୫୨
ପରମେଶ୍ୱରଙ୍କ ବିଚାର ଓ ଅନୁଗ୍ରହ
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍‍; ଦାଉଦ ଅହୀମେଲକର ଗୃହକୁ ଆସିଅଛନ୍ତି ବୋଲି ଇଦୋମୀୟ ଦୋୟେଗ୍‍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ।
୧ ହେ ବୀର, ତୁମ୍ଭେ ଅନିଷ୍ଟ କର୍ମରେ କାହିଁକି ଦର୍ପ କରୁଅଛ ?
୨ ପରମେଶ୍ୱରଙ୍କ ଦୟା ନିତ୍ୟସ୍ଥାୟୀ।
ତୁମ୍ଭର ଜିହ୍ୱା ନିତାନ୍ତ ଦୁଷ୍ଟତା କଳ୍ପନା କରି ତୀକ୍ଷ୍ଣ କ୍ଷୁର
ତୁଲ୍ୟ ପ୍ରବଞ୍ଚନାପୂର୍ବକ କାର୍ଯ୍ୟ କରୁଅଛି।
୩ ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଓ ଧର୍ମ କଥା ଅପେକ୍ଷା
ମିଥ୍ୟା କଥାକୁ ଅଧିକ ଭଲ ପାଉଅଛ।
[ସେଲା]
୪ ହେ ପ୍ରବଞ୍ଚନାପୂର୍ଣ୍ଣ ଜିହ୍ୱେ, ତୁମ୍ଭେ ଯାବତୀୟ ବିନାଶକ
କଥା ଭଲ ପାଉଅଛ।
୫ ପରମେଶ୍ୱର ତଦ୍ରୂପ ତୁମ୍ଭକୁ ସଦାକାଳ ବିନାଶ କରିବେ,
ସେ ତୁମ୍ଭକୁ ଧରି ତୁମ୍ଭ ତମ୍ବୁକୁ ଟାଣି ନେବେ ଓ
ଜୀବିତମାନଙ୍କ ଦେଶରୁ ତୁମ୍ଭର ମୂଳୋତ୍ପାଟନ କରିବେ।
[ସେଲା]
୬ ଧାର୍ମିକମାନେ ମଧ୍ୟ ତାହା ଦେଖି ଭୟ କରିବେ
ଓ ତାହା ପ୍ରତି ଉପହାସ କରି କହିବେ,
୭ ଦେଖ, ଏହି ଲୋକ ପରମେଶ୍ୱରଙ୍କୁ ଆପଣାର ବଳ
ସ୍ୱରୂପ କଲା ନାହିଁ; ମାତ୍ର ଆପଣା ଧନର ବାହୁଲ୍ୟରେ ନିର୍ଭର କଲା।
ପୁଣି, ଆପଣା ଦୁଷ୍ଟତାରେ ଆପଣାକୁ ବଳବାନ କଲା।
୮ ମାତ୍ର ମୁଁ ପରମେଶ୍ୱରଙ୍କ ଗୃହରେ ସତେଜ ଜୀତ ବୃକ୍ଷ
ତୁଲ୍ୟ ଅଛି।
ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ଦୟାରେ ବିଶ୍ୱାସ କଲି।
୯ ତୁମ୍ଭେ ଏହି କାର୍ଯ୍ୟ ସାଧନ କରିବା ସକାଶୁ ମୁଁ ସଦାକାଳ
ତୁମ୍ଭକୁ ଧନ୍ୟବାଦ ଦେବି;
ମୁଁ ତୁମ୍ଭ ସଦ୍‍ଭକ୍ତମାନଙ୍କ ସାକ୍ଷାତରେ ତୁମ୍ଭ ନାମର
ଅନୁସରଣ କରିବି, ଯେହେତୁ ତାହା ଉତ୍ତମ।