ମନ୍ଦିରର ଉପକରଣ
୧ ଆହୁରି ସେ ଏକ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କଲେ, ତହିଁର ଦୈର୍ଘ୍ୟ କୋଡ଼ିଏ ହାତ ଓ ତହିଁର ପ୍ରସ୍ଥ କୋଡ଼ିଏ ହାତ ଓ ତହିଁର ଉଚ୍ଚତା ଦଶ ହାତ। ୨ ମଧ୍ୟ ସେ ଛାଞ୍ଚରେ ଢଳା ଗୋଲାକାର ସମୁଦ୍ରରୂପ ପାତ୍ର ନିର୍ମାଣ କଲେ, ତାହା ଫନ୍ଦଠାରୁ ଫନ୍ଦ ପର୍ଯ୍ୟନ୍ତ ଦଶ ହାତ ଓ ତହିଁର ଉଚ୍ଚତା ପାଞ୍ଚ ହାତ; ଆଉ ତହିଁର ପରିଧି ତିରିଶ ହାତ ଥିଲା। ୩ ତହିଁ ତଳେ ବଳଦମାନର ଆକୃତି ଥିଲା, ସେମାନେ ତହିଁର ଚତୁର୍ଦ୍ଦିଗ ଘେରିଲେ, ଦଶ ହାତ ଲେଖାଏଁ ଥାଇ ସମୁଦ୍ରରୂପ ପାତ୍ର ବେଷ୍ଟନ କଲେ। ସେହି ବଳଦମାନ ଦୁଇ ଧାଡ଼ିରେ ଥିଲେ, ସମୁଦ୍ରରୂପ ପାତ୍ର ଢଳାଯିବା ସମୟରେ ତାହାସବୁ ଢଳା ଯାଇଥିଲେ। ୪ ସେହି ପାତ୍ର ବାର ଗୋରୁ ଉପରେ ସ୍ଥାପିତ ଥିଲା, ତିନିର ମୁଖ ଉତ୍ତରକୁ ଓ ତିନିର ମୁଖ ପଶ୍ଚିମକୁ ଓ ତିନିର ମୁଖ ଦକ୍ଷିଣକୁ ଓ ତିନିର ମୁଖ ପୂର୍ବକୁ ଥିଲା; ପୁଣି ସମୁଦ୍ରରୂପ ପାତ୍ର ସେମାନଙ୍କ ଉପରେ ଅବସ୍ଥାପିତ ଓ ସେମାନଙ୍କ ପଶ୍ଚାଦ୍‍ଭାଗସବୁ ଭିତରକୁ ଥିଲା। ୫ ସେହି ପାତ୍ର ଚାରି ଅଙ୍ଗୁଳି ମୋଟ; ତହିଁର ଫନ୍ଦ ତାଟିଆର ଫନ୍ଦ ପରି ନିର୍ମିତ; କଇଁଫୁଲ ତୁଲ୍ୟ ଥିଲା; ତାହା ତିନି ହଜାର ମହଣ ଧରିଲା। ୬ ଆହୁରି ସେ ଦଶ ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ ଓ ପ୍ରକ୍ଷାଳନାର୍ଥେ ପାଞ୍ଚୋଟି ଦକ୍ଷିଣ ଭାଗରେ ଓ ପାଞ୍ଚୋଟି ବାମ ଭାଗରେ ରଖିଲେ; ସେମାନେ ହୋମବଳି ସମ୍ବନ୍ଧୀୟ ସାମଗ୍ରୀ ସେସବୁରେ ପ୍ରକ୍ଷାଳନ କଲେ; ମାତ୍ର ସମୁଦ୍ରରୂପ ପାତ୍ର ଯାଜକମାନଙ୍କର ସ୍ନାନାର୍ଥେ ଥିଲା। ୭ ଆଉ ସେ ଦୀପବୃକ୍ଷ ବିଷୟକ ବିଧାନାନୁସାରେ ଦଶ ସୁବର୍ଣ୍ଣମୟ ଦୀପବୃକ୍ଷ ନିର୍ମାଣ କଲେ; ଆଉ ପାଞ୍ଚୋଟି ଦକ୍ଷିଣ ଭାଗରେ ଓ ପାଞ୍ଚୋଟି ବାମ ଭାଗରେ ମନ୍ଦିରରେ ସ୍ଥାପନ କଲେ। ୮ ଆହୁରି ସେ ଦଶ ମେଜ ନିର୍ମାଣ କରି ମନ୍ଦିରର ଦକ୍ଷିଣ ଭାଗରେ ପାଞ୍ଚୋଟି ଓ ବାମ ଭାଗରେ ପାଞ୍ଚୋଟି ରଖିଲେ। ପୁଣି, ସେ ଏକ ଶତ ସୁବର୍ଣ୍ଣ କୁଣ୍ଡ ନିର୍ମାଣ କଲେ। ୯ ଆହୁରି ସେ ଯାଜକମାନଙ୍କର ପ୍ରାଙ୍ଗଣ ଓ ବୃହତ୍ ପ୍ରାଙ୍ଗଣ ଓ ପ୍ରାଙ୍ଗଣ-ଦ୍ୱାର ନିର୍ମାଣ କଲେ, ଆଉ ତହିଁର କବାଟସବୁ ପିତ୍ତଳରେ ମଡ଼ାଇଲେ। ୧୦ ପୁଣି ସେ ପୂର୍ବଦିଗସ୍ଥ ଗୃହର ଡାହାଣ ପାଖରେ ଦକ୍ଷିଣ ଆଡ଼କୁ ସମୁଦ୍ରରୂପ ପାତ୍ର ସ୍ଥାପନ କଲେ। ୧୧ ଆଉ ହୂରମ୍‍ ପାତ୍ର ଓ କୋଦାଳ ଓ କୁଣ୍ଡସବୁ ନିର୍ମାଣ କଲା। ଏହିରୂପେ ହୂରମ୍‍ ପରମେଶ୍ୱରଙ୍କ ଗୃହରେ ଶଲୋମନ ରାଜାଙ୍କ ନିମନ୍ତେ ଆପଣା କରିବା କାର୍ଯ୍ୟ ସମାପ୍ତ କଲା। ୧୨ ଅର୍ଥାତ୍‍, ଦୁଇ ସ୍ତମ୍ଭ ଓ ସେହି ସ୍ତମ୍ଭ ଉପରିସ୍ଥ ଗୋଲାକାର ଓ ଦୁଇ ମୁଣ୍ଡାଳି ଓ ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ଦୁଇ ଜାଲିକର୍ମ ୧୩ ଓ ସେହି ଦୁଇ ଜାଲିକର୍ମ ନିମନ୍ତେ ଚାରି ଶହ ଡାଳିମ୍ବ; ଅର୍ଥାତ୍‍, ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ପ୍ରତ୍ୟେକ ଜାଲିକର୍ମ ପାଇଁ ଦୁଇ ଦୁଇ ଧାଡ଼ି ଡାଳିମ୍ବ କଲା। ୧୪ ଆହୁରି ସେ ବୈଠିକିମାନ ନିର୍ମାଣ କଲା ଓ ସେ ବୈଠିକି ଉପରିସ୍ଥ ପ୍ରକ୍ଷାଳନ ପାତ୍ର ନିର୍ମାଣ କଲା; ୧୫ ଏକ ସମୁଦ୍ରରୂପ ପାତ୍ର ଓ ତହିଁ ତଳସ୍ଥ ବାର ଗୋରୁ ୧୬ ମଧ୍ୟ ତାହାର ପିତା ହୂରମ୍‍ ଶଲୋମନ ରାଜାଙ୍କ ନିମନ୍ତେ ସଦାପ୍ରଭୁଙ୍କ ଗୃହ ପାଇଁ ଉଜ୍ଜ୍ୱଳ ପିତ୍ତଳରେ ହାଣ୍ଡି ଓ କୋଦାଳ ଓ ତ୍ରିଶୂଳ ଓ ତହିଁର ସକଳ ପାତ୍ର ନିର୍ମାଣ କଲା। ୧୭ ରାଜା ଯର୍ଦ୍ଦନ-ପଦାରେ ସୁକ୍‍କୋତ ଓ ସରେଦା ମଧ୍ୟସ୍ଥିତ ଚିକ୍‍କଣ ଭୂମିରେ ତାହାସବୁ ଢଳାଇଲେ। ୧୮ ଏହି ପ୍ରକାରେ ଶଲୋମନ ଅତି ବହୁଳ ରୂପେ ଏହିସବୁ ପାତ୍ର ନିର୍ମାଣ କଲେ; ପିତ୍ତଳର ପରିମାଣ ଜଣାଯାଇ ପାରିଲା ନାହିଁ। ୧୯ ପୁଣି ଶଲୋମନ ପରମେଶ୍ୱରଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ, ମଧ୍ୟ ସ୍ୱର୍ଣ୍ଣମୟ ଯଜ୍ଞବେଦି ଓ ଦର୍ଶନୀୟ ରୁଟି ରଖିବାର ମେଜ; ୨୦ ଆଉ ବିଧିମତେ ଗର୍ଭାଗାର ସମ୍ମୁଖରେ ଜ୍ୱଳାଇବା ନିମନ୍ତେ ନିର୍ମଳ ସ୍ୱର୍ଣ୍ଣମୟ ଦୀପବୃକ୍ଷ ଓ ତହିଁର ପ୍ରଦୀପସକଳ ୨୧ ଓ ସ୍ୱର୍ଣ୍ଣମୟ ପୁଷ୍ପ, ପ୍ରଦୀପ ଓ ଚିମୁଟାସବୁ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କଲେ; ୨୨ ଆଉ କତୁରୀ ଓ କୁଣ୍ଡ ଓ ଚାମଚ ଓ ଅଙ୍ଗାରଧାନୀଗୁଡିକ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ; ପୁଣି ଗୃହର ପ୍ରବେଶାର୍ଥକ ମହାପବିତ୍ର ସ୍ଥାନର ଭିତର ଦ୍ୱାର ଓ ଗୃହର, ଅର୍ଥାତ୍‍, ମନ୍ଦିରର ଦ୍ୱାରସବୁ ସୁବର୍ଣ୍ଣର ଥିଲା।