୧ ଏହିରୂପେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଶଲୋମନଙ୍କର କୃତ ସମସ୍ତ କାର୍ଯ୍ୟ ସମାପ୍ତ ହେଲା। ପୁଣି ଶଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରୀକୃତ ଦ୍ରବ୍ୟସବୁ, ଅର୍ଥାତ୍‍, ରୂପା, ସୁନା ଓ ସମସ୍ତ ସାମଗ୍ରୀ ଭିତରକୁ ଆଣି ପରମେଶ୍ୱରଙ୍କ ଗୃହର ଭଣ୍ଡାରରେ ରଖିଲେ।
ନିୟମ-ସିନ୍ଦୁକ ମନ୍ଦିରକୁ ଆନୀତ
୨ ତହୁଁ ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଓ ବଂଶୀୟ ପ୍ରଧାନ ସମସ୍ତଙ୍କୁ, ଇସ୍ରାଏଲ ସନ୍ତାନଗଣର ପିତୃବଂଶାଧିପତିମାନଙ୍କୁ ଯିରୂଶାଲମରେ ଏକତ୍ର କଲେ। ୩ ତହିଁରେ ସପ୍ତମ ମାସର ପର୍ବ ସମୟରେ ସମସ୍ତ ଇସ୍ରାଏଲ ଲୋକ ରାଜାଙ୍କ ନିକଟରେ ଏକତ୍ର ହେଲେ। ୪ ପୁଣି ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହୁଅନ୍ତେ, ଲେବୀୟମାନେ ସିନ୍ଦୁକ ଉଠାଇଲେ। ୫ ପୁଣି ସେମାନେ ସିନ୍ଦୁକ ଓ ସମାଗମ-ତମ୍ବୁ ଓ ତମ୍ବୁସ୍ଥିତ ସମସ୍ତ ପବିତ୍ର ପାତ୍ର ଆଣିଲେ; ଲେବୀୟ ଯାଜକମାନେ ତାହାସବୁ ଆଣିଲେ। ୬ ଆଉ ଶଲୋମନ ରାଜା ଓ ତାଙ୍କ ନିକଟରେ ଏକତ୍ରିତ ଇସ୍ରାଏଲର ସମଗ୍ର ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ଥାଇ ଏତେ ପରିମାଣରେ ମେଷ ଓ ଗୋରୁ ବଳିଦାନ କଲେ, ଯେ ତାହାସବୁ ଅସଂଖ୍ୟ ଓ ଅଗଣ୍ୟ ଥିଲା। ୭ ତହୁଁ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତହିଁର ସ୍ଥାନକୁ, ଅର୍ଥାତ୍‍, ଗୃହର ଗର୍ଭାଗାର, ମହାପବିତ୍ର ସ୍ଥାନ, କିରୂବଦ୍ୱୟର ପକ୍ଷ ତଳକୁ ଆଣିଲେ। ୮ ସେହି କିରୂବମାନେ ସିନ୍ଦୁକ-ସ୍ଥାନ ଉପରେ ପକ୍ଷ ବିସ୍ତାର କରିଥିଲେ ଓ କିରୂବମାନେ ଉର୍ଦ୍ଧ୍ୱରୁ ସିନ୍ଦୁକ ଓ ତହିଁର ସାଙ୍ଗୀ ଆଚ୍ଛାଦନ କଲେ। ୯ ପୁଣି ସେହି ସାଙ୍ଗୀ ଏତେ ଲମ୍ବ ଥିଲା ଯେ, ତହିଁର ଅଗ୍ରଭାଗ ଗର୍ଭାଗାର ସମ୍ମୁଖରେ ସିନ୍ଦୁକଠାରୁ ଦେଖାଗଲା; ମାତ୍ର ବାହାରକୁ ଦେଖାଗଲା ନାହିଁ; ଆଜି ପର୍ଯ୍ୟନ୍ତ ତାହା ସେହି ସ୍ଥାନରେ ଅଛି। ୧୦ ଇସ୍ରାଏଲ ସନ୍ତାନଗଣ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କରିବା ସମୟରେ ମୋଶା ହୋରେବ ନିକଟରେ ଯେଉଁ ଦୁଇ ପ୍ରସ୍ତର-ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତାହା ବ୍ୟତୀତ ତହିଁରେ ଆଉ କିଛି ନ ଥିଲା। ୧୧ ଉପସ୍ଥିତ ଯାଜକ ସମସ୍ତେ ଆପଣାମାନଙ୍କୁ ପବିତ୍ର କରିଥିଲେ ଓ ଆପଣା ଆପଣା ପାଳିର କର୍ମ କରୁ ନ ଥିଲେ। ୧୨ ମଧ୍ୟ ଲେବୀୟ ଗାୟକ ସମସ୍ତେ, ଅର୍ଥାତ୍‍, ଆସଫ, ହେମନ, ଯିଦୂଥୂନ୍‍ ଓ ସେମାନଙ୍କ ପୁତ୍ର ଓ ଭାତ୍ରୁଗଣ କ୍ଷୌମବସ୍ତ୍ର ପିନ୍ଧି କରତାଳ ଓ ନେବଲ ଓ ବୀଣା ଧରି ଯଜ୍ଞବେଦିର ପୂର୍ବ ଦିଗରେ ଠିଆ ହୋଇଥିଲେ ଓ ସେମାନଙ୍କ ସଙ୍ଗେ ତୂରୀବାଦକ ଏକ ଶହ କୋଡ଼ିଏ ଜଣ ଯାଜକ ଥିଲେ; ତହୁଁ ଯାଜକମାନେ ପବିତ୍ର ସ୍ଥାନରୁ ବାହାର ହୋଇ ଆସନ୍ତେ, ୧୩ ସେହି ତୂରୀବାଦକ ଓ ଗାୟକ ସମସ୍ତେ ଏକସ୍ୱରରେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ୟବାଦ କରିବାକୁ ଏକ ହୁଅନ୍ତେ, ପୁଣି ସଦାପ୍ରଭୁ ମଙ୍ଗଳମୟ, କାରଣ ତାହାଙ୍କର କରୁଣା ସଦାକାଳସ୍ଥାୟୀ, ଏହା ବୋଲି ସେମାନେ ତୂରୀ ଓ କରତାଳ ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚୈଃସ୍ୱରରେ ତାହାଙ୍କର ପ୍ରଶଂସାଧ୍ୱନି କରନ୍ତେ, ସେହି ଗୃହ, ଅର୍ଥାତ୍‍, ସଦାପ୍ରଭୁଙ୍କ ଗୃହ ଏକ ମେଘରେ ଏରୂପ ପରିପୂର୍ଣ୍ଣ ହେଲା ୧୪ ଯେ, ଯାଜକମାନେ ସେହି ମେଘ ସକାଶୁ ପରିଚର୍ଯ୍ୟା କରିବାକୁ ଠିଆ ହୋଇ ପାରିଲେ ନାହିଁ; କାରଣ ସଦାପ୍ରଭୁଙ୍କ ପ୍ରତାପ ପରମେଶ୍ୱରଙ୍କ ଗୃହକୁ ପରିପୂର୍ଣ୍ଣ କଲା।