୩୬
ମନୁଷ୍ୟର ଦୁଷ୍ଟତା
ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ।
 
୧ ଦୁଷ୍ଟର ଅପରାଧ ମୋ’ ହୃଦୟ ମଧ୍ୟରେ କହେ,
ପରମେଶ୍ୱର ବିଷୟକ ଭୟ ତାହାର ଚକ୍ଷୁର ଅଗୋଚର।
୨ କାରଣ ତାହାର ଅଧର୍ମ ପ୍ରକାଶିତ ଓ ଘୃଣିତ ହେବ
ନାହିଁ ବୋଲି ସେ ଆପଣା ଦୃଷ୍ଟିରେ ଆପଣାକୁ ଭୁଲାଏ।
୩ ତାହାର ମୁଖର ବାକ୍ୟ ଅଧର୍ମ ଓ ପ୍ରବଞ୍ଚନା ମାତ୍ର;
ସେ ସୁବିବେଚନା ଓ ସୁକର୍ମ ତ୍ୟାଗ କରିଅଛି।
୪ ସେ ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରେ;
ସେ ଅମଙ୍ଗଳ ମାର୍ଗରେ ଆପଣାକୁ ପ୍ରବର୍ତ୍ତାଏ;
ସେ ମନ୍ଦତା ଘୃଣା କରେ ନାହିଁ।
ଈଶ୍ୱର ମଙ୍ଗଳମୟ
୫ ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସ୍ୱର୍ଗରେ ଥାଏ;
ତୁମ୍ଭର ବିଶ୍ୱସ୍ତତା ଗଗନସ୍ପର୍ଶୀ।
୬ ତୁମ୍ଭର ଧର୍ମ ପରମେଶ୍ୱରଙ୍କ ପର୍ବତଗଣ ତୁଲ୍ୟ;
ତୁମ୍ଭର ଶାସନସବୁ ମହାବାରିଧି ସ୍ୱରୂପ;
ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁକୁ ରକ୍ଷା କରୁଅଛ।
୭ ହେ ପରମେଶ୍ୱର, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିପରି ବହୁମୂଲ୍ୟ !
ପୁଣି, ମନୁଷ୍ୟ-ସନ୍ତାନଗଣ ତୁମ୍ଭ ପକ୍ଷଛାୟା ତଳେ ଆଶ୍ରୟ ନିଅନ୍ତି।
୮ ସେମାନେ ତୁମ୍ଭ ଗୃହର ପୁଷ୍ଟିକର ଦ୍ରବ୍ୟରେ ବହୁଳ ରୂପେ ପରିତୃପ୍ତ ହେବେ;
ପୁଣି, ତୁମ୍ଭେ ସେମାନଙ୍କୁ ଆପଣା ଆନନ୍ଦ-ନଦୀର ଜଳ ପାନ କରାଇବ।
୯ କାରଣ ତୁମ୍ଭଠାରେ ଜୀବନର ନିର୍ଝର ଅଛି;
ତୁମ୍ଭ ଦୀପ୍ତିରେ ଆମ୍ଭେମାନେ ଦୀପ୍ତି ଦେଖିବା।
୧୦ ଆହେ, ତୁମ୍ଭଙ୍କୁ ଜାଣିବା ଲୋକମାନଙ୍କ ପ୍ରତି ଆପଣା ସ୍ନେହପୂର୍ଣ୍ଣ କରୁଣା
ଓ ସରଳାନ୍ତଃକରଣ ଲୋକମାନଙ୍କ ପ୍ରତି ଆପଣା ଧାର୍ମିକତା ଚିରସ୍ଥାୟୀ କର।
୧୧ ଅହଂକାରୀର ଚରଣ ମୋ’ ବିରୁଦ୍ଧରେ ନ ଆସୁ ଓ
ଦୁଷ୍ଟର ହସ୍ତ ମୋତେ ଘଉଡ଼ାଇ ନ ଦେଉ।
୧୨ ହେଇ, ଅଧର୍ମାଚାରୀମାନେ ପତିତ ହେଲେ;
ସେମାନେ ଅଧଃପତିତ ହେଲେ, ଆଉ ଉଠିବାକୁ ସମର୍ଥ ହେବେ ନାହିଁ।