ଜନ୍ମାନ୍ଧକୁ ଦୃଷ୍ଟି ପ୍ରଦାନ
୧ ସେ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ । ୨ ଆଉ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା ? ନିଜେ ନା ଏହାର ପିତାମାତା ? ୩ ଯୀଶୁ ଉତ୍ତର ଦେଲେ, ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି । ୪ ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ; ଯେଉଁ ସମୟରେ କେହି କର୍ମ କରି ପାରେ ନାହିଁ, ଏପରି ରାତ୍ରି ଆସୁଅଛି । ୫ ମୁଁ ଯେପର୍ଯ୍ୟନ୍ତ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତିଃ । ୬ ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ, ଯାଅ, ୭ ଶିଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) ପୋଖରୀରେ ଧୋଇ ହୁଅ । ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା । ୮ ତେଣୁ ପ୍ରତିବାସୀମାନେ, ପୁଣି, ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କ'ଣ ସେହି ନୁହେଁ ? ୯ କେହି କେହି କହିଲେ, ଏ ସେ; ଆଉ କେହି କେହି କହିଲେ, ନା, ଏ ତାହା ପରି । ସେ କହିଲା, ମୁଁ ସେହି । ୧୦ ସେଥିରେ ସେମାନେ ତାହାକୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା ? ୧୧ ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲଗାଇଲେ ଏବଂ ମୋତେ କହିଲେ, ଶିଲୋହକୁ ଯାଇ ଧୋଇ ହୁଅ; ତେଣୁ ମୁଁ ବାହାରିଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି । ୧୨ ସେମାନେ ତାହାକୁ ପଚାରିଲେ, ସେ କାହିଁ ? ସେ କହିଲା, ମୁଁ ଜାଣେ ନାହିଁ । ୧୩ ଯେ ପୂର୍ବରେ ଅନ୍ଧ ଥିଲା, ସେମାନେ ତାହାକୁ ଫାରୂଶୀମାନଙ୍କ ନିକଟକୁ ଆଣିଲେ । ୧୪ ଯୀଶୁ ଯେଉଁ ଦିନ କାଦୁଅ କରି ତାହାର ଆଖି ଫିଟାଇ ଦେଇଥିଲେ, ସେହି ଦିନ ବିଶ୍ରାମବାର । ୧୫ ଅତଏବ, ସେ କିପରି ଦୃଷ୍ଟି ପାଇଲା, ଏହା ଫାରୂଶୀମାନେ ମଧ୍ୟ ତାହାକୁ ଆଉ ଥରେ ପଚାରିବାକୁ ଲାଗିଲେ । ସେଥିରେ ସେ ସେମାନଙ୍କୁ କହିଲା, ସେ ମୋହର ଆଖିରେ କାଦୁଅ ଲଗାଇଦେଲେ, ପରେ ମୁଁ ଧୋଇ ହେଲି ଓ ଦେଖି ପାରୁଅଛି । ୧୬ ତହୁଁ ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ୱରଙ୍କ ନିକଟରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ । ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହି ପ୍ରକାର ଆଶ୍ଚର୍ଯ୍ୟ କର୍ମସବୁ କରି ପାରେ? ଏହିପରି ଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଲା । ୧୭ ତେଣୁ ସେମାନେ ଆହୁରି ଥରେ ସେହି ଅନ୍ଧ ଲୋକଟିକୁ ପଚାରିଲେ, ସେ ଯେ ତୋର ଆଖି ଫିଟାଇଲା, ଏଥିରେ ତୁ ତା' ବିଷୟରେ କ'ଣ କହୁଛୁ ? ସେ କହିଲା, ସେ ଜଣେ ଭାବବାଦୀ । ୧୮ ସେ ଯେ ଅନ୍ଧ ଥିଲା ଆଉ ଦୃଷ୍ଟି ପାଇଅଛି, ସେହି ଦୃଷ୍ଟି ପାଇଥିବା ଲୋକର ପିତାମାତାଙ୍କୁ ଡାକି ନ ପଚାରିବା ପର୍ଯ୍ୟନ୍ତ ଯିହୂଦୀମାନେ ତାହା ସମ୍ବନ୍ଧରେ ଏହା ବିଶ୍ୱାସ କଲେ ନାହିଁ । ୧୯ ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ଯେଉଁ ପୁଅ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହିଥାଅ, ଏ କ'ଣ ତୁମ୍ଭମାନଙ୍କର ସେହି ପୁଅ ? ତାହାହେଲେ ସେ କିପରି ଏବେ ଦେଖୁଅଛି ? ୨୦ ସେଥିରେ ତାହାର ପିତାମାତା ଉତ୍ତର ଦେଲେ, ଏ ଯେ ଆମ୍ଭମାନଙ୍କର ପୁଅ ଓ ଏ ଯେ ଅନ୍ଧ ହୋଇ ଜନ୍ମ ହୋଇଥିଲା, ଏହା ଆମ୍ଭେମାନେ ଜାଣୁ; ୨୧ କିନ୍ତୁ ସେ କିପରି ଏବେ ଦେଖୁଅଛି, ତାହା ଜାଣୁ ନାହିଁ, କିମ୍ବା କିଏ ତାହାର ଆଖି ଫିଟାଇଦେଲେ, ତାହା ମଧ୍ୟ ଆମ୍ଭେମାନେ ଜାଣୁ ନାହୁଁ; ତାହାକୁ ପଚାରନ୍ତୁ, ସେ ତ ବୟସପ୍ରାପ୍ତ, ସେ ଆପଣା କଥା ଆପେ କହିବ । ୨୨ ତାହାର ପିତାମାତା ଯିହୂଦୀମାନଙ୍କୁ ଭୟ କରୁଥିବାରୁ ଏହି ସମସ୍ତ କଥା କହିଲେ, କାରଣ ଯଦି କେହି ତାହାଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରେ, ତାହାହେଲେ ସେ ସମାଜଗୃହରୁ ବାହାର କରାଯିବ ବୋଲି ସେଥିପୂର୍ବେ ଯିହୂଦୀମାନେ ଏକମତ ହୋଇଥିଲେ । ୨୩ ଅତଏବ, ତାହାର ପିତାମାତା କହିଲେ, ସେ ବୟସପ୍ରାପ୍ତ, ତାହାକୁ ପଚାରନ୍ତୁ । ୨୪ ସେଥିରେ ପୂର୍ବରେ ଅନ୍ଧ ଥିବା ଲୋକକୁ ସେମାନେ ଦ୍ୱିତୀୟ ଥର ଡାକି କହିଲେ, ଈଶ୍ୱରଙ୍କୁ ଗୌରବ ଦିଅ, ସେ ଲୋକଟା ଯେ ପାପୀ, ଏହା ଆମ୍ଭେମାନେ ଜାଣୁ । ୨୫ ସେଥିରେ ସେ ଉତ୍ତର ଦେଲା, ସେ ପାପୀ କି ନୁହେଁ, ମୁଁ ତାହା ଜାଣେ ନାହିଁ; ମୁଁ ଗୋଟିଏ ବିଷୟ ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖି ପାରୁଅଛି । ୨୬ ତେଣୁ ସେମାନେ ତାକୁ କହିଲେ, ସେ ତୋତେ କ'ଣ କଲା ? ସେ କିପ୍ରକାରେ ତୋର ଆଖି ଫିଟାଇଦେଲା ? ୨୭ ସେ ସେମାନଙ୍କୁ ଉତ୍ତର ଦେଲା, ମୁଁ କହିସାରିଲିଣି, ଆଉ ଆପଣମାନେ ଶୁଣିଲେ ନାହିଁ; କାହିଁକି ଆଉ ଥରେ ଶୁଣିବାକୁ ଇଚ୍ଛା କରୁଅଛନ୍ତି ? ଆପଣମାନେ ମଧ୍ୟ କ'ଣ ତାହାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଅଛନ୍ତି ? ୨୮ ସେଥିରେ ସେମାନେ ତାକୁ ଗାଳି ଦେଇ କହିଲେ, ତୁ ତାହାର ଶିଷ୍ୟ, କିନ୍ତୁ ଆମ୍ଭେମାନେ ମୋଶାଙ୍କର ଶିଷ୍ୟ । ୨୯ ଆମ୍ଭେମାନେ ଜାଣୁ ଯେ, ଈଶ୍ୱର ମୋଶାଙ୍କୁ କଥା କହିଅଛନ୍ତି, କିନ୍ତୁ ଏ ଲୋକଟା କେଉଁଠାରୁ ଆସିଅଛି, ତାହା ଆମ୍ଭେମାନେ ଜାଣୁ ନାହିଁ । ୩୦ ସେହି ଲୋକଟି ସେମାନଙ୍କୁ ଉତ୍ତର ଦେଲା, ସେ ମୋହର ଆଖି ଫିଟାଇଦେଲେ, ଆଉ ସେ କେଉଁଠାରୁ ଆସିଅଛନ୍ତି, ତାହା ଆପଣମାନେ ଜାଣନ୍ତି ନାହିଁ, ଏ ତ ଆଶ୍ଚର୍ଯ୍ୟ କଥା । ୩୧ ଈଶ୍ୱର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଏହା ଆମ୍ଭେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ୱରଭକ୍ତ ହୋଇ ତାହାଙ୍କର ଇଚ୍ଛା ସାଧନ କରେ, ତାହାହେଲେ ସେ ତା'ର କଥା ଶୁଣନ୍ତି । ୩୨ କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କଦାପି ଶୁଣାଯାଇ ନ ଥିଲା । ୩୩ ଏ ଈଶ୍ୱରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ । ୩୪ ସେମାନେ ତାକୁ ଉତ୍ତର ଦେଲେ, ତୁ ତ ପୁରା ପାପରେ ଜନ୍ମ ହେଲୁ, ଆଉ ତୁ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛୁ ? ସେଥିରେ ସେମାନେ ତାକୁ ବାହାର କରିଦେଲେ । ୩୫ ସେମାନେ ଯେ ତାକୁ ବାହାର କରିଦେଇଅଛନ୍ତି, ଯୀଶୁ ଏହା ଶୁଣି ତା'ର ଦେଖା ପାଇ କହିଲେ, ତୁମ୍ଭେ କ'ଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଅଛ ? ୩୬ ସେ ଉତ୍ତର ଦେଲା, ହେ ପ୍ରଭୁ, ସେ କିଏ କହନ୍ତୁ, ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିବି ? ୩୭ ଯୀଶୁ ତାକୁ କହିଲେ, ତୁମ୍ଭେ ତାହାଙ୍କୁ ଦେଖିଅଛ, ଆଉ ଯେ ତୁମ୍ଭ ସାଙ୍ଗରେ କଥା କହୁଅଛନ୍ତି, ସେ ସେହି । ୩୮ ସେଥିରେ ସେ କହିଲା, ପ୍ରଭୁ ମୁଁ ବିଶ୍ୱାସ କରୁଅଛି; ଆଉ, ସେ ତାହାଙ୍କୁ ପ୍ରଣାମ କଲା । ୩୯ ପୁଣି, ଯୀଶୁ କହିଲେ, ଦେଖୁ ନ ଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକେ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି । ୪୦ ଫାରୂଶୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ କ'ଣ ଅନ୍ଧ ? ୪୧ ଯୀଶୁ ସେମାନଙ୍କୁ କହିଲେ, ଯଦି ଅନ୍ଧ ହୋଇଥା'ନ୍ତ, ତାହାହେଲେ ତୁମ୍ଭମାନଙ୍କର ପାପ ନ ଥାଆନ୍ତା, କିନ୍ତୁ ଆମ୍ଭେମାନେ ଦେଖୁଅଛୁ, ଏହା ଏବେ କହୁଅଛ; ତୁମ୍ଭେମାନେ ପାପରେ ରହୁଅଛ ।