The First Epistle of Peter
1 Peter
ପିତରଙ୍କ ପ୍ରଥମ ପତ୍ର
ଅଭିବାଦନ
୧ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ପନ୍ତ, ଗାଲାତିଆ, କାପ୍ପାଦକିଆ, ଆସିଆ ଓ ବୀଥୂନିଆରେ ଛିନ୍ନଭିନ୍ନ ଯେଉଁ ପ୍ରବାସୀମାନେ, ୨ ପିତା ଈଶ୍ୱରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି । ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ ।
ଏକ ଜୀବନ୍ତ ଭରସା ନିମନ୍ତେ ପୁନର୍ଜାତ
୩ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ; ସେ ମୃତମାନଙ୍କ ମଧ୍ୟରୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ, ୪ ଅର୍ଥାତ୍‍ ଯେଉଁ ଅକ୍ଷୟ, ଅକଳଙ୍କିତ, ଅଜର ଅଧିକାର ତୁମ୍ଭମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି, ତାହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ ନୂତନ ଜନ୍ମ ଦେଇଅଛନ୍ତି । ୫ ଯେଉଁ ପରିତ୍ରାଣ ଶେଷକାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି, ସେଥିନିମନ୍ତେ ତୁମ୍ଭେମାନେ ଈଶ୍ୱରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହେଉଅଛ । ୬ ଏଥିରେ ତୁମ୍ଭେମାନେ ଆନନ୍ଦ କରୁଅଛ, ତଥାପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ, ୭ ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ । ୮ ତୁମ୍ଭେମାନେ ତାହାଙ୍କୁ ନ ଦେଖି ପ୍ରେମ କରୁଅଛ, ପୁଣି, ଏବେ ସୁଦ୍ଧା ନ ଦେଖିଲେ ହେଁ ତାହାଙ୍କଠାରେ ବିଶ୍ୱାସ କରି ଅକଥନୀୟ ଓ ଗୌରବଯୁକ୍ତ ଆନନ୍ଦରେ ୯ ଆନନ୍ଦିତ ହୋଇ ତୁମ୍ଭମାନଙ୍କ ବିଶ୍ୱାସର ଫଳ ଯେ ଆତ୍ମାର ପରିତ୍ରାଣ, ତାହା ପାଉଅଛ। ଭାବବାଦୀମାନେ ତୁମ୍ଭମାନଙ୍କ ନିମନ୍ତେ ନିରୂପିତ ଅନୁଗ୍ରହ ବିଷୟରେ ଭାବବାଣୀ ପ୍ରକାଶ କଲେ, ୧୦ ପୁଣି, ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ । ୧୧ ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଉଁ କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ । ୧୨ ଏହି ସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହି ସମସ୍ତ ବିଷୟ ସ୍ୱର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ୱାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହି ସବୁ ବିଷୟ ଦୂତମାନେ ମଧ୍ୟ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ।
ପବିତ୍ରତା ନିମନ୍ତେ ଆହ୍ୱାନ
୧୩ ଅତଏବ, ଆପଣା ଆପଣା ମନରୂପ କଟି ବନ୍ଧନ କରି ସଚେତନ ଥାଅ, ପୁଣି, ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ଯେଉଁ ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ବର୍ତ୍ତିବ, ସେଥିରେ ସମ୍ପୂର୍ଣ୍ଣ ରୂପେ ଭରସା ରଖ । ୧୪ ତୁମ୍ଭମାନଙ୍କ ପୂର୍ବ ଅଜ୍ଞାନତା ସମୟର କୁଅଭିଳାଷର ଅନୁରୂପୀ ହୁଅ ନାହିଁ, ୧୫ ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ । ୧୬ ଯେଣୁ ଲେଖାଅଛି, ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର । ୧୭ ଆଉ ଯେ ମୁଖାପେକ୍ଷା ନ କରି ପ୍ରତ୍ୟେକ ଲୋକର କର୍ମାନୁସାରେ ବିଚାର କରନ୍ତି, ତାହାଙ୍କୁ ଯଦି ପିତା ବୋଲି ସମ୍ବୋଧନ କରୁଅଛ, ତେବେ ଆପଣା ଆପଣାର ପ୍ରବାସକାଳ ଭୟ ସହକାରେ କ୍ଷେପଣ କର; ୧୮ ଯେଣୁ ତୁମ୍ଭେମାନେ ଜାଣ ଯେ, ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ ରୂପା କି ସୁନା ପରି କ୍ଷୟଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ ୧୯ ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ । ୨୦ ସେ ଜଗତର ପତ୍ତନ ପୂର୍ବରୁ ନିରୁପିତ ହୋଇ ତୁମ୍ଭମାନଙ୍କ ନିମନ୍ତେ ଶେଷକାଳରେ ପ୍ରକାଶିତ ହୋଇଅଛନ୍ତି; ୨୧ ଯେଉଁ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଗୌରବାନ୍ୱିତ କରିଅଛନ୍ତି, ସେହି ଈଶ୍ୱରଙ୍କଠାରେ ତୁମ୍ଭେମାନେ ତାହାଙ୍କ ଦ୍ୱାରା ବିଶ୍ୱାସ କରୁଅଛ, ଏଣୁ ଈଶ୍ୱର ତୁମ୍ଭମାନଙ୍କର ବିଶ୍ୱାସ ଓ ଭରସାର ସ୍ଥାନ ଅଟନ୍ତି । ୨୨ ତୁମ୍ଭେମାନେ ସତ୍ୟର ଆଜ୍ଞାବହ ହୋଇ ନିଷ୍କପଟ ଭ୍ରାତୃପ୍ରେମ ନିମନ୍ତେ ଆପଣା ଆପଣା ଆତ୍ମାକୁ ଶୁଚି କରିଥିବାରୁ ଅନ୍ତର ସହ ଏକାଗ୍ରଭାବେ ପରସ୍ପରକୁ ପ୍ରେମ କର; ୨୩ ଯେଣୁ ତୁମ୍ଭେମାନେ କ୍ଷୟଣୀୟ ବୀଜରୁ ନୁହେଁ, ବରଂ ଅକ୍ଷୟ ବୀଜରୁ, ଅର୍ଥାତ୍‍ ଈଶ୍ୱରଙ୍କ ଜୀବନ୍ତ ଓ ନିତ୍ୟସ୍ଥାୟୀ ବାକ୍ୟ ଦ୍ୱାରା ନୂତନୀକୃତ ହୋଇଅଛ । ୨୪ କାରଣ ସମସ୍ତ ମର୍ତ୍ତ୍ୟ ତୃଣ ତୁଲ୍ୟ, ତାହାର ସମସ୍ତ ଶୋଭା ତୃଣର ପୁଷ୍ପ ସଦୃଶ; ତୃଣ ଶୁଖିଯାଏ, ଆଉ ଫୁଲ ଝଡ଼ିପଡ଼େ, ୨୫ କିନ୍ତୁ ଈଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ । ଏହା ସେହି ସୁସମାଚାରର ବାକ୍ୟ, ଯାହା ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଅଛି ।