The First Epistle of John
1 John
1 ଯୋହନଙ୍କ ପ୍ରଥମ ପତ୍ର
ଜୀବନଦାୟୀ ବାକ୍ୟ
୧ ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜଣାଉଅଛୁ । ୨ ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ । ୩ ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇ ପାରେ; ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସହିତ ଅଛି । ୪ ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ଏଥି ନିମନ୍ତେ ଆମ୍ଭେମାନେ ଏହି ସବୁ ଲେଖୁଅଛୁ ।
ଜ୍ୟୋତିଃରେ ଆଚରଣ
୫ ଆମ୍ଭେମାନେ ତାହାଙ୍କଠାରୁ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ, ତାହା ଏହି, ଈଶ୍ୱର ଜ୍ୟୋତିଃସ୍ୱରୂପ, ଆଉ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ । ୬ ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି, ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ ତାହାହେଲେ ଆମ୍ଭେମାନେ ମିଥ୍ୟାବାଦୀ, ଆଉ ସତ୍ୟ ଆଚରଣ କରୁ ନ ଥାଉ । ୭ କିନ୍ତୁ ସେ ଯେପରି ଜ୍ୟୋତିଃର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ । ୮ ଆମ୍ଭମାନଙ୍କର ପାପ ନାହିଁ ! ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି, ଆମ୍ଭମାନଙ୍କଠାରେ ସତ୍ୟ ନାହିଁ । ୯ ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି । ୧୦ ଆମ୍ଭେମାନେ ପାପ କରି ନାହୁଁ, ଏହା ଯଦି କହୁ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ, ପୁଣି, ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ନାହିଁ ।