୧୩
ଇସ୍ରାଏଲ ପ୍ରତି ପରମେଶ୍ୱରଙ୍କ କଠୋର ବିଚାର
୧ ଇଫ୍ରୟିମ କଥା କହିବା ବେଳେ ଲୋକମାନେ କମ୍ପିତ ହେଲେ;
ସେ ଇସ୍ରାଏଲ ମଧ୍ୟରେ ଆପଣାକୁ ଉନ୍ନତ କଲା;
ମାତ୍ର ବାଲ୍‍ଦେବ ବିଷୟରେ ଯେତେବେଳେ ସେ ଦୋଷ କଲା,
ସେତେବେଳେ ସେ ମଲା।
୨ ପୁଣି, ଏବେ ସେମାନେ ଅଧିକ ଅଧିକ ପାପ କରନ୍ତି
ଓ ରୂପାର ଢଳା ପ୍ରତିମା, ଅର୍ଥାତ୍‍,
ଆପଣା ଆପଣା ବୁଦ୍ଧି ଅନୁସାରେ ଦେବତା ନିର୍ମାଣ କରିଅଛନ୍ତି।
ସେସବୁ କାରିଗରର କର୍ମ; ସେହି ସବୁର ବିଷୟରେ ସେମାନେ କହନ୍ତି,
ଯେଉଁ ଲୋକମାନେ ବଳିଦାନ କରନ୍ତି,
ସେମାନେ ଗୋବତ୍ସ ପ୍ରତିମାଗଣକୁ ଚୁମ୍ବନ କରନ୍ତୁ।
୩ ଏଥିପାଇଁ ସେମାନେ ପ୍ରାତଃକାଳରେ ମେଘ ଓ ପ୍ରତ୍ୟୁଷର ବହିଯିବା କାକର
ଓ ଘୂର୍ଣ୍ଣିବାୟୁରେ ଖଳାରୁ ଉଡ଼ିଯିବା ତୁଷ ଓ ନଳ ଦେଇ ବାହାରି ଯିବା ଧୂଆଁ ପରି ହେବେ।
୪ ତଥାପି ମିସର ଦେଶଠାରୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ
ଓ ତୁମ୍ଭେ ଆମ୍ଭ ଛଡ଼ା ଆଉ କାହାକୁ ପରମେଶ୍ୱର ବୋଲି ଜାଣିବ ନାହିଁ
ଓ ଆମ୍ଭ ବ୍ୟତୀତ ଅନ୍ୟ ତ୍ରାଣକର୍ତ୍ତା ନାହିଁ।
୫ ଆମ୍ଭେ ପ୍ରାନ୍ତରରେ ଓ ମହାମରୁଭୂମିରେ ତୁମ୍ଭକୁ ଜାଣିଲୁ।
୬ ସେମାନେ ଆମ୍ଭମାନଙ୍କ ଚରାଣି ସ୍ଥାନ ଅନୁସାରେ ପରିତୃପ୍ତ ହେଲେ;
ସେମାନେ ପରିତୃପ୍ତ ହୋଇ ଅନ୍ତଃକରଣରେ ଗର୍ବିତ ହେଲେ;
ଏଥିପାଇଁ ସେମାନେ ଆମ୍ଭକୁ ପାସୋରି ଅଛନ୍ତି।
୭ ସେଥିପାଇଁ ଆମ୍ଭେ ସେମାନଙ୍କ ପ୍ରତି ସିଂହ ତୁଲ୍ୟ ହେବୁ;
ଆମ୍ଭେ ଚିତାବାଘ ପରି ପଥ ପାର୍ଶ୍ୱରେ ଛକି ବସିବା;
୮ ଆମ୍ଭେ ଛୁଆହରା ଭଲ୍ଲୁକୀ ପରି ସେମାନଙ୍କୁ ହାବୁଡ଼ିବା
ଓ ସେମାନଙ୍କର ବକ୍ଷକୁ ବିଦୀର୍ଣ୍ଣ କରିବା;
ଆଉ, ସିଂହ ନ୍ୟାୟ ଆମ୍ଭେ ସେଠାରେ ସେମାନଙ୍କୁ ଗ୍ରାସ କରିବା;
ବନ୍ୟ ପଶୁ ସେମାନଙ୍କୁ ବିଦୀର୍ଣ୍ଣ କରିବ।
୯ ହେ ଇସ୍ରାଏଲ, ତୁମ୍ଭେ ଯେ ଆମ୍ଭର ବିପକ୍ଷ,
ତୁମ୍ଭ ସହାୟର ବିପକ୍ଷ ହୋଇଅଛ, ଏହା ତୁମ୍ଭର ସର୍ବନାଶର କାରଣ।
୧୦ ତୁମ୍ଭର ନଗରସମୂହରେ ତୁମ୍ଭକୁ ରକ୍ଷା କରିବା ପାଇଁ ଏବେ ତୁମ୍ଭର ରାଜା କାହିଁ ?
ମୋତେ ରାଜା ଓ ଅଧିପତିଗଣ ଦିଅ ବୋଲି ଯେଉଁମାନଙ୍କ ବିଷୟରେ ତୁମ୍ଭେ କହିଲ,
ତୁମ୍ଭର ସେହି ବିଚାରକର୍ତ୍ତାଗଣ କାହାନ୍ତି ?
୧୧ ଆମ୍ଭେ ଆପଣା କ୍ରୋଧରେ ତୁମ୍ଭକୁ ରାଜା ଦେଇଅଛୁ
ଓ ଆପଣା କୋପରେ ତାହାକୁ ନେଇ ଯାଇଅଛୁ।
୧୨ ଇଫ୍ରୟିମର ଅଧର୍ମ ବନ୍ଧା ଯାଇଅଛି; ତାହାର ପାପ ସଞ୍ଚିତ ହୋଇଅଛି।
୧୩ ପ୍ରସବକାରିଣୀ ସ୍ତ୍ରୀର ବେଦନା ତାହାକୁ ଆକ୍ରାନ୍ତ କରିବ;
ସେ ଅଜ୍ଞାନ ଶିଶୁ; କାରଣ ଶିଶୁମାନଙ୍କର ପ୍ରସବ ଦ୍ୱାରରେ
ତାହାର ବିଳମ୍ବ କରି ରହିବାର ଉଚିତ୍ ନୁହେଁ।
୧୪ ଆମ୍ଭେ ପାତାଳର ପରାକ୍ରମରୁ ସେମାନଙ୍କୁ ଉଦ୍ଧାର କରିବା;
ଆମ୍ଭେ ମୃତ୍ୟୁୁରୁ ସେମାନଙ୍କୁ ମୁକ୍ତ କରିବା;
ହେ ମୃତ୍ୟୁୁ, ତୁମ୍ଭର ମହାମାରୀ କାହିଁ ?
ହେ ପାତାଳ, ତୁମ୍ଭର ସଂହାର କାହିଁ ?
ଅନୁତାପ ଆମ୍ଭ ଦୃଷ୍ଟିରୁ ଗୁପ୍ତ ରହିବ।
୧୫ ଯଦ୍ୟପି ସେ ଆପଣା ଭ୍ରାତୃଗଣ ମଧ୍ୟରେ ଫଳବାନ ହୁଏ,
ତଥାପି ପୂର୍ବୀୟ ବାୟୁ ସଦାପ୍ରଭୁଙ୍କର ଶ୍ୱାସ ପ୍ରାନ୍ତରରୁ ଆସିବ,
ତହିଁରେ ତାହାର ନିର୍ଝର ଶୁଷ୍କ ହେବ ଓ ତାହାର ଜଳାକାର ଶୁଖିଯିବ;
ସେ ତାହାର ଯାବତୀୟ ମନୋହର ପାତ୍ରର ଭଣ୍ଡାର ଲୁଟ କରିବେ।
୧୬ ଶମରୀୟା ଆପଣା ଦୋଷର ଫଳ ଭୋଗ କରିବ;
କାରଣ ସେ ଆପଣା ପରମେଶ୍ୱରଙ୍କର ବିଦ୍ରୋହାଚରଣ କରିଅଛି;
ସେମାନେ ଖଡ୍ଗରେ ପତିତ ହେବେ;
ସେମାନଙ୍କର ଶିଶୁମାନେ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହେବେ;
ସେମାନଙ୍କର ଗର୍ଭବତୀ ସ୍ତ୍ରୀମାନେ ଚିରାଯିବେ।