୮୮
ସହାୟତା ପାଇଁ ବିନତୀ
ଗୀତ; କୋରହ-ସନ୍ତାନଗଣର ଗୀତ। ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍‍ ଲୀୟନ୍ନୋତ୍‍ ସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍‍।
୧ ସଦାପ୍ରଭୁ, ମୋ’ ପରିତ୍ରାଣର ପରମେଶ୍ୱର,
ମୁଁ ଦିବାରାତ୍ର ତୁମ୍ଭ ସମ୍ମୁଖରେ କାକୂକ୍ତି କରିଅଛି;
୨ ମୋ’ ପ୍ରାର୍ଥନା ତୁମ୍ଭ ଛାମୁରେ ଉପସ୍ଥିତ ହେଉ;
ମୋ’ କାକୂକ୍ତିରେ କର୍ଣ୍ଣପାତ କର;
୩ କାରଣ ମୋ’ ପ୍ରାଣ ଦୁଃଖରେ ପରିପୂର୍ଣ୍ଣ
ଓ ମୋ’ ଜୀବନ ପାତାଳର ନିକଟବର୍ତ୍ତୀ ହେଉଅଛି।
୪ ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ସଙ୍ଗେ ଗଣିତ;
ମୁଁ ଅସହାୟ ଲୋକର ସମାନ।
୫ ଯେଉଁ କବରଶାୟୀ ହତ ଲୋକମାନଙ୍କୁ
ତୁମ୍ଭେ ଆଉ ସ୍ମରଣ କରୁ ନାହଁ
ଓ ଯେଉଁମାନେ ତୁମ୍ଭ ହସ୍ତରୁ ବିଚ୍ଛିନ୍ନ ହୋଇଅଛନ୍ତି,
ସେହି ମୃତ ଲୋକମାନଙ୍କ ମଧ୍ୟରେ ମୁଁ ତ୍ୟକ୍ତ ହୋଇଅଛି।
୬ ତୁମ୍ଭେ ମୋତେ ନୀଚତମ ଗତ୍ତର୍ରେ,
ଅନ୍ଧକାରରେ, ଗଭୀର ସ୍ଥାନରେ ରଖିଅଛ।
୭ ତୁମ୍ଭର କୋପ ମୋ’ ଉପରେ ପ୍ରବଳ ହୋଇ ରହୁଅଛି
ଓ ତୁମ୍ଭେ ଆପଣାର ସମସ୍ତ ତରଙ୍ଗରେ ମୋତେ କ୍ଳେଶ ଦେଇଅଛ। [ସେଲା]
୮ ତୁମ୍ଭେ ମୋହର ପରିଚିତ ଲୋକମାନଙ୍କୁ ମୋ’ଠାରୁ ଦୂରରେ ରଖିଅଛ;
ତୁମ୍ଭେ ସେମାନଙ୍କ ନିକଟରେ ମୋତେ ଘୃଣାର ବିଷୟ କରିଅଛ।
ମୁଁ ଅବରୁଦ୍ଧ ହୋଇଅଛି ଓ ମୁଁ ବାହାରକୁ ଆସି ପାରୁ ନାହିଁ।
୯ କ୍ଳେଶ ସକାଶୁ ମୋ’ ଚକ୍ଷୁ କ୍ଷୀଣ ହେଉଅଛି;
ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି,
ମୁଁ ତୁମ୍ଭଆଡ଼େ ଆପଣା ହସ୍ତ ପ୍ରସାରିଅଛି।
୧୦ ତୁମ୍ଭେ କି ମୃତ ଲୋକମାନଙ୍କୁ ଆଶ୍ଚର୍ଯ୍ୟକ୍ରିୟା ଦେଖାଇବ ?
ଯେଉଁମାନେ ମରିଯାଇଅଛନ୍ତି, ସେମାନେ ଉଠି କି ତୁମ୍ଭର ପ୍ରଶଂସା କରିବେ ? [ସେଲା]
୧୧ କବରରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିଅବା ବିନାଶ
ସ୍ଥାନରେ ତୁମ୍ଭର ବିଶ୍ୱସ୍ତତା କି ପ୍ରଚାରିତ ହେବ ?
୧୨ ଅନ୍ଧକାରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟା ଓ
ବିସ୍ମୃତି ଦେଶରେ ତୁମ୍ଭର ଧର୍ମ କି ଜଣାଯିବ ?
୧୩ ମାତ୍ର ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରିଅଛି
ଓ ପ୍ରଭାତରେ ମୋ’ ପ୍ରାର୍ଥନା ତୁମ୍ଭ ନିକଟରେ ଉପସ୍ଥିତ ହେବ।
୧୪ ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମୋ’ ପ୍ରାଣକୁ ପରିତ୍ୟାଗ କରୁଅଛ ?
ତୁମ୍ଭେ କାହିଁକି ମୋ’ଠାରୁ ଆପଣା ମୁଖ ଲୁଚାଉଅଛ ?
୧୫ ମୁଁ ବାଲ୍ୟକାଳଠାରୁ ଦୁଃଖଗ୍ରସ୍ତ ଓ ମୃତକଳ୍ପ;
ମୁଁ ତୁମ୍ଭ ତ୍ରାସ ଭୋଗ କରି କରି ଉନ୍ମନା ହୋଇଅଛି।
୧୬ ତୁମ୍ଭ ପ୍ରଚଣ୍ଡ କୋପ ମୋ’ ଉପର ଦେଇ ଯାଇଅଛି;
ତୁମ୍ଭର ତ୍ରାସସବୁ ମୋତେ ଉଚ୍ଛିନ୍ନ କରିଅଛି।
୧୭ ତାହାସବୁ ସାରାଦିନ ଜଳ ପରି ମୋ’ ଚାରିଆଡ଼େ ଉପସ୍ଥିତ;
ତାହାସବୁ ଏକତ୍ର ମୋ’ ଚାରିଆଡ଼େ ବେଷ୍ଟନ କଲେ।
୧୮ ତୁମ୍ଭେ ସ୍ନେହୀକୁ ଓ ମିତ୍ରକୁ ମୋ’ଠାରୁ ଦୂରରେ
ଓ ମୋ’ ପରିଚିତ ଲୋକଙ୍କୁ ଅନ୍ଧକାରରେ ରଖିଅଛ।