ଜଗତ ଉପରେ ବିଜୟ ଲାଭ
୧ ଯେ କେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ, ସେ ଈଶ୍ୱରଙ୍କଠାରୁ ଜାତ; ଆଉ, ଯେ କେହି ଜନ୍ମଦାତାଙ୍କୁ ପ୍ରେମ କରେ, ସେ ତାହାଙ୍କଠାରୁ ଜାତ ହୋଇଥିବା ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ । ୨ ଆମ୍ଭେମାନେ ଯେତେବେଳେ ଈଶ୍ୱରଙ୍କୁ ପ୍ରେମ କରୁ ଓ ତାହାଙ୍କ ଆଜ୍ଞା ପାଳନ କରୁ, ସେତେବେଳେ ତଦ୍ୱାରା ଜାଣି ପାରୁ ଯେ, ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନମାନଙ୍କୁ ପ୍ରେମ କରୁଅଛୁ । ୩ କାରଣ ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାର ସ୍ୱରୂପ ନୁହେଁ । ୪ ଯେ କେହି ଈଶ୍ୱରଙ୍କଠାରୁ ଜାତ, ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରିଅଛି, ତାହା ଆମ୍ଭମାନଙ୍କର ବିଶ୍ୱାସ । ୫ ଯୀଶୁ ଈଶ୍ୱରଙ୍କ ପୁତ୍ର, ଏହା ଯେ ବିଶ୍ୱାସ କରେ, ତାହା ଛଡ଼ା ଆଉ କିଏ ଜଗତକୁ ଜୟ କରେ ?
ଈଶ୍ୱରଙ୍କ ପୁତ୍ରଙ୍କ ସମ୍ବନ୍ଧୀୟ ସାକ୍ଷ୍ୟ
୬ ସେହି ଯୀଶୁ ଖ୍ରୀଷ୍ଟ ଜଳ ଓ ରକ୍ତ ଦେଇ ଆସିଥିଲେ, କେବଳ ଜଳ ଦେଇ ନୁହେଁ, କିନ୍ତୁ ଜଳ ଓ ରକ୍ତ ଉଭୟ ଦେଇ ଆସିଥିଲେ; ଆଉ ଆତ୍ମା ମଧ୍ୟ ଏଥିର ସାକ୍ଷ୍ୟ ଦିଅନ୍ତି, କାରଣ ଆତ୍ମା ହିଁ ସତ୍ୟ । ୭ ଆତ୍ମା, ଜଳ ଓ ବାକ୍ୟ, ଏହି ତିନି ସ୍ୱର୍ଗରେ ସାକ୍ଷ୍ୟ ଦିଅନ୍ତି, ପୁଣି, ତିନି ଏକ ଅଟନ୍ତି । ୮ ଏହି ପୃଥିବୀରେ ଆତ୍ମା, ଜଳ ଏବଂ ରକ୍ତ ସାକ୍ଷ୍ୟ ଦିଅନ୍ତି ଏବଂ ସେମାନେ ଏକ । ୯ ଆମ୍ଭେମାନେ ଯଦି ମନୁଷ୍ୟର ସାକ୍ଷ୍ୟ ଗ୍ରହଣ କରୁ, ତେବେ ଈଶ୍ୱରଙ୍କ ସାକ୍ଷ୍ୟ ତାହାଠାରୁ ଶ୍ରେଷ୍ଠ, ଆଉ ଈଶ୍ୱରଙ୍କ ସାକ୍ଷ୍ୟ ଏହା ଯେ, ସେ ଆପଣାର ପୁତ୍ରଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେଇଅଛନ୍ତି । ୧୦ ଯେ ଈଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆପଣାର ଅନ୍ତରରେ ଏହି ସାକ୍ଷ୍ୟ ପାଇଅଛି; ଯେ ଈଶ୍ୱରଙ୍କ ସାକ୍ଷ୍ୟ ବିଶ୍ୱାସ କରେ ନାହିଁ, ସେ ତାହାଙ୍କୁ ମିଥ୍ୟାବାଦୀ କରିଅଛି, କାରଣ ଈଶ୍ୱର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି, ସେଥିରେ ସେ ବିଶ୍ୱାସ କରି ନାହିଁ । ୧୧ ସେହି ସାକ୍ଷ୍ୟ ଏହି ଯେ, ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି, ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି । ୧୨ ଯେ ପୁତ୍ରଙ୍କୁ ପାଇଅଛି, ସେ ଜୀବନ ପାଇଅଛି; ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ହିଁ ପାଇ ନାହିଁ ।
ତୁମ୍ଭେମାନେ ଯେପରି ଜାଣ
୧୩ ଈଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି । ୧୪ ପୁଣି, ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି । ୧୫ ଆଉ ଆମ୍ଭେମାନେ ତାହାଙ୍କ ନିକଟରେ ଯାହା କିଛି ପ୍ରାର୍ଥନା କରୁ, ତାହା ସେ ଶୁଣନ୍ତି ବୋଲି ଯଦି ଆମ୍ଭେମାନେ ଜାଣୁ, ତେବେ ତାହାଙ୍କ ଛାମୁରେ ଯାହା ପ୍ରାର୍ଥନା କରିଅଛୁ, ସେହି ସବୁ ଯେ ପାଇଅଛୁ, ଏହା ମଧ୍ୟ ଜାଣୁ । ୧୬ କେହି ଯେବେ ଭାଇକୁ ପାପ କରୁଥିବା ଦେଖେ, ଆଉ ସେହି ପାପ ମୃତ୍ୟୁଜନକ ହୋଇ ନ ଥାଏ, ତେବେ ସେ ପ୍ରାର୍ଥନା କରୁ, ଆଉ ଈଶ୍ୱର ଯେଉଁପରି ମୃତ୍ୟୁଜନକ ପାପ ନ କରିଥିବା ଲୋକମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ତାହାକୁ ମଧ୍ୟ ଜୀବନ ଦାନ କରିବେ। ମୃତ୍ୟୁଜନକ ପାପ ଅଛି; ସେଥିପାଇଁ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ । ୧୭ ସମସ୍ତ ଅଧର୍ମ ହିଁ ପାପ, କିନ୍ତୁ ଏପରି ପାପ ଅଛି, ଯାହା ମୃତ୍ୟୁଜନକ ନୁହେଁ । ୧୮ ଯେ କେହି ଈଶ୍ୱରଙ୍କଠାରୁ ଜାତ, ସେ ଯେ ପାପ କରେ ନାହିଁ, ବରଂ ସେ ଈଶ୍ୱରଙ୍କଠାରୁ ଜାତ ହୋଇ ଆପଣାକୁ ରକ୍ଷା କରେ, ଆଉ ପାପାତ୍ମା ତାହାକୁ ସ୍ପର୍ଶ କରେ ନାହିଁ, ଏହା ଆମ୍ଭେମାନେ ଜାଣୁ । ୧୯ ଆମ୍ଭେମାନେ ଯେ ଈଶ୍ୱରଙ୍କଠାରୁ ଜାତ ଓ ସମସ୍ତ ଜଗତ ଯେ ପାପାତ୍ମାର ଅଧୀନ, ଏହା ଆମ୍ଭେମାନେ ଜାଣୁ । ୨୦ ଆହୁରି ମଧ୍ୟ ଆମ୍ଭେମାନେ ଜାଣୁ ଯେ, ଈଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି; ପୁଣି, ଆମ୍ଭେମାନେ ସେହି ସତ୍ୟମୟଙ୍କଠାରେ, ଅର୍ଥାତ୍‍, ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଥାଉ। ସେ ସତ୍ୟ ଈଶ୍ୱର ଓ ଅନନ୍ତ ଜୀବନ ଅଟନ୍ତି । ୨୧ ହେ ବତ୍ସଗଣ, ପ୍ରତିମାମାନଙ୍କଠାରୁ ଆପଣା ଆପଣାକୁ ରକ୍ଷା କର । ଆମେନ୍ ।