ପାଉଲ ପ୍ରେରିତମାନଙ୍କ ଦ୍ୱାରା ଗୃହୀତ
୧ ତାହା ପରେ ଚଉଦବର୍ଷ ଗତ ହୁଅନ୍ତେ, ମୁଁ ବର୍ଣ୍ଣବ୍ବାଙ୍କ ସହିତ ପୁନଶ୍ଚ ଯିରୂଶାଲମକୁ ଗଲି, ତୀତସଙ୍କୁ ମଧ୍ୟ ସାଙ୍ଗରେ ଘେନିଯାଇଥିଲି । ୨ ମୁଁ ପ୍ରତ୍ୟାଦେଶ ପ୍ରାପ୍ତ ହୋଇ ଗମନ କଲି; ଆଉ ମୁଁ ଅଣଯିହୂଦୀମାନଙ୍କ ମଧ୍ୟରେ ଯେଉଁ ସୁସମାଚାର ପ୍ରଚାର କରୁଅଛି, ତାହା ସେମାନଙ୍କୁ ବୁଝାଇଦେଲି, କିନ୍ତୁ ମୋହର ପୂର୍ବ ଅବା ବର୍ତ୍ତମାନ ପରିଶ୍ରମ ଯେପରି ବିଫଳ ନ ହୁଏ, ଏଥିପାଇଁ ଯେଉଁମାନେ ସମ୍ମାନ ଯୋଗ୍ୟ, କେବଳ ସେମାନଙ୍କୁ ପୃଥକ ଭାବରେ ବୁଝାଇଲି । ୩ ମାତ୍ର ମୋହର ସଙ୍ଗୀ ତୀତସ, ଯେ ଗ୍ରୀକ୍‍ ଲୋକ ଥିଲେ, ସେ ସୁଦ୍ଧା ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲେ; ୪ ଆମ୍ଭମାନଙ୍କ ମଧ୍ୟକୁ ଆନୀତ କେତେ ଜଣ ଭଣ୍ଡ ଭ୍ରାତା ସକାଶେ ଏପରି ହେଲା; ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କର ଯେଉଁ ସ୍ୱାଧୀନତା ଅଛି, ଚର ସ୍ୱରୂପେ ସେଥିର ଛିଦ୍ର ଅନ୍ୱେଷଣ କରି ଆମ୍ଭମାନଙ୍କୁ ଦାସତ୍ୱର ବନ୍ଧନରେ ଆବଦ୍ଧ କରିବା ନିମନ୍ତେ ସେମାନେ ଗୁପ୍ତରେ ପ୍ରବେଶ କରିଥିଲେ; ୫ କିନ୍ତୁ ସୁସମାଚାରର ସତ୍ୟ ଯେପରି ତୁମ୍ଭମାନଙ୍କ ନିକଟରେ ସ୍ଥାୟୀ ହୋଇ ରହେ, ଏଥିପାଇଁ ଆମ୍ଭେମାନେ ଦଣ୍ଡେମାତ୍ର ଅଧୀନତା ସ୍ୱୀକାର କରି ସେମାନଙ୍କର ବଶବର୍ତ୍ତୀ ହୋଇ ନ ଥିଲୁ । ୬ ଆଉ ଯେଉଁମାନେ ଗଣ୍ୟମାନ୍ୟ ବୋଲି ଖ୍ୟାତ (ସେମାନେ କି ପ୍ରକାର ଲୋକ ଥିଲେ, ସେଥିରେ ମୋହର ଯାଏ ଆସେ ନାହିଁ; ଈଶ୍ୱର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ), ସେହି ଗଣ୍ୟମାନ୍ୟ ବ୍ୟକ୍ତିମାନେ ମୋତେ କିଛି ନୂଆ ଶିକ୍ଷା ଦେଲେ ନାହିଁ, ୭ ବରଂ ଅନ୍ୟ ପକ୍ଷରେ ଯେତେବେଳେ ସେମାନେ ଦେଖିଲେ ଯେ, ପିତରଙ୍କୁ ଯେପରି ସୁନ୍ନତିପ୍ରାପ୍ତମାନଙ୍କ ମଧ୍ୟରେ, ମୋତେ ସେହିପରି ଅସୁନ୍ନତିପ୍ରାପ୍ତମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିବାର ଭାର ଅର୍ପିତ ହୋଇଅଛି, ୮ (କାରଣ ସୁନ୍ନତିମାନଙ୍କ ନିକଟରେ ପ୍ରେରିତପଦର କର୍ମ କରିବା ନିମନ୍ତେ ଯେ ପିତରଙ୍କୁ ସକ୍ଷମ କଲେ, ଅଣଯିହୂଦୀମାନଙ୍କ ନିକଟରେ ସେହି କର୍ମ କରିବାକୁ ସେ ମୋତେ ମଧ୍ୟ ସକ୍ଷମ କଲେ), ୯ ଆଉ, ଯେତେବେଳେ ସେମାନେ ମୋତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ୱରୂପେ ଖ୍ୟାତ ଯାକୁବ, ପିତର ଓ ଯୋହନ ମୋତେ ଓ ବର୍ଣ୍ଣବ୍ବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ଅଣଯିହୂଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି; ୧୦ ଆମ୍ଭେମାନେ ଯେପରି ଦରିଦ୍ରମାନଙ୍କୁ ସ୍ମରଣ କରୁ, କେବଳ ଏହା ସେମାନେ ଆମ୍ଭମାନଙ୍କୁ କହିଥିଲେ; ତାହା କରିବା ନିମନ୍ତେ ମୁଁ ମଧ୍ୟ ଉଦ୍‍ଯୋଗୀ ଥିଲି ।
ପିତରଙ୍କୁ ପାଉଲଙ୍କର ଅନୁଯୋଗ
୧୧ କିନ୍ତୁ ଯେତେବେଳେ କୈଫା ଆନ୍ତିୟଖିଆକୁ ଆସିଥିଲେ, ସେତେବେଳେ ମୁଁ ମୁଖ ଉପରେ ତାଙ୍କୁ ଅନୁଯୋଗ କଲି, କାରଣ ସେ ଦୋଷୀ ଥିଲେ । ୧୨ ଯେଣୁ ଯାକୁବଙ୍କଠାରୁ କେତେକ ଜଣ ଆସିବା ପୂର୍ବେ ସେ ଅଣଯିହୂଦୀ ବିଶ୍ୱାସୀମାନଙ୍କ ସହିତ ଭୋଜନ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ଆସିଲେ, ସେତେବେଳେ ସେ ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ସେମାନଙ୍କର ସଙ୍ଗ ପରିତ୍ୟାଗ କରି ଆପଣାକୁ ପୃଥକ୍ ରଖିଲେ । ୧୩ ଆଉ, ଅବଶିଷ୍ଟ ଯିହୂଦୀ ବିଶ୍ୱାସୀମାନେ ମଧ୍ୟ ତାଙ୍କ ସହିତ ସେହି ପ୍ରକାରେ କପଟ ବ୍ୟବହାର କଲେ, ଏପରିକି ବର୍ଣ୍ଣବ୍ବା ସୁଦ୍ଧା ସେମାନଙ୍କ କପଟରେ ପଡ଼ିଗଲେ । ୧୪ କିନ୍ତୁ ଯେତେବେଳେ ମୁଁ ଦେଖିଲି ଯେ, ସେମାନେ ସୁସମାଚାରର ସତ୍ୟ ଅନୁଯାୟୀ ସରଳ ଭାବରେ ଆଚରଣ କରୁ ନାହାଁନ୍ତି, ସେତେବେଳେ ମୁଁ ସମସ୍ତଙ୍କ ସାକ୍ଷାତରେ କୈଫାଙ୍କୁ କହିଲି, ତୁମ୍ଭେ ଯିହୂଦୀ ହୋଇ ଯଦି ଯିହୂଦୀମାନଙ୍କ ପରି ବ୍ୟବହାର ନ କରି ଅଣଯିହୂଦୀମାନଙ୍କ ପରି ବ୍ୟବହାର କର, ତେବେ ତୁମ୍ଭେ କିପରି ଅଣଯିହୂଦୀମାନଙ୍କୁ ଯିହୂଦୀମାନଙ୍କ ପରି ବ୍ୟବହାର କରିବା ନିମନ୍ତେ ବାଧ୍ୟ କରୁଅଛ ?
ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ
୧୫ ଆମ୍ଭେମାନେ ଜନ୍ମରେ ଯିହୂଦୀ, ଅଣଯିହୂଦୀ ପାପୀ ନୋହୁଁ, ୧୬ ତଥାପି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ, ଏହା ଜାଣି ଆମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ, ଯେପରି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା ଧାର୍ମିକ ଗଣିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେଉ; କାରଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ମନୁଷ୍ୟ ଧାର୍ମିକ ଗଣିତ ହେବ ନାହିଁ । ୧୭ କିନ୍ତୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚେଷ୍ଟା କରି ଆମ୍ଭେମାନେ ନିଜେ ମଧ୍ୟ ଯଦି ପାପୀ ବୋଲି ଦେଖାଗଲୁ, ତେବେ ଖ୍ରୀଷ୍ଟ କି ପାପର ସେବକ ? ତାହା କେବେ ହେଁ ନ ହେଉ । ୧୮ କାରଣ ମୁଁ ଯାହା ଯାହା ଭାଙ୍ଗିଅଛି, ସେହି ସବୁ ଯଦି ଆଉ ଥରେ ନିର୍ମାଣ କରେ, ତେବେ ମୁଁ ନିଜକୁ ଅପରାଧୀ ବୋଲି ପ୍ରମାଣ କରୁଅଛି । ୧୯ ଯେଣୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଜୀବିତ ହେବା ନିମନ୍ତେ ମୁଁ ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ମୋଶାଙ୍କ ବ୍ୟବସ୍ଥା ପ୍ରତି ମୃତ ହୋଇଅଛି । ୨୦ ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି; ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ'ଠାରେ ଜୀବିତ ଅଛନ୍ତି; ପୁଣି, ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍‍, ଈଶ୍ୱରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ' ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି । ୨୧ ମୁଁ ଈଶ୍ୱରଙ୍କ ଅନୁଗ୍ରହକୁ ବ୍ୟର୍ଥ କରୁ ନାହିଁ; କାରଣ ଯଦି ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହୁଏ, ତାହାହେଲେ ଖ୍ରୀଷ୍ଟଙ୍କ ମୃତ୍ୟୁଭୋଗ କରିବା ବୃଥା ।