୧୧
ଜ୍ଞାନୀର କର୍ତ୍ତବ୍ୟ
୧ ତୁମ୍ଭେ ଜଳ ଉପରେ ଆପଣା ଭକ୍ଷ୍ୟ ପକାଅ,
କାରଣ ଅନେକ ଦିନ ଉତ୍ତାରେ ତାହା ପାଇବ।
୨ ସାତ ଜଣକୁ, ବରଞ୍ଚ ଆଠ ଜଣକୁ ଅଂଶ ବିତରଣ କର;
କାରଣ ପୃଥିବୀରେ କି ବିପଦ ଘଟିବ,
ତାହା ତୁମ୍ଭେ ଜାଣ ନାହିଁ।
୩ ମେଘମାଳ ବୃଷ୍ଟିରେ ପୂର୍ଣ୍ଣ ହେଲେ ପୃଥିବୀରେ ତାହା ଢାଳି ଦିଅନ୍ତି;
ପୁଣି, ବୃକ୍ଷ ଯଦି ଦକ୍ଷିଣ କି ଉତ୍ତର ଦିଗରେ ପଡ଼େ,
ତେବେ ଯେଉଁ ସ୍ଥାନରେ ପଡ଼େ, ସେହି ସ୍ଥାନରେ ରହିବ।
୪ ଯେଉଁ ଲୋକ ପବନକୁ ଅନାଏ, ସେ ବୁଣିବ ନାହିଁ
ଓ ଯେଉଁ ଲୋକ ମେଘକୁ ଅନାଏ, ସେ କାଟିବ ନାହିଁ।
୫ ତୁମ୍ଭେ ଯେପରି ବାୟୁର ଗତି,
ଅବା ଗର୍ଭବତୀର ଉଦରରେ ଅସ୍ଥି କିପରି ବଢ଼େ, ତାହା ଜାଣ ନାହିଁ,
ସେପରି ସର୍ବସାଧକ ପରମେଶ୍ୱରଙ୍କ କର୍ମ ହିଁ ଜାଣ ନାହିଁ।
୬ ତୁମ୍ଭେ ପ୍ରଭାତରେ ବୀଜ ବୁଣ
ଓ ସନ୍ଧ୍ୟା ବେଳେ ଆପଣା ହସ୍ତ ବନ୍ଦ କର ନାହିଁ;
କାରଣ ଏହା ଅବା ତାହା ସିଦ୍ଧ ହେବ,
ଅବା ଉଭୟ ସମାନ ଉତ୍ତମ ହେବ,
ଏହା ତୁମ୍ଭେ ଜାଣ ନାହିଁ।
୭ ପ୍ରକୃତରେ ଆଲୁଅ ସୁଖଦାୟକ,
ପୁଣି ଚକ୍ଷୁ ପକ୍ଷରେ ସୂର୍ଯ୍ୟ ଦର୍ଶନ ତୁଷ୍ଟିକର।
୮ ହଁ, ଯଦି ମନୁଷ୍ୟ ଅନେକ ବର୍ଷ ବଞ୍ଚେ,
ତେବେ ସେହି ସବୁରେ ସେ ଆନନ୍ଦ କରୁ;
ମାତ୍ର ଅନ୍ଧକାରର ଦିନସବୁ ସେ ମନେ ରଖୁ,
କାରଣ ସେହି ଦିନସବୁ ଅନେକ ହେବ।
ଯାହା ଯାହା ଘଟେ, ସବୁ ଅସାର।
ଯୁବ ସଂପ୍ରଦାୟକୁ ପରାମର୍ଶ
୯ ହେ ଯୁବା ଲୋକ, ତୁମ୍ଭେ ଆପଣା ଯୌବନାବସ୍ଥାରେ ଆନନ୍ଦ କର
ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ,
ପୁଣି ଆପଣା ମନର ଗତିରେ ଓ ଆପଣା ଚକ୍ଷୁର ଦର୍ଶନରେ ଚାଲ;
ମାତ୍ର ପରମେଶ୍ୱର ଏହିସବୁ ବିଷୟ ଧରି ତୁମ୍ଭକୁ ବିଚାରରେ ଆଣିବେ,
ଏହା ତୁମ୍ଭେ ଜ୍ଞାତ ହୁଅ।
୧୦ ଏହେତୁ ଆପଣା ହୃଦୟରୁ ବିରକ୍ତି ଦୂର କର
ଓ ଆପଣା ଶରୀରରୁ ଦୁଃଖ ଦୂର କର;
କାରଣ ଯୌବନ ଓ ଜୀବନର ଉତ୍ତମାଂଶ ଅସାର।