୩୩
ପ୍ରଶଂସା ଗୀତ
୧ ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କର;
ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ।
୨ ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ;
ଦଶ-ତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର।
୩ ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର;
ଉଚ୍ଚଧ୍ୱନିରେ ମନୋହର ବାଦ୍ୟ କର।
୪ କାରଣ ସଦାପ୍ରଭୁଙ୍କ ବାକ୍ୟ ଯଥାର୍ଥ;
ଆଉ ତାହାଙ୍କର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାରେ ସାଧିତ।
୫ ସେ ଧାର୍ମିକତା ଓ ନ୍ୟାୟବିଚାର ଭଲ ପାଆନ୍ତି;
ପୃଥିବୀ ସଦାପ୍ରଭୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ପରିପୂର୍ଣ୍ଣ;
୬ ଗଗନମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ,
ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ୱାସରେ ନିର୍ମିତ।
୭ ସେ ସମୁଦ୍ରର ଜଳସମୂହକୁ ରାଶି ତୁଲ୍ୟ ଏକତ୍ର କରନ୍ତି;
ସେ ବାରିଧିସମୂହକୁ ଭଣ୍ଡାରରେ ସଞ୍ଚୟ କରନ୍ତି।
୮ ସମୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଭୟ କରୁ;
ଜଗନ୍ନିବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହେଉନ୍ତୁ।
୯ ସେ କହିବା ମାତ୍ରେ ସୃଷ୍ଟି ହେଲା,
ସେ ଆଜ୍ଞା କରିବାମାତ୍ରେ ସ୍ଥିତି ହେଲା।
୧୦ ସଦାପ୍ରଭୁ ଗୋଷ୍ଠୀୟମାନଙ୍କର ମନ୍ତ୍ରଣା ବ୍ୟର୍ଥ କରନ୍ତି;
ସେ ଜନବୃନ୍ଦର ସଂକଳ୍ପସବୁ ବିଫଳ କରନ୍ତି।
୧୧ ସଦାପ୍ରଭୁଙ୍କ ମନ୍ତ୍ରଣା ଅନନ୍ତକାଳସ୍ଥାୟୀ;
ତାହାଙ୍କ ଚିତ୍ତର ସଂକଳ୍ପସବୁ ପୁରୁଷାନୁକ୍ରମେ ଥାଏ।
୧୨ ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ;
ସେ ଯେଉଁ ଲୋକମାନଙ୍କୁ ଆପଣା ଅଧିକାରାର୍ଥେ ମନୋନୀତ କରିଅଛନ୍ତି, ସେମାନେ ଧନ୍ୟ।
୧୩ ସଦାପ୍ରଭୁ ସ୍ୱର୍ଗରୁ ଦୃଷ୍ଟିପାତ କରନ୍ତି;
ସେ ସମସ୍ତ ଲୋକମାନଙ୍କୁ ନିରୀକ୍ଷଣ କରନ୍ତି;
୧୪ ସେ ଆପଣା ନିବାସ-ସ୍ଥାନରୁ
ପୃଥିବୀ-ନିବାସୀ ସମସ୍ତଙ୍କ ଉପରେ ଦୃଷ୍ଟିପାତ କରନ୍ତି;
୧୫ ସେ ସମସ୍ତଙ୍କର ହୃଦୟ ଗଢ଼ନ୍ତି,
ସେ ସେମାନଙ୍କର କର୍ମସବୁ ନିରୀକ୍ଷଣ କରନ୍ତି।
୧୬ କୌଣସି ରାଜା ଅପାର ସୈନ୍ୟ ଦ୍ୱାରା ଉଦ୍ଧାର ପାଏ ନାହିଁ;
କୌଣସି ବୀର ମହାଶକ୍ତି ଦ୍ୱାରା ଉଦ୍ଧାର ପାଏ ନାହିଁ।
୧୭ ରକ୍ଷାର୍ଥେ ଅଶ୍ୱ ମିଥ୍ୟା;
କିଅବା ସେ ଆପଣା ମହାବଳ ଦ୍ୱାରା କାହାକୁ ରକ୍ଷା କରି ପାରିବ ନାହିଁ।
୧୮ ଦେଖ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି,
ତାହାଙ୍କ ଦୟାରେ ଭରସା ରଖନ୍ତି,
୧୯ ସେମାନଙ୍କ ପ୍ରାଣ ମୃତ୍ୟୁୁରୁ ରକ୍ଷା କରିବା ପାଇଁ ଓ
ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ
ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ।
୨୦ ଆମ୍ଭମାନଙ୍କ ପ୍ରାଣ ସଦାପ୍ରଭୁଙ୍କ ଅପେକ୍ଷାରେ ରହିଅଛି;
ସେ ଆମ୍ଭମାନଙ୍କର ସହାୟ ଓ ଆମ୍ଭମାନଙ୍କର ଢାଲ।
୨୧ ଆମ୍ଭମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ଆନନ୍ଦ କରିବ,
କାରଣ ଆମ୍ଭେମାନେ ତାହାଙ୍କ ପବିତ୍ର ନାମରେ ବିଶ୍ୱାସ କରିଅଛୁ।
୨୨ ହେ ସଦାପ୍ରଭୁ, ତୁମ୍ଭଠାରେ ଆମ୍ଭେମାନେ ଭରସା
କରିଥିବା ପ୍ରମାଣେ ଆମ୍ଭମାନଙ୍କ ପ୍ରତି ତୁମ୍ଭର ଦୟା ବର୍ତ୍ତୁ।