରିପୃଷ୍ଟ ହେବ; ୭ କିନ୍ତୁ ବୟସ୍କା ସ୍ତ୍ରୀଲୋକମାନଙ୍କର ଅସାର କହାଣୀସବୁ ଗ୍ରହଣ କର ନାହିଁ । ଈଶ୍ୱରପରାୟଣ ଜୀବନ ଯାପନ କରିବା ନିମନ୍ତେ ଅଭ୍ୟାସ କର, ୮ କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ୱରପରାୟଣତା ଏହିକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ । ୯ ଏହି ବାକ୍ୟ ବିଶ୍ୱାସ୍ୟ ଓ ସର୍ବତୋଭାବେ ଗ୍ରହଣ ଯୋଗ୍ୟ; ୧୦ ଏହି ଉଦ୍ଦେଶ୍ୟରେ ତ ଆମ୍ଭେମାନେ ପରିଶ୍ରମ ଓ ପ୍ରାଣପଣ କରୁଅଛୁ, କାରଣ ଯେଉଁ ଜୀବିତ ଈଶ୍ୱର ସମସ୍ତ ମନୁଷ୍ୟଙ୍କର, ବିଶେଷତଃ ବିଶ୍ୱାସୀମାନଙ୍କର ତ୍ରାଣକର୍ତ୍ତା, ତାହାଙ୍କଠାରେ ଆମ୍ଭମାନଙ୍କର ଭରସା ଅଛି । ୧୧ ତୁମ୍ଭେ ଏହି ସମସ୍ତ ବିଷୟ ଆଜ୍ଞା ଦେଇ ଶିକ୍ଷା ଦିଅ । ୧୨ ତୁମ୍ଭର ଯୌବନ ଅବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ବିଶ୍ୱାସୀମାନଙ୍କର ଉଦାହରଣସ୍ୱରୂପ ହୁଅ । ୧୩ ମୁଁ ନ ଯିବା ପର୍ଯ୍ୟନ୍ତ ଶାସ୍ତ୍ରପାଠ,ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର । ୧୪ ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ୱାରା ତୁମ୍ଭକୁ ଯେଉଁ ଅନୁଗ୍ରହ ଦାନ ଦିଆଯାଇଅଛି, ତାହା ଅବହେଳା ନ କର । ୧୫ ତୁମ୍ଭର ଉନ୍ନତି ଯେପରି ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଏ, ଏଥି ନିମନ୍ତେ ଏହି ସମସ୍ତ ବିଷୟରେ ମନୋଯୋଗୀ ହୁଅ, ସେହି ସବୁରେ ପ୍ରବୃତ୍ତ ଥାଅ । ୧୬ ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ,ଏହି ସମସ୍ତ ବିଷୟରେ ଲାଗି ରୁହ, କାରଣ ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ ।