୮୭
ଯିରୂଶାଲମର ପ୍ରଶଂସା
ଗୀତ; କୋରହ-ସନ୍ତାନଗଣର ଗୀତ।
 
୧ ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ ଉପରେ ସ୍ଥାପିତ।
୨ ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା
ସିୟୋନର ଦ୍ୱାରସମୂହକୁ ଅଧିକ ସ୍ନେହ କରନ୍ତି।
୩ ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି। [ସେଲା]
୪ ମୋ’ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ ଉଲ୍ଲେଖ କରିବି;
ପଲେଷ୍ଟୀୟା, ସୋର ଓ କୂଶକୁ ଦେଖ;
ଏହି ଜଣ ସେଠାରେ ଜାତ ହେଲା।
୫ ଆହୁରି, ସିୟୋନ ବିଷୟରେ କୁହାଯିବ, “ଏଜଣ ଓ ସେଜଣ ତହିଁ ମଧ୍ୟରେ ଜାତ ହେଲେ;
ପୁଣି, ସର୍ବୋପରିସ୍ଥ ସ୍ୱୟଂ ତାହା ସୁସ୍ଥିର କରିବେ।”
୬ ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ,
“ଏଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ।” [ସେଲା]
୭ ଗାୟକ ଓ ନର୍ତ୍ତକମାନେ କହିବେ,
“ମୋହର ସବୁ ଝର ତୁମ୍ଭଠାରେ ଅଛି।”