୧୩
ଶେଷ ଅନୁଯୋଗ
୧ ଏହି ତୃତୀୟ ଥର ମୁଁ ତୁମ୍ଭମାନଙ୍କ ନିକଟକୁ ଯାଉଅଛି । “ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ ।'' ୨ ଯେଉଁମାନେ ପୂର୍ବରେ ପାପ କରିଥିଲେ, ସେମାନଙ୍କୁ ଓ ଅବଶିଷ୍ଟ ସମସ୍ତଙ୍କୁ ମୁଁ ଯେପରି ପୂର୍ବେ ଦ୍ୱିତୀୟ ଥର ଉପସ୍ଥିତ ଥିବା ସମୟରେ କହିିଥିଲିି, ଏବେ ଅନୁପସ୍ଥିତ ଥାଇ ସେହିପରି ପୂର୍ବରୁ କହୁଅଛି ଯେ, ଯଦି ମୁଁ ପୁନର୍ବାର ଯାଏ, ତାହାହେଲେ ସେମାନଙ୍କୁ ଛାଡ଼ିବି ନାହିଁ; ୩ ଯେଣୁ ଯେଉଁ ଖ୍ରୀଷ୍ଟ ମୋ'ଠାରେ କଥା କହୁଅଛନ୍ତି, ତୁମ୍ଭେମାନେ ତାହାଙ୍କର ପ୍ରମାଣ ଖୋଜୁଅଛ; ୪ ସେ ତୁମ୍ଭମାନଙ୍କ ପ୍ରତି ଦୁର୍ବଳ ନୁହଁନ୍ତି, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିମାନ ଅଟନ୍ତି । କାରଣ ଯଦ୍ୟପି ସେ ଦୁର୍ବଳତା ହେତୁ କ୍ରୁଶାର୍ପିତ ହେଲେ, ତଥାପି ଈଶ୍ୱରଙ୍କ ଶକ୍ତି ହେତୁ ସେ ଜୀବିତ । ଆମ୍ଭେମାନେ ମଧ୍ୟ ତାହାଙ୍କଠାରେ ଦୁର୍ବଳ, ମାତ୍ର ଈଶ୍ୱରଙ୍କ ଶକ୍ତି ହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ତାହାଙ୍କ ସହିତ ଜୀବିତ ହେବା । ୫ ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର କିମ୍ବା ଯୀଶୁ ଖ୍ରୀଷ୍ଟ ଯେ ତୁମ୍ଭମାନଙ୍କଠାରେ ଅଛନ୍ତି, ଏହା କି ତୁମ୍ଭେମାନେ ନିଜ ନିଜ ବିଷୟରେ ଜାଣ ନାହିଁ ? ଯଦି ଏହା ନ ହୁଏ, ତାହାହେଲେ ତୁମ୍ଭେମାନେ ପରୀକ୍ଷାସିଦ୍ଧ ନୁହଁ । ୬ କିନ୍ତୁ ମୁଁ ଭରସା କରେ, ଆମ୍ଭେମାନେ ଯେ ପରୀକ୍ଷାସିଦ୍ଧ, ଏହା ତୁମ୍ଭେମାନେ ଜାଣିବ । ୭ ମାତ୍ର ତୁମ୍ଭେମାନେ ଯେପରି କୌଣସି ମନ୍ଦ କର୍ମ ନ କର, ଏଥିପାଇଁ ଆମ୍ଭେମାନେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଅଛୁ; ଆମ୍ଭେମାନେ ଯେପରି ପରୀକ୍ଷାସିଦ୍ଧ ବୋଲି ଦେଖାଯାଉ, ଏଥି ନିମନ୍ତେ ପ୍ରାର୍ଥନା କରୁ ନାହୁଁ, ମାତ୍ର ପରୀକ୍ଷାସିଦ୍ଧ ନ ହେବା ପରି ଦେଖାଗଲେ ସୁଦ୍ଧା ଯେପରି ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କର, ଏଥିପାଇଁ ପ୍ରାର୍ଥନା କରୁଅଛୁ । ୮ କାରଣ ଆମ୍ଭେମାନେ ସତ୍ୟ ବିପକ୍ଷରେ କିଛି କରି ପାରୁ ନାହୁଁ, କିନ୍ତୁ ସତ୍ୟ ପକ୍ଷରେ କରି ପାରୁ । ୯ ଯେଣୁ ଆମ୍ଭେମାନେ ଯେତେବେଳେ ଦୁର୍ବଳ ଓ ତୁମ୍ଭେମାନେ ସବଳ, ସେତେବେଳେ ଆମ୍ଭେମାନେ ଆନନ୍ଦ କରୁ; ତୁମ୍ଭେମାନେ ଯେପରି ସିଦ୍ଧ ହୁଅ, ଏହା ମଧ୍ୟ ଆମ୍ଭେମାନେ ପ୍ରାର୍ଥନା କରୁ । ୧୦ ଏଥି ନିମନ୍ତେ ଅନୁପସ୍ଥିତ ହୋଇ ମୁଁ ଏହି ସବୁ ଲେଖୁଅଛି, ଯେପରି ଉପସ୍ଥିତ ହୋଇ, ପ୍ରଭୁ ମୋତେ ଯେଉଁ ଅଧିକାର ଭଗ୍ନ କରିବା ନିମନ୍ତେ ନ ଦେଇ ଗଠନ କରିବା ନିମନ୍ତେ ଦେଇଅଛନ୍ତି, ସେହି ଅଧିକାର ଅନୁସାରେ କଠୋର ବ୍ୟବହାର କରିବାକୁ ମୋତେ ନ ହୁଏ । ୧୧ ଶେଷରେ, ହେ ଭାଇମାନେ, ଆନନ୍ଦ କର, ସିଦ୍ଧ ହୁଅ, ପରସ୍ପରକୁ ଉତ୍ସାହିତ କର, ଏକମନା ହୁଅ, ଶାନ୍ତିରେ ବାସ କର, ଆଉ ପ୍ରେମ ଓ ଶାନ୍ତିର ଈଶ୍ୱର ତୁମ୍ଭମାନଙ୍କ ସହିତ ରହିବେ । ୧୨ ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର । ୧୩ ସମସ୍ତ ସାଧୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । ୧୪ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ଈଶ୍ୱରଙ୍କ ପ୍ରେମ ଓ ପବିତ୍ର ଆତ୍ମାଙ୍କ ସହଭାଗିତା ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ ।