୩୭
ଦୁଷ୍ଟର ଦୁର୍ଦ୍ଦଶା ଓ ସନ୍ଥର ସୁଦଶା
ଦାଉଦଙ୍କର ଗୀତ।
 
୧ ତୁମ୍ଭେ ଦୁଷ୍କର୍ମକାରୀମାନଙ୍କ ସକାଶୁ
ଆପଣାକୁ ବିରକ୍ତ କର ନାହିଁ,
କିଅବା ଅଧର୍ମାଚାରୀମାନଙ୍କ ପ୍ରତି ଈର୍ଷାଭାବ ବହ ନାହିଁ।
୨ କାରଣ ସେମାନେ ଘାସ ପରି ଶୀଘ୍ର କଟା ଯିବେ ଓ
କୋମଳ ତୃଣ ପରି ଶୁଷ୍କ ହେବେ।
୩ ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କର;
ଦେଶରେ ବାସ କରି ବିଶ୍ୱସ୍ତତାର ଅନୁଗାମୀ ହୁଅ।
୪ ମଧ୍ୟ ସଦାପ୍ରଭୁଙ୍କଠାରେ ଆନନ୍ଦ କର;
ତହିଁରେ ସେ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିବେ।
୫ ସଦାପ୍ରଭୁଙ୍କଠାରେ ତୁମ୍ଭର ଗତି ସମର୍ପଣ କର;
ମଧ୍ୟ ତାହାଙ୍କଠାରେ ନିର୍ଭର ରଖ, ତହିଁରେ ସେ ତାହା ସଫଳ କରିବେ।
୬ ଆଉ, ସେ ଦିପ୍ତୀ ତୁଲ୍ୟ ତୁମ୍ଭର ଧର୍ମ ଓ
ମଧ୍ୟାହ୍ନ ତୁଲ୍ୟ ତୁମ୍ଭର ବିଚାର ପ୍ରକାଶ କରାଇବେ।
୭ ସଦାପ୍ରଭୁଙ୍କଠାରେ ସୁସ୍ଥିର ହୁଅ ଓ ଧୈର୍ଯ୍ୟ ଧରି ତାହାଙ୍କ ଅପେକ୍ଷାରେ ରୁହ;
ଯେ ନିଜ ମାର୍ଗରେ କୃତକାର୍ଯ୍ୟ ହୁଏ, ଯେଉଁ ଜନ କୁସଂକଳ୍ପ
ସାଧନ କରେ, ତାହା ସକାଶୁ ଆପଣାକୁ ବିରକ୍ତ କର ନାହିଁ।
୮ କ୍ରୋଧରୁ କ୍ଷାନ୍ତ ହୁଅ ଓ କୋପ ତ୍ୟାଗ କର; ଆପଣାକୁ
ବିରକ୍ତ କର ନାହିଁ, ତାହା କେବଳ ଦୁଷ୍କର୍ମ କରିବାକୁ ପ୍ରବର୍ତ୍ତାଏ।
୯ କାରଣ ଦୁଷ୍କର୍ମକାରୀମାନେ ଉଚ୍ଛିନ୍ନ ହେବେ; ମାତ୍ର
ସଦାପ୍ରଭୁଙ୍କ ଅପେକ୍ଷାକାରୀମାନେ ଦେଶାଧିକାରୀ ହେବେ।
୧୦ ଆଉ, ଅଳ୍ପକ୍ଷଣ ଉତ୍ତାରେ ଦୁଷ୍ଟଲୋକ ନ ଥିବ;
ତୁମ୍ଭେ ଯତ୍ନପୂର୍ବକ ତାହାର ସ୍ଥାନ ତତ୍ତ୍ୱ କରିବ, ଆଉ ସେ ନ ଥିବ।
୧୧ ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ
ଓ ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ।
୧୨ ଦୁଷ୍ଟ ଧାର୍ମିକର ପ୍ରତିକୂଳରେ କୁକଳ୍ପନା କରେ
ଓ ତାହା ଉପରେ ଦନ୍ତ କଡ଼ମଡ଼ କରେ।
୧୩ ପ୍ରଭୁ ତାହାକୁ ଉପହାସ କରିବେ।
କାରଣ ତାହାର ଅନ୍ତିମ ଦିନ ଯେ ଆସୁଅଛି, ଏହା ସେ ଦେଖନ୍ତି।
୧୪ ଦୁଃଖୀ ଓ ଦୀନହୀନକୁ ନିପାତ କରିବା ପାଇଁ, ସରଳ-
ପଥଗାମୀମାନଙ୍କୁ ବଧ କରିବା ପାଇଁ ଦୁଷ୍ଟମାନେ ଆପଣା
ଆପଣା ଖଡ୍ଗ ନିଷ୍କୋଷ କରି ଧନୁ ନୁଆଁଇ ଅଛନ୍ତି।
୧୫ ସେମାନଙ୍କ ଖଡ୍ଗ ସେମାନଙ୍କ ନିଜ ହୃଦୟରେ
ପ୍ରବେଶ କରିବ ଓ ସେମାନଙ୍କ ଧନୁ ଭଙ୍ଗାଯିବ।
୧୬ ଅନେକ ଦୁଷ୍ଟଲୋକର ପ୍ରଚୁର ସମ୍ପତ୍ତି ଅପେକ୍ଷା
ଧାର୍ମିକ ଲୋକର ଅଳ୍ପ ସମ୍ପତ୍ତି ଭଲ।
୧୭ କାରଣ ଦୁଷ୍ଟର ବାହୁ ଭଙ୍ଗାଯିବ, ମାତ୍ର ସଦାପ୍ରଭୁ
ଧାର୍ମିକକୁ ଧରି ରଖିବେ।
୧୮ ସଦାପ୍ରଭୁ ସିଦ୍ଧ ଲୋକମାନଙ୍କ ଦିନସବୁ ଜାଣନ୍ତି ଓ
ସେମାନଙ୍କ ଅଧିକାର ଅନନ୍ତକାଳସ୍ଥାୟୀ ହେବ।
୧୯ ସେମାନେ ବିପଦ ସମୟରେ ଲଜ୍ଜିତ ହେବେ ନାହିଁ;
ପୁଣି, ଦୁର୍ଭିକ୍ଷ ସମୟରେ ସେମାନେ ପରିତୃପ୍ତ ହେବେ।
୨୦ ମାତ୍ର ଦୁଷ୍ଟମାନେ ବିନଷ୍ଟ ହେବେ, ପୁଣି, ସଦାପ୍ରଭୁଙ୍କ
ଶତ୍ରୁମାନେ ଚରାସ୍ଥାନରେ ଶୋଭା ସ୍ୱରୂପ ହେବେ;
ସେମାନେ ନିଃଶେଷିତ ହେବେ; ସେମାନେ ଧୂମରେ
ନିଃଶେଷିତ ହୋଇଯିବେ।
୨୧ ଦୁଷ୍ଟ ଲୋକ ଋଣ କରି ପରିଶୋଧ କରେ ନାହିଁ।
ମାତ୍ର ଧାର୍ମିକ ଲୋକ ଦୟା ବ୍ୟବହାର କରି ଦାନ କରେ।
୨୨ କାରଣ ତାହାଙ୍କର ଆଶୀର୍ବାଦପ୍ରାପ୍ତ ଲୋକେ
ଦେଶାଧିକାର କରିବେ;
ପୁଣି, ତାହାଙ୍କର ଅଭିଶପ୍ତ ଲୋକେ ଉଚ୍ଛିନ୍ନ ହେବେ
୨୩ ସଦାପ୍ରଭୁଙ୍କ ଦ୍ୱାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ
ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି।
୨୪ ସେ ପତିତ ହେଲେ ହେଁ ଭୂମିଶାୟୀ ହେବ ନାହିଁ;
କାରଣ ସଦାପ୍ରଭୁ ସ୍ୱହସ୍ତରେ ତାହାକୁ ଧରି ରଖନ୍ତି।
୨୫ ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି;
ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ, ଅବା ତାହାର ବଂଶକୁ
ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ।
୨୬ ସେ ସାରାଦିନ ଦୟା ବ୍ୟବହାର କରି ଉଧାର ଦିଏ;
ପୁଣି, ତାହାର ସନ୍ତାନଗଣ ଆଶୀର୍ବାଦ ପାଆନ୍ତି।
୨୭ ମନ୍ଦଠାରୁ ଦୂର ହୁଅ ଓ ସୁକର୍ମ କର;
ତେବେ ତୁମ୍ଭେ ଅନନ୍ତକାଳ ବାସ କରିବ।
୨୮ କାରଣ ସଦାପ୍ରଭୁ ନ୍ୟାୟ ବିଚାର ଭଲ ପାଆନ୍ତି
ଓ ଆପଣା ସଦ୍‍ଭକ୍ତମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ;
ସେମାନେ ଅନନ୍ତକାଳ ରକ୍ଷିତ ହୁଅନ୍ତି;
ମାତ୍ର ଦୁଷ୍ଟର ବଂଶ ଉଚ୍ଛିନ୍ନ ହେବେ।
୨୯ ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ
ବାସ କରିବ।
୩୦ ଧାର୍ମିକର ମୁଖ ଜ୍ଞାନର କଥା କହେ ଓ ତାହାର
ଜିହ୍ୱା ନ୍ୟାୟ ବିଚାରର କଥା କହେ।
୩୧ ତାହାର ପରମେଶ୍ୱରଙ୍କ ବ୍ୟବସ୍ଥା ତାହାର ଅନ୍ତରରେ ଅଛି;
ତାହାର କୌଣସି ପାଦଗତି ଖସିଯିବ ନାହିଁ।
୩୨ ଦୁଷ୍ଟ ଲୋକ ଧାର୍ମିକକୁ ଜଗି ବସେ
ଓ ତାହାକୁ ବଧ କରିବାକୁ ଚେଷ୍ଟା କରେ।
୩୩ ସଦାପ୍ରଭୁ ତାହାର ହସ୍ତରେ ତାହାକୁ ଛାଡ଼ି ଦେବେ ନାହିଁ;
କିଅବା ସେ ବିଚାରିତ ହେବା ବେଳେ ତାହାକୁ ଦୋଷୀ କରିବେ ନାହିଁ।
୩୪ ସଦାପ୍ରଭୁଙ୍କର ଅନୁସରଣ କର ଓ ତାହାଙ୍କ ପଥ
ରକ୍ଷା କର,
ତହିଁରେ ସେ ତୁମ୍ଭକୁ ଦେଶାଧିକାର ନିମନ୍ତେ ଉନ୍ନତ
କରିବେ;
ଦୁଷ୍ଟମାନେ ଉଚ୍ଛିନ୍ନ ହେବା ସମୟରେ ତୁମ୍ଭେ ତାହା
ଦେଖିବ।
୩୫ ମୁଁ ଦୁଷ୍ଟକୁ ମହାକ୍ଷମତାପନ୍ନ ଓ ସ୍ୱଭୂମିରେ ସତେଜ
ବୃକ୍ଷ ତୁଲ୍ୟ ଆପଣାକୁ ପ୍ରସାରିବାର ଦେଖିଅଛି।
୩୬ ମାତ୍ର ଜଣେ ନିକଟ ଦେଇ ଗଲା, ଆଉ ଦେଖ, ସେ ନ ଥିଲା;
ଆହୁରି, ମୁଁ ତାହାର ଅନ୍ୱେଷଣ କଲି, ମାତ୍ର ତାହାର
ଉଦ୍ଦେଶ୍ୟ ମିଳିଲା ନାହିଁ।
୩୭ ସିଦ୍ଧ ଲୋକକୁ ଲକ୍ଷ୍ୟ କର ଓ ସରଳ ଲୋକକୁ
ନିରୀକ୍ଷଣ କର;
କାରଣ ଶାନ୍ତିପ୍ରିୟ ଲୋକର ଶେଷ ଫଳ ଅଛି।
୩୮ ମାତ୍ର ଅଧର୍ମାଚାରୀମାନେ ଏକାବେଳେ ବିନଷ୍ଟ
ହେବେ;
ଦୁଷ୍ଟର ଶେଷ ଫଳ ଉଚ୍ଛିନ୍ନ ହେବ।
୩୯ ମାତ୍ର ସଦାପ୍ରଭୁଙ୍କଠାରୁ ଧାର୍ମିକ ଲୋକର ପରିତ୍ରାଣ
ହୁଏ;
ସେ ସଙ୍କଟ ସମୟରେ ସେମାନଙ୍କର ଦୃଢ଼ ଦୁର୍ଗ ଅଟନ୍ତି।
୪୦ ପୁଣି, ସଦାପ୍ରଭୁ ସେମାନଙ୍କର ସାହାଯ୍ୟ କରନ୍ତି ଓ
ସେମାନଙ୍କୁ ରକ୍ଷା କରନ୍ତି;
ସେ ଦୁଷ୍ଟମାନଙ୍କଠାରୁ ସେମାନଙ୍କୁ ରକ୍ଷା କରି ପରିତ୍ରାଣ
କରନ୍ତି,
କାରଣ ସେମାନେ ତାହାଙ୍କର ଶରଣାଗତ।