The Epistle of Paul the Apostle to the
Galatians
ଗାଲାତୀୟ ମଣ୍ଡଳୀ ନିକଟକୁ
ପ୍ରେରିତ ପାଉଲଙ୍କ ପତ୍ର
ଅଭିବାଦନ
୧ ମୁଁ ପାଉଲ, ଜଣେ ପ୍ରେରିତ ମନୁଷ୍ୟଠାରୁ ନୁହେଁ, କି ମନୁଷ୍ୟ ଦ୍ୱାରା ନୁହେଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏବଂ ଯେଉଁ ପିତା ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ଦ୍ୱାରା, ୨ ଆଉ ମୋହର ସାଙ୍ଗରେ ଥିବା ଭାଇ ସମସ୍ତେ ଗାଲାତୀୟ ମଣ୍ଡଳୀଗୁଡିକୁ; ୩ ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ; ୪ ସେ ଆମ୍ଭମାନଙ୍କ ପିତା ଈଶ୍ୱରଙ୍କ ଇଚ୍ଛାନୁସାରେ ଏହି ପାପମୟ ଜଗତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାକୁ ପ୍ରଦାନ କଲେ; ୫ ଯୁଗେ ଯୁଗେ ତାହାଙ୍କର ଗୌରବ ହେଉ । ଆମେନ୍‍ ।
ଏକମାତ୍ର ସୁସମାଚାର
୬ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମ୍ଭେମାନେ ଯେ ଏତେ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି; ୭ ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି । ୮ କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗରୁ ଦୂତ ହେଲେ ମଧ୍ୟ ତା ବ୍ୟତୀତ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ । ୯ ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ, ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କରିଥିଲ, ତା ବ୍ୟତୀତ ଯଦି କୌଣସି ଲୋକ ଅନ୍ୟ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶ୍ରାପଗ୍ରସ୍ତ ହେଉ । ୧୦ ମୁଁ କି ଏବେ ମନୁଷ୍ୟମାନଙ୍କର କିମ୍ବା ଈଶ୍ୱରଙ୍କର ପ୍ରିୟପାତ୍ର ହେବାକୁ ଯତ୍ନ କରୁଅଛି ? ଅବା ମନୁଷ୍ୟମାନଙ୍କୁ କି ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଅଛି ? ଯଦି ମୁଁ ଏବେ ସୁଦ୍ଧା ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରୁଥାଆନ୍ତି, ତେବେ ମୁଁ ଖ୍ରୀଷ୍ଟଙ୍କର ଦାସ ହୁଅନ୍ତି ନାହିଁ ।
ପାଉଲ ଈଶ୍ୱରଙ୍କ ଦ୍ୱାରା ଆହୂତ
୧୧ କାରଣ, ହେ ଭାଇମାନେ, ଯେଉଁ ସୁସମାଚାର ମୋ' ଦ୍ୱାରା ପ୍ରଚାରିତ ହୋଇଅଛି, ସେ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଜଣାଉଅଛି ଯେ, ତାହା ମନୁଷ୍ୟର ମତାନୁଯାୟୀ ନୁହେଁ; ୧୨ ଯେଣୁ ମୁଁ ତାହା ମନୁଷ୍ୟଠାରୁ ପାଇ ନାହିଁ କିଅବା ଶିକ୍ଷା କରି ନାହିଁ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ୱାରା ପାଇଅଛି । ୧୩ ପୂର୍ବେ ଯିହୂଦୀ ଧର୍ମରେ ମୋହର ଆଚାର ବ୍ୟବହାର ସମ୍ବନ୍ଧରେ ତୁମ୍ଭେମାନେ ତ ଶୁଣିଅଛ, ମୁଁ ଈଶ୍ୱରଙ୍କ ମଣ୍ଡଳୀ କି ଅତିରିକ୍ତ ଭାବରେ ତାଡ଼ନା କରୁଥିଲି ଓ ତାହା ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲି, ୧୪ ଆଉ, ମୋହର ପିତୃପୁରୁଷଙ୍କ ପରମ୍ପରାଗତ ରୀତିନୀତି ନିମନ୍ତେ ଅତ୍ୟନ୍ତ ଉଦ୍‍ଯୋଗୀ ହୋଇ ମୋହର ସମବୟସ୍କ ସ୍ୱଜାତି ଲୋକମାନଙ୍କ ମଧ୍ୟରେ ଅନେକଙ୍କଠାରୁ ବଳି ଯିହୂଦୀ ଧର୍ମରେ ଅଗ୍ରସର ହେଉଥିଲି । ୧୫ କିନ୍ତୁ ଯେ ମୋହର ମାତାଙ୍କ ଉଦରରୁ ମୋତେ ପୃଥକ୍ କରିଥିଲେ ଓ ଆପଣା ଅନୁଗ୍ରହରେ ମୋତେ ଆହ୍ୱାନ କଲେ, ୧୬ ସେ ଯେତେବେଳେ ଆପଣା ପୁତ୍ରଙ୍କୁ ମୋ'ଠାରେ ପ୍ରକାଶ କରିବା ନିମନ୍ତେ ସନ୍ତୁଷ୍ଟ ହେଲେ, ଯେପରି ମୁଁ ଅଣଯିହୂଦୀମାନଙ୍କ ମଧ୍ୟରେ ତାହାଙ୍କୁ ପ୍ରଚାର କରେ, ସେତେବେଳେ ମୁଁ ମନୁଷ୍ୟ ସହିତ ପରାମର୍ଶ ନ କରି ୧୭ କିଅବା ମୋ' ପୂର୍ବରେ ନିଯୁକ୍ତ ପ୍ରେରିତମାନଙ୍କ ନିକଟକୁ ଯିରୂଶାଲମକୁ ନ ଯାଇ ସେହିକ୍ଷଣି ଆରବକୁ ବାହାରିଗଲି; ପୁନଶ୍ଚ ମୁଁ ଦମ୍ମେସକକୁ ବାହୁଡ଼ି ଆସିଲି । ୧୮ ତାହା ପରେ ତିନି ବର୍ଷ ଉତ୍ତାରେ ମୁଁ ପିତରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଯିରୂଶାଲମକୁ ଗଲି ଓ ତାଙ୍କ ସହିତ ପନ୍ଦର ଦିନ ରହିଲି । ୧୯ କିନ୍ତୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ପ୍ରେରିତମାନଙ୍କର ଅନ୍ୟ କାହାରିକୁ ଦେଖିଲି ନାହିଁ । ୨୦ ମୁଁ ଯେଉଁ ସବୁ ବିଷୟ ତୁମ୍ଭମାନଙ୍କୁ ଲେଖୁଅଛି, ଦେଖ, ଈଶ୍ୱରଙ୍କ ସାକ୍ଷାତରେ କହୁଅଛି, ମୁଁ ମିଥ୍ୟା କହୁ ନାହିଁ ୨୧ ପରେ ମୁଁ ସିରିୟା ଓ କିଲିକିୟା ଅଞ୍ଚଳକୁ ଗଲି । ୨୨ ଯିହୂଦା ପ୍ରଦେଶର ଖ୍ରୀଷ୍ଟାଶ୍ରିତ ମଣ୍ଡଳୀସମୂହ ନିକଟରେ ମୁଁ ବ୍ୟକ୍ତିଗତଭାବେ ପରିଚିତ ନ ଥିଲି; ୨୩ ସେମାନେ କେବଳ ଶୁଣୁଥିଲେ, ଯେଉଁ ବ୍ୟକ୍ତି ପୂର୍ବେ ଆମ୍ଭମାନଙ୍କୁ ତାଡ଼ନା କରୁଥିଲେ, ସେ ଥରେ ଯେଉଁ ବିଶ୍ୱାସମତକୁ ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲେ, ତାହା ଏବେ ପ୍ରଚାର କରୁଅଛନ୍ତି; ୨୪ ଆଉ ସେମାନେ ମୋ' ସକାଶେ ଈଶ୍ୱରଙ୍କ ପ୍ରଶଂସା କରୁଥିଲେ ।