୧ କିନ୍ତୁ ଯୀଶୁ ଜୀତପର୍ବତକୁ ଗଲେ । ୨ ପ୍ରତ୍ୟୁଷରେ ସେ ପୁନର୍ବାର ମନ୍ଦିରକୁ ଆସିଲେ, ପୁଣି, ସମସ୍ତ ଲୋକ ତାହାଙ୍କ ନିକଟକୁ ଆସନ୍ତେ, ସେ ଉପବେଶନ କରି ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ । ୩ ଆଉ, ଶାସ୍ତ୍ରୀ ଓ ଫାରୂଶୀମାନେ ବ୍ୟଭିଚାର କର୍ମରେ ଧୃତା ଜଣେ ସ୍ତ୍ରୀଲୋକକୁ ଘେନିଆସି ତାହାକୁ ମଧ୍ୟସ୍ଥଳରେ ଠିଆ କରାଇ ତାହାଙ୍କୁ କହିଲେ, ୪ ହେ ଗୁରୁ, ଏହି ସ୍ତ୍ରୀଲୋକଟି ବ୍ୟଭିଚାର କର୍ମ କରୁଥିବା ସମୟରେ ଧରାପଡ଼ିଅଛି । ୫ ଏହିପରି ଲୋକମାନଙ୍କୁ ପଥର ଫୋପାଡ଼ି ମାରିବାକୁ ମୋଶା ଆମ୍ଭମାନଙ୍କୁ ମୋଶାଙ୍କ ବ୍ୟବସ୍ଥାରେ ଆଜ୍ଞା ଦେଇଅଛନ୍ତି; ତେବେ ଆପଣ କ'ଣ କହୁଅଛନ୍ତି ? ୬ ସେମାନେ ଯେପରି ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇ ପାରନ୍ତି, ଏଥି ନିମନ୍ତେ ସେମାନେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ । କିନ୍ତୁ ଯୀଶୁ ଅଧୋମୁଖ ହୋଇ ଅଙ୍ଗୁଳି ଦ୍ୱାରା ଭୂମିରେ ଲେଖିବାକୁ ଲାଗିଲେ । ୭ ମାତ୍ର ସେମାନେ ତାହାଙ୍କୁ ପୁନଃ ପୁନଃ ପଚାରନ୍ତେ, ସେ ମସ୍ତକ ଉତ୍ତୋଳନ କରି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଯେ ନିଷ୍ପାପ, ସେ ପ୍ରଥମରେ ତାକୁ ପଥର ଫୋପାଡ଼ୁ । ୮ ପୁନର୍ବାର ସେ ଅଧୋମୁଖ ହୋଇ ଭୂମିରେ ଲେଖିବାକୁ ଲାଗିଲେ । ୯ ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ, ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ । ୧୦ ପୁଣି, ଯୀଶୁ ମସ୍ତକ ଉତ୍ତୋଳନ କରି ତାକୁ କହିଲେ, ଗୋ ନାରୀ, ସେମାନେ କାହାନ୍ତି ? କେହି କ'ଣ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କଲେ ନାହିଁ ? ୧୧ ସେ କହିଲା, କେହି ନାହିଁ, ପ୍ରଭୁ । ସେଥିରେ ଯୀଶୁ କହିଲେ, ମୁଁ ମଧ୍ୟ ତୁମ୍ଭକୁ ଦଣ୍ଡନୀୟ ବୋଲି ବିଚାର କରୁ ନାହିଁ; ଯାଅ, ଆଜିଠାରୁ ଆଉ ପାପ କର ନାହିଁ ।]
ଯୀଶୁ ଜଗତର ଜ୍ୟୋତିଃ
୧୨ ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ । ୧୩ ସେଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, ତୁମ୍ଭେ ନିଜ ବିଷୟରେ ସାକ୍ଷ୍ୟ ଦେଉଅଛ, ତୁମ୍ଭର ସାକ୍ଷ୍ୟ ସତ୍ୟ ନୁହେଁ । ୧୪ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଯଦି ନିଜ ବିଷୟରେ ସାକ୍ଷ୍ୟ ଦେଉଥାଏ, ତେବେ ସୁଦ୍ଧା ମୋହର ସାକ୍ଷ୍ୟ ସତ୍ୟ, କାରଣ ମୁଁ କେଉଁ ସ୍ଥାନରୁ ଆସିଅଛି ଓ କେଉଁ ସ୍ଥାନକୁ ଯାଉଅଛି, ତାହା ଜାଣେ, କିନ୍ତୁ ମୁଁ କେଉଁ ସ୍ଥାନରୁ ଆସେ କିମ୍ବା କେଉଁ ସ୍ଥାନକୁ ଯାଏ, ତାହା ତୁମ୍ଭେମାନେ ଜାଣ ନାହିଁ । ୧୫ ତୁମ୍ଭେମାନେ ମନୁଷ୍ୟ ଭାବରେ ବିଚାର କରିଥାଅ, ମୁଁ କାହାରି ବିଚାର କରେ ନାହିଁ । ୧୬ କିନ୍ତୁ ମୁଁ ଯଦି ବିଚାର କରେ, ତେବେ ସୁଦ୍ଧା ମୋହର ବିଚାର ଯଥାର୍ଥ; କାରଣ ମୁଁ ଏକାକୀ ନୁହେଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ମୋ' ସାଙ୍ଗରେ ଅଛନ୍ତି । ୧୭ ପୁଣି, ଦୁଇ ଜଣଙ୍କର ସାକ୍ଷ୍ୟ ଯେ ସତ୍ୟ, ଏହା ତୁମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥାରେ ମଧ୍ୟ ଲେଖା ଅଛି । ୧୮ ମୁଁ ନିଜେ ନିଜର ସାକ୍ଷୀ, ପୁଣି, ମୋହର ପ୍ରେରଣକର୍ତ୍ତା ପିତା ମୋ' ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି । ୧୯ ସେଥିରେ ସେମାନେ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁମ୍ଭର ପିତା କାହାନ୍ତି ? ଯୀଶୁ ଉତ୍ତର ଦେଲେ, ତୁମ୍ଭେମାନେ ମୋତେ ଜାଣ ନାହିଁ କିମ୍ବା ମୋହର ପିତାଙ୍କୁ ମଧ୍ୟ ଜାଣ ନାହିଁ; ଯଦି ମୋତେ ଜାଣନ୍ତ, ତେବେ ମୋହର ପିତାଙ୍କୁ ମଧ୍ୟ ଜାଣନ୍ତ । ୨୦ ସେ ମନ୍ଦିର ମଧ୍ୟରେ ଶିକ୍ଷା ଦେଉଥିବା ସମୟରେ ଭଣ୍ଡାର ନିକଟରେ ଏହି ସମସ୍ତ କଥା କହିଲେ, କିନ୍ତୁ କେହି ତାହାଙ୍କୁ ଧରିଲେ ନାହିଁ, କାରଣ ତାହାଙ୍କର ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା । ୨୧ ସେଥିରେ ସେ ପୁନର୍ବାର ସେମାନଙ୍କୁ କହିଲେ, ମୁଁ ଯାଉଅଛି, ଆଉ ତୁମ୍ଭେମାନେ ମୋତେ ଖୋଜିବ ଓ ଆପଣା ଆପଣା ପାପରେ ମରିବ, ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେମାନେ ସେଠାକୁ ଯାଇ ପାର ନାହିଁ । ୨୨ ତେଣୁ ଯିହୂଦୀମାନେ କହିବାକୁ ଲାଗିଲେ, ଏ କ'ଣ ଆତ୍ମହତ୍ୟା କରିବ ବୋଲି କହୁଅଛି, ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେମାନେ ସେଠାକୁ ଯାଇ ପାର ନାହିଁ ? ୨୩ ସେଥିରେ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ଅଧଃସ୍ଥାନରୁ ଉତ୍ପନ, ମୁଁ ଊର୍ଦ୍ଧ୍ୱସ୍ଥାନରୁ ଉତ୍ପନ; ତୁମ୍ଭେମାନେ ଜଗତରୁ ଉତ୍ପନ , ମୁଁ ଜଗତରୁ ଉତ୍ପନ ନୁହେଁ । ୨୪ ତେଣୁ ତୁମ୍ଭେମାନେ ଆପଣା ଆପଣା ପାପରେ ମରିବ, ମୁଁ ତୁମ୍ଭମାନଙ୍କୁ ଏହା କହିଲି; କାରଣ ମୁଁ ଯେ ସେହି ବ୍ୟକ୍ତି, ଏହା ତୁମ୍ଭେମାନେ ବିଶ୍ୱାସ ନ କଲେ ଆପଣା ଆପଣା ପାପରେ ମରିବ । ୨୫ ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ କିଏ ? ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ସଙ୍ଗରେ କଥା କହିଲେ ଲାଭ କ'ଣ ? ୨୬ ତୁମ୍ଭମାନଙ୍କ ସମ୍ବନ୍ଧରେ କଥା କହିବାକୁ ଓ ବିଚାର କରିବାକୁ ମୋର ଅନେକ ବିଷୟ ଅଛି; ଯାହା ହେଉ, ମୋହର ପ୍ରେରଣକର୍ତ୍ତା ସତ୍ୟ, ଆଉ ମୁଁ ତାହାଙ୍କଠାରୁ ଯାହା ଯାହା ଶ୍ରବଣ କଲି, ସେହି ସବୁ ଜଗତକୁ ଜଣାଉଅଛି । ୨୭ ସେ ଯେ ପିତାଙ୍କ ସମ୍ବନ୍ଧରେ ସେମାନଙ୍କୁ କହୁଥିଲେ, ଏହା ସେମାନେ ବୁଝିଲେ ନାହିଁ । ୨୮ ଅତଏବ, ଯୀଶୁ କହିଲେ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଗୌରବ ଦେବ, ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ଓ ମୁଁ ନିଜରୁ କିଛି ନ କରି ବରଂ ପିତା ମୋତେ ଯେପ୍ରକାର ଶିକ୍ଷା ଦେଲେ, ସେହି ପ୍ରକାର ଏସମସ୍ତ କଥା ଯେ କହୁଅଛି, ଏହା ତୁମ୍ଭେମାନେ ବୁଝିବ । ୨୯ ମୋହର ପ୍ରେରଣକର୍ତ୍ତା ମୋ' ସାଙ୍ଗରେ ଅଛନ୍ତି; ସେ ମୋତେ ଏକାକୀ କରି ନାହାନ୍ତି, କାରଣ ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ । ୩୦ ସେ ଏହି ସମସ୍ତ କଥା କହନ୍ତେ, ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ ।
ସ୍ୱାଧୀନ ଏବଂ କ୍ରୀତଦାସ
୩୧ ଅତଏବ, ଯୀଶୁ ତାହାଙ୍କୁ ବିଶ୍ୱାସ କରିଥିବା ଯିହୂଦୀମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ମୋହର ବାକ୍ୟରେ ସ୍ଥିର ହୋଇ ରହିବ, ତେବେ ତୁମ୍ଭେମାନେ ପ୍ରକୃତରେ ମୋହର ଶିଷ୍ୟ,
୩୨ ପୁଣି, ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ । ୩୩ ସେମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଅବ୍ରହାମଙ୍କର ବଂଶ, ଆଉ କେବେ ହେଁ କାହାରି ଦାସ ହୋଇ ନାହୁଁ, ତେବେ ତୁମ୍ଭେମାନେ ମୁକ୍ତ ହେବ ବୋଲି ତୁମ୍ଭେ କିପରି କହୁଅଛ ? ୩୪ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ପାପ କରେ, ସେ ପାପର ଦାସ । ୩୫ ଦାସ ଅନନ୍ତକାଳ ଗୃହରେ ରହେ ନାହିଁ, ପୁତ୍ର ଅନନ୍ତକାଳ ରହେ । ୩୬ ଅତଏବ, ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତ କରିବେ, ତାହାହେଲେ ତୁମ୍ଭେମାନେ ପ୍ରକୃତରେ ମୁକ୍ତ ହେବ । ୩୭ ତୁମ୍ଭେମାନେ ଯେ ଅବ୍ରହାମଙ୍କର ବଂଶ, ତାହା ମୁଁ ଜାଣେ; କିନ୍ତୁ ମୋହର ବାକ୍ୟ ତୁମ୍ଭମାନଙ୍କ ଅନ୍ତରରେ ସ୍ଥାନ ନ ପାଇବାରୁ ତୁମ୍ଭେମାନେ ମୋତେ ବଧ କରିବାକୁ ଚେଷ୍ଟା କରୁଅଛ । ୩୮ ମୁଁ ପିତାଙ୍କ ନିକଟରେ ଯାହା ଯାହା ଦେଖିଅଛି, ସେହି ସବୁ କହୁଅଛି; ଅତଏବ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ପିତା ନିକଟରୁ ଯାହା ଯାହା ଶୁଣିଅଛ, ସେହି ସବୁ କର ।
ଶୟତାନର ସନ୍ତାନ
୩୯ ସେମାନେ ତାହାଙ୍କୁ ଉତ୍ତର ଦେଲେ, ଅବ୍ରହାମ ଆମ୍ଭମାନଙ୍କ ପିତା । ଯୀଶୁ ସେମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ଅବ୍ରହାମଙ୍କ ସନ୍ତାନ, ତେବେ ଅବ୍ରହାମଙ୍କ କର୍ମ କର; ୪୦ କିନ୍ତୁ ଯେ ଈଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟ ତୁମ୍ଭମାନଙ୍କୁ କହୁଅଛି, ଏପରିଲୋକ ଯେ ମୁଁ, ମୋତେ ତୁମ୍ଭେମାନେ ଏବେ ବଧ କରିବାକୁ ଚେଷ୍ଟା କରୁଅଛ; ଅବ୍ରହାମ ଏପରି କର୍ମ କଲେ ନାହିଁ । ୪୧ ତୁମ୍ଭେମାନେ ତୁମ୍ଭମାନଙ୍କ ପିତାର କର୍ମସବୁ କରୁଅଛ । ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ବ୍ୟଭିଚାରରୁ ଜାତ ହୋଇ ନାହୁଁ; ଆମ୍ଭମାନଙ୍କର ଏକମାତ୍ର ପିତା, ସେ ଈଶ୍ୱର । ୪୨ ଯୀଶୁ ସେମାନଙ୍କୁ କହିଲେ, ଈଶ୍ୱର ଯଦି ତୁମ୍ଭମାନଙ୍କର ପିତା ହୋଇଥାଆନ୍ତେ, ତାହାହେଲେ ତୁମ୍ଭେମାନେ ମୋତେ ପ୍ରେମ କରନ୍ତ; କାରଣ ମୁଁ ଈଶ୍ୱରଙ୍କଠାରୁ ଆସିଅଛି; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ସେ ମୋତେ ପ୍ରେରଣ କଲେ । ୪୩ ତୁମ୍ଭେମାନେ କାହିଁକି ମୋହର କଥା ବୁଝୁ ନାହଁ ? ତୁମ୍ଭେମାନେ ତ ମୋହର ବାକ୍ୟ ଶୁଣି ପାରୁ ନାହଁ । ୪୪ ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନଠାରୁ ଉତ୍ପନ୍ନ, ଆଉ ତୁମ୍ଭମାନଙ୍କ ପିତାର କାମନା ସାଧନ କରିବା ତୁମ୍ଭମାନଙ୍କର ଇଚ୍ଛା । ସେ ଆଦ୍ୟରୁ ନରଘାତକ, ଆଉ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ । ଯେତେବେଳେ ସେ ମିଥ୍ୟା କହେ, ସେତେବେଳେ ସେ ନିଜଠାରୁ କହେ; କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟାବାଦୀର ପିତା । ୪୫ କିନ୍ତୁ ମୁଁ ସତ୍ୟ କହିଥିବାରୁ ତୁମ୍ଭେମାନେ ମୋତେ ବିଶ୍ୱାସ କରୁ ନାହଁ । ୪୬ ମୋ'ଠାରେ ପାପ ଅଛି ବୋଲି ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରମାଣ ଦେଉଅଛି ? ମୁଁ ଯେବେ ସତ୍ୟ କହେ, ତେବେ ତୁମ୍ଭେମାନେ କାହିଁକି ମୋତେ ବିଶ୍ୱାସ କରୁ ନାହଁ ? ୪୭ ଯେ ଈଶ୍ୱରଙ୍କଠାରୁ ଉତ୍ପନ୍ନ, ସେ ଈଶ୍ୱରଙ୍କ ବାକ୍ୟ ଶୁଣେ; ଏହି ହେତୁ ତୁମ୍ଭେମାନେ ଶୁଣୁ ନାହଁ, କାରଣ ତୁମ୍ଭେମାନେ ଈଶ୍ୱରଙ୍କଠାରୁ ଉତ୍ପନ୍ନ ନୁହଁ ।
ଅବ୍ରହାମଙ୍କ ପୂର୍ବରୁ ଯୀଶୁ ଥିଲେ
୪୮ ଯିହୂଦୀମାନେ ତାହାଙ୍କୁ ଉତ୍ତର ଦେଲେ, ତୁ ଯେ ଜଣେ ଶମିରୋଣୀୟ ଓ ତୋତେ ଯେ ଭୂତ ଲାଗିଅଛି, ଏହା କ'ଣ ଆମ୍ଭେମାନେ ଠିକ‍ କହୁ ନାହୁଁ ? ୪୯ ଯୀଶୁ ଉତ୍ତର ଦେଲେ, ମୋତେ ଭୂତ ଲାଗି ନାହିଁ, କିନ୍ତୁ ମୁଁ ମୋହର ପିତାଙ୍କୁ ସମାଦର କରୁଅଛି, ଆଉ ତୁମ୍ଭେମାନେ ମୋତେ ଅନାଦର କରୁଅଛ । ୫୦ କିନ୍ତୁ ମୁଁ ନିଜର ଗୌରବ ଅନ୍ୱେଷଣ କରେ ନାହିଁ; ଯେ ଅନ୍ୱେଷଣ କରନ୍ତି ଓ ବିଚାର କରନ୍ତି, ଏପରି ଜଣେ ଅଛନ୍ତି । ୫୧ ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁ ଦର୍ଶନ କରିବ ନାହିଁ । ୫୨ ଯିହୂଦୀମାନେ ତାହାଙ୍କୁ କହିଲେ, ଏବେ ଆମ୍ଭେମାନେ ଜାଣିଲୁ ଯେ, ତୋତେ ଭୂତ ଲାଗିଅଛି, ଅବ୍ରହାମ ଓ ଭାବବାଦୀମାନେ ମୃତ୍ୟୁଭୋଗ କରିଅଛନ୍ତି, ଆଉ ତୁ କହୁଅଛୁ, ଯଦି କେହି ମୋହର ବାକ୍ୟ ପାଳନ କରେ, ତାହାହେଲେ ସେ କଦାପି ମୃତ୍ୟୁର ଆସ୍ୱାଦ ପାଇବ ନାହିଁ । ୫୩ ତୁ କ'ଣ ଆମ୍ଭମାନଙ୍କ ପିତା ଅବ୍ରହାମଙ୍କ ଅପେକ୍ଷା ଶ୍ରେଷ୍ଠ? ସେ ତ ମୃତ୍ୟୁଭୋଗ କରିଅଛନ୍ତି, ଭାବବାଦୀମାନେ ମଧ୍ୟ ମୃତ୍ୟୁଭୋଗ କରିଅଛନ୍ତି; ତୁ ନିଜକୁ କିଏ ବୋଲି କହୁଅଛୁ ? ୫୪ ଯୀଶୁ ଉତ୍ତର ଦେଲେ, ମୁଁ ଯଦି ନିଜର ଗୌରବ କରୁଥାଏ, ତେବେ ମୋହର ଗୌରବ କିଛି ନୁହେଁ; ମୋହର ଯେଉଁ ପିତାଙ୍କୁ ତୁମ୍ଭେମାନେ ତୁମ୍ଭମାନଙ୍କ ଈଶ୍ୱର ବୋଲି କହୁଅଛ, ସେ ମୋହର ଗୌରବ କରୁଅଛନ୍ତି ; ୫୫ ଆଉ, ତୁମ୍ଭେମାନେ ତାହାଙ୍କୁ ଜାଣି ନାହଁ, କିନ୍ତୁ ମୁଁ ତାହାଙ୍କୁ ଜାଣେ । ପୁଣି, ମୁଁ ତାହାଙ୍କୁ ଜାଣେ ନାହିଁ ବୋଲି ଯଦି କହିବି, ତାହାହେଲେ ମୁଁ ତୁମ୍ଭମାନଙ୍କ ପରି ମିଥ୍ୟାବାଦୀ ହେବି, କିନ୍ତୁ ମୁଁ ତାହାଙ୍କୁ ଜାଣେ ଓ ତାହାଙ୍କର ବାକ୍ୟ ପାଳନ କରେ । ୫୬ ତୁମ୍ଭମାନଙ୍କର ପିତା ଅବ୍ରାହାମ ମୋହର ଦିନ ଦେଖିବା ଆଶାରେ ଉଲ୍ଲାସ କଲେ, ଆଉ ସେ ତାହା ଦେଖି ଆନନ୍ଦ କଲେ । ୫୭ ସେଥିରେ ଯିହୂଦୀମାନେ ତାହାଙ୍କୁ କହିଲେ, ତୁମ୍ଭକୁ ତ ଏଯାଏଁ ପଚାଶ ବର୍ଷ ବୟସ ହୋଇ ନାହିଁ, ତୁମ୍ଭେ କ'ଣ ଅବ୍ରହାମଙ୍କୁ ଦେଖିଅଛ ? ୫୮ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅବ୍ରହାମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି । ୫୯ ସେଥିରେ ସେମାନେ ତାହାଙ୍କ ଉପରକୁ ଫୋପାଡ଼ିବା ନିମନ୍ତେ ପଥର ଉଠାଇଲେ, କିନ୍ତୁ ଯୀଶୁ ଗୋପନରେ ମନ୍ଦିରରୁ ବାହାରିଗଲେ ।