୧୦
୧ ମଲା ମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରି ପକାଏ;
ତଦ୍ରୂପ ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରୀ।
୨ ଜ୍ଞାନୀର ହୃଦୟ ତାହାକୁ ସଠିକ୍ ପଥରେ ନିଏ;
ମାତ୍ର ମୂର୍ଖର ହୃଦୟ ତାହାକୁ ଭୁଲ୍ ପଥରେ ନିଏ।
୩ ଆହୁରି, ମୂର୍ଖ ପଥରେ ଗମନ କଲା ବେଳେ ତାହାର ବୁଦ୍ଧିର ଅଭାବ ଦେଖାଯାଏ,
ପୁଣି ସେ ପ୍ରତ୍ୟେକକୁ କହେ ଯେ, ସେ ମୂର୍ଖ।
୪ ତୁମ୍ଭ ଉପରେ ଶାସନକର୍ତ୍ତାର ମନରେ ବିରୁଦ୍ଧଭାବ ଉତ୍ପନ୍ନ ହେଲେ, ଆପଣା ସ୍ଥାନ ଛାଡ଼ ନାହିଁ;
କାରଣ ଅଧୀନତା ସ୍ୱୀକାର ଦ୍ୱାରା ମହା ମହା ଅନିଷ୍ଟ କ୍ଷାନ୍ତ ହୁଏ।
୫ ମୁଁ ସୂର୍ଯ୍ୟ ତଳେ ଏକ ମନ୍ଦ ବିଷୟ ଦେଖିଅଛି,
ତାହା ଶାସନକର୍ତ୍ତାଠାରୁ ଉତ୍ପନ୍ନ ଭୁଲ୍ ତୁଲ୍ୟ ଅଟେ;
୬ ମୂର୍ଖତା ଅତି ଉଚ୍ଚ ପଦରେ ସ୍ଥାପିତ ହୁଏ,
ପୁଣି ଧନୀ ନୀଚ ସ୍ଥାନରେ ବସେ।
୭ ମୁଁ ଦାସମାନଙ୍କୁ ଅଶ୍ୱ ଉପରେ
ଓ ଅଧିପତିମାନଙ୍କୁ ଦାସ ତୁଲ୍ୟ ପାଦଗତିରେ ଗମନ କରିବାର ଦେଖିଅଛି।
୮ ଯେ ଗର୍ତ୍ତ ଖୋଳେ, ସେ ତହିଁରେ ପଡ଼ିବ
ଓ ଯେଉଁ ଲୋକ ବେଢ଼ା ଭାଙ୍ଗେ, ତାହାକୁ ସର୍ପ କାମୁଡ଼ିବ।
୯ ଯେଉଁ ଲୋକ ପଥର ଖୋଳେ, ସେ ତଦ୍ଦ୍ୱାରା ଆଘାତ ପାଇବ;
ପୁଣି, ଯେ କାଠ ଚିରେ, ସେ ତଦ୍ଦ୍ୱାରା ଆପଦଗ୍ରସ୍ତ ହୁଏ।
୧୦ ଲୁହା ଦନ୍ଥରା ହେଲେ ଯଦି କେହି ତାହାର ଦାଢ଼ ନ ପଜାଏ,
ତେବେ ତାହା ଉତ୍ତାରେ ଅଧିକ ବଳ ପ୍ରୟୋଗ କରିବାକୁ ହୁଏ;
ମାତ୍ର କର୍ତ୍ତବ୍ୟକୁ ଦେଖାଇବା ପାଇଁ ଜ୍ଞାନ ଫଳଦାୟକ।
୧୧ ସର୍ପ ମନ୍ତ୍ରମୁଗ୍ଧ ହେବା ପୂର୍ବରୁ କାମୁଡ଼ିଲେ ଗୁଣିଆର କିଛି ଲାଭ ନାହିଁ।
୧୨ ଜ୍ଞାନୀର ମୁଖର ବାକ୍ୟ ଅନୁଗ୍ରହଜନକ;
ମାତ୍ର ମୂର୍ଖର ନିଜ ଓଷ୍ଠାଧର ତାହାକୁ ଗ୍ରାସ କରିବ।
୧୩ ତାହାର ମୁଖର ବାକ୍ୟାରମ୍ଭ ଅଜ୍ଞାନତା ଅଟେ
ଓ ତାହାର କଥାର ଶେଷ ଦୁଃଖଦାୟୀ ପାଗଳାମି ଅଟେ।
୧୪ ମୂର୍ଖ ବହୁତ କଥା କହେ; ତଥାପି କଅଣ ହେବ, ମନୁଷ୍ୟ ଜାଣେ ନାହିଁ;
ଆଉ, ତାହା ଉତ୍ତାରେ ଯାହା ଘଟିବ, କିଏ ତାହାକୁ ଜଣାଇ ପାରେ ?
୧୫ ପ୍ରତ୍ୟେକ ମୂର୍ଖର ପରିଶ୍ରମ ତାହାକୁ କ୍ଳାନ୍ତ କରେ,
କାରଣ କିପରି ନଗରକୁ ଯିବାର ହୁଏ, ତାହା ସେ ଜାଣେ ନାହିଁ।
୧୬ ହେ ଦେଶ, ତୁମ୍ଭର ରାଜା ଯଦି ବାଳକ* ବାଳକ ଅର୍ଥାତ୍ ଦାସ ହୁଏ
ଓ ତୁମ୍ଭର ଅଧିପତିଗଣ ଯଦି ପ୍ରଭାତରେ ଭୋଜନ କରନ୍ତି,
ତେବେ ତୁମ୍ଭେ ସନ୍ତାପର ପାତ୍ର।
୧୭ ହେ ଦେଶ, କୁଳୀନର ପୁତ୍ର ଯେବେ ତୁମ୍ଭର ରାଜା ହୁଏ
ଓ ତୁମ୍ଭର ଅଧିପତିଗଣ ଯେବେ ମତ୍ତତା ନିମନ୍ତେ ନୁହେଁ,
ମାତ୍ର ବଳ ନିମନ୍ତେ ଉପଯୁକ୍ତ ସମୟରେ ଭୋଜନ କରନ୍ତି, ତେବେ ତୁମ୍ଭେ ଧନ୍ୟ !
୧୮ ଆଳସ୍ୟରେ ଛାତ ବସିଯାଏ,
ପୁଣି ହସ୍ତର ଶିଥିଳତାରେ ଗୃହରେ ଜଳ ଝରେ।
୧୯ ହାସ୍ୟ ନିମନ୍ତେ ଭୋଜ ପ୍ରସ୍ତୁତ ହୁଏ,
ପୁଣି ଦ୍ରାକ୍ଷାରସ ଜୀବନ ଆନନ୍ଦିତ କରେ;
ଧନ ସବୁ କାର୍ଯ୍ୟରେ ଆସେ।
୨୦ ରାଜାଙ୍କୁ ଅଭିଶାପ ଦିଅ ନାହିଁ, ନା ମନେ ମନେ ହିଁ ଦିଅ ନାହିଁ;
ଆଉ, ଧନୀକୁ ଆପଣା ଶୟନ ଗୃହରେ ଅଭିଶାପ ଦିଅ ନାହିଁ;
କାରଣ ଶୂନ୍ୟର ପକ୍ଷୀ ସେହି ରବ ଘେନି ଯିବ
ଓ ପକ୍ଷଧାରୀ ସେ କଥା ଜଣାଇ ଦେବ।

*୧୦:୧୬ ବାଳକ ଅର୍ଥାତ୍ ଦାସ