୩୨
ପାପ ସ୍ୱୀକାର ଓ କ୍ଷମା
ଦାଉଦଙ୍କ ଗୀତ।
 
୧ ଯାହାର ଅପରାଧ କ୍ଷମା,
ଯାହାର ପାପ ଆଚ୍ଛାଦିତ ହୋଇଅଛି, ସେ ଧନ୍ୟ।
୨ ସଦାପ୍ରଭୁ ଯାହା ପ୍ରତି ଅଧର୍ମର ଆରୋପ ନ କରନ୍ତି
ଓ ଯାହାର ଆତ୍ମାରେ ପ୍ରବଞ୍ଚନା ନାହିଁ, ସେ ଧନ୍ୟ।
୩ ମୁଁ ମୌନ ହୋଇ ଥିବା ବେଳେ ଦିନସାରା ଆର୍ତ୍ତନାଦ
କରିବା ଦ୍ୱାରା ମୋହର ଅସ୍ଥିସବୁ କ୍ଷୟ ପାଇଲା।
୪ କାରଣ ଦିବାରାତ୍ର ତୁମ୍ଭ ହସ୍ତ ମୋ’ ଉପରେ ଭାରୀ ଥିଲା;
ମୋହର ଶକ୍ତି ଗ୍ରୀଷ୍ମକାଳୀନରେ ଭୂମି ଯେପରି ଶୁଷ୍କ ହୁଏ ସେହିପରି ଶୁଷ୍କ ହେଲା।
[ସେଲା]
୫ ମୁଁ ତୁମ୍ଭ ନିକଟରେ ଆପଣା ପାପ ସ୍ୱୀକାର କଲି ଓ
ଆପଣା ଅଧର୍ମ ଲୁଚାଇଲି ନାହିଁ;
ମୁଁ କହିଲି, “ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କରିବି,”
ତହିଁରେ ତୁମ୍ଭେ ମୋହର ପାପଘଟିତ ଅଧର୍ମ କ୍ଷମା କଲ।
[ସେଲା]
୬ ଏଥିପାଇଁ ତୁମ୍ଭର ଉଦ୍ଦେଶ୍ୟ ପାଇ ପାରିବା ସମୟରେ ପ୍ରତ୍ୟେକ ସଦ୍‍ଭକ୍ତ ଲୋକ ତୁମ୍ଭ ନିକଟରେ ପ୍ରାର୍ଥନା କରୁ;
ନିଶ୍ଚୟ ମହାଜଳରାଶି ଉଚ୍ଛୁଳିବା ସମୟରେ ତାହା ତାହା ନିକଟକୁ ଆସିବ ନାହିଁ।
୭ ତୁମ୍ଭେ ମୋହର ଲୁଚିବା ସ୍ଥାନ; ତୁମ୍ଭେ ସଙ୍କଟରୁ ମୋତେ ରକ୍ଷା କରିବ;
ତୁମ୍ଭେ ରକ୍ଷାର୍ଥକ ଗାୟନରେ ମୋହର ଚତୁର୍ଦ୍ଦିଗ ବେଷ୍ଟନ କରିବ।
[ସେଲା]
୮ ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି;
ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ମନ୍ତ୍ରଣା ଦେବି।
୯ ତୁମ୍ଭେମାନେ ବୁଦ୍ଧିହୀନ ଅଶ୍ୱ କି ଖଚର ପରି ହୁଅ ନାହିଁ;
ସେମାନଙ୍କୁ ଦମନ କରିବା ପାଇଁ ବାଗ ଓ ଲଗାମ ଦେବାର ଆବଶ୍ୟକ,
ନୋହିଲେ ସେମାନେ ତୁମ୍ଭ କତିକି ଆସିବେ ନାହିଁ।
୧୦ ଦୁଷ୍ଟକୁ ଅନେକ ଦୁଃଖ ଘଟିବ;
ମାତ୍ର ଯେଉଁ ଜନ ସଦାପ୍ରଭୁଙ୍କଠାରେ ନିର୍ଭର ରଖେ, ତାହାର ଚତୁର୍ଦ୍ଦିଗରେ ଦୟା ବେଷ୍ଟନ କରିବ।
୧୧ ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦ କର ଓ ଉଲ୍ଲସିତ ହୁଅ;
ହେ ସରଳାନ୍ତଃକରଣ ସମସ୍ତେ, ତୁମ୍ଭେମାନେ ଆନନ୍ଦଧ୍ୱନି କର।