୫୧
କ୍ଷମା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକାର ନିମନ୍ତେ ଦାଉଦଙ୍କର ଗୀତ। ଦାଉଦ ବତ୍‍ଶେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍‍ବକ୍ତା ଆସିବା ସମୟରେ ରଚିତ।
୧ ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ
ମୋ’ ପ୍ରତି ଦୟା କର;
ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର।
୨ ମୋ’ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ
ମୋ’ ପାପରୁ ମୋତେ ଶୁଚି କର।
୩ କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ
ମୋ’ ପାପ ସର୍ବଦା ମୋ’ ସମ୍ମୁଖରେ ଅଛି।
୪ ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ
କରିଅଛି,
ଆଉ, ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ କରିଅଛି;
ତେଣୁ ତୁମ୍ଭେ କଥା କହିବା ବେଳେ ଧାର୍ମିକ ଓ ବିଚାର
କରିବା ବେଳେ ନିର୍ଦ୍ଦୋଷ ହେବ।
୫ ଦେଖ, ଅପରାଧରେ ମୁଁ ନିର୍ମିତ ହେଲି
ଓ ପାପରେ ମୋ’ ମାତା ମୋତେ ଗର୍ଭରେ ଧାରଣ କଲା।
୬ ଦେଖ, ତୁମ୍ଭେ ଅନ୍ତରରେ ସତ୍ୟତା ଚାହୁଁଅଛ;
ପୁଣି, ତୁମ୍ଭେ ଗୂଢ଼ ସ୍ଥାନରେ ମୋତେ ଜ୍ଞାନ ଶିକ୍ଷା ଦେବ।
୭ ଏସୋବ ଦେଇ ମୋତେ ନିର୍ମଳ କର,* ଏସୋବ ଦେଇ ମୋତେ ନିର୍ମଳ କର, ଅର୍ଥାତ୍ ମୋ’ର ପାପରୁ ମୋତେ ନିର୍ମଳ କର ତହିଁରେ ମୁଁ ଶୁଚି ହେବି;
ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି।
୮ ମୋତେ ଆହ୍ଲାଦ ଓ ଆନନ୍ଦଜନକ ବାକ୍ୟ ଶୁଣାଅ;
ତହିଁରେ ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ପ୍ରଫୁଲ୍ଲ ହେବ।
୯ ମୋ’ ପାପସମୂହ ପ୍ରତି ଆପଣା ମୁଖ ଆଚ୍ଛାଦନ କର
ଓ ମୋ’ ଅପରାଧସବୁ ମାର୍ଜନା କର।
୧୦ ହେ ପରମେଶ୍ୱର, ମୋ’ ଅନ୍ତରରେ ଶୁଚି ଅନ୍ତଃକରଣ
ସୃଷ୍ଟି କର ଓ ମୋ’ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର।
୧୧ ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ
ଓ ତୁମ୍ଭ ପବିତ୍ର ଆତ୍ମା ମୋ’ଠାରୁ ନିଅ ନାହିଁ।
୧୨ ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମୋତେ ଦିଅ
ଓ ସ୍ୱଚ୍ଛନ୍ଦ ଆତ୍ମା ଦେଇ ମୋତେ ଧରି ରଖ।
୧୩ ତହିଁରେ ମୁଁ ଅପରାଧୀମାନଙ୍କୁ ତୁମ୍ଭର ପଥ ଶିଖାଇବି
ଓ ପାପୀମାନେ ତୁମ୍ଭ ପ୍ରତି ଫେରିବେ।
୧୪ ହେ ପରମେଶ୍ୱର, ମୋ’ ତ୍ରାଣର ପରମେଶ୍ୱର, ତୁମ୍ଭେ
ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର;
ତହିଁରେ ମୋହର ଜିହ୍ୱା ତୁମ୍ଭ ଧର୍ମ ବିଷୟ ଉଚ୍ଚସ୍ୱରରେ
ଗାନ କରିବ।
୧୫ ହେ ପ୍ରଭୁ, ମୋ’ ଓଷ୍ଠାଧର ଫିଟାଅ, ତହିଁରେ
ମୋ’ ମୁଖ ତୁମ୍ଭର ପ୍ରଶଂସା ପ୍ରକାଶ କରିବ।
୧୬ କାରଣ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ; ହେଲେ
ମୁଁ ତାହା ଦିଅନ୍ତି;
ହୋମବଳିରେ ତୁମ୍ଭର କିଛି ସନ୍ତୋଷ ନାହିଁ।
୧୭ ଭଗ୍ନ-ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟ ବଳି,
ହେ ପରମେଶ୍ୱର, ତୁମ୍ଭେ ଭଗ୍ନ ଓ ଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ
କରିବ ନାହିଁ।
୧୮ ତୁମ୍ଭେ ଆପଣା ଅନୁଗ୍ରହରେ ସିୟୋନର ମଙ୍ଗଳ କର;
ତୁମ୍ଭେ ଯିରୂଶାଲମର ପ୍ରାଚୀରସବୁ ନିର୍ମାଣ କର।
୧୯ ତେବେ ତୁମ୍ଭେ ଧର୍ମବଳି, ହୋମବଳି ଓ ପୂର୍ଣ୍ଣ
ଆହୁତିରେ ସନ୍ତୁଷ୍ଟ ହେବ;
ତହୁଁ ଲୋକମାନେ ତୁମ୍ଭ ବେଦି ଉପରେ ବୃଷମାନ ଉତ୍ସର୍ଗ କରିବେ।

*୫୧:୭ ଏସୋବ ଦେଇ ମୋତେ ନିର୍ମଳ କର, ଅର୍ଥାତ୍ ମୋ’ର ପାପରୁ ମୋତେ ନିର୍ମଳ କର