୫୦
ଇସ୍ରାଏଲର ପାପ ଏବଂ ସଦାପ୍ରଭୁଙ୍କ ଆଜ୍ଞାବହ ଦାସ
୧ ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଯେଉଁ ପତ୍ର ଦ୍ୱାରା ତୁମ୍ଭମାନଙ୍କ ମାତାକୁ ତ୍ୟାଗ କରିଅଛୁ, ତାହାର ସେହି ଛାଡ଼ପତ୍ର କାହିଁ ? ଅଥବା ଆମ୍ଭ ବ୍ୟବସାୟୀମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ ? ଦେଖ, ତୁମ୍ଭେମାନେ ନିଜ ଅପରାଧ ସକାଶୁ ବିକ୍ରୀତ ହୋଇଥିଲ ଓ ତୁମ୍ଭମାନଙ୍କ ଅଧର୍ମ ସକାଶୁ ତୁମ୍ଭମାନଙ୍କର ମାତା ତ୍ୟକ୍ତା ହୋଇଥିଲା। ୨ ଆମ୍ଭେ ଯେତେବେଳେ ଆସିଲୁ କାହିଁକି କେହି ଉପସ୍ଥିତ ନ ଥିଲା ? ଆମ୍ଭେ ଯେତେବେଳେ ଡାକିଲୁ କାହିଁକି କେହି ଉତ୍ତର ଦେବାକୁ ନ ଥିଲା ? ଆମ୍ଭର ହସ୍ତ କି କିଛି ଛୋଟ ହୋଇଅଛି ଯେ, ତାହା ମୁକ୍ତ କରି ନ ପାରେ ? କିଅବା ଉଦ୍ଧାର କରିବା ପାଇଁ କି ଆମ୍ଭର ପରାକ୍ରମ ନାହିଁ ? ଦେଖ, ଆମ୍ଭେ ଧମକରେ ସମୁଦ୍ରକୁ ଶୁଷ୍କ କରୁ, ଆମ୍ଭେ ନଦନଦୀକୁ ପ୍ରାନ୍ତର କରୁ; ସେଠାସ୍ଥିତ ମତ୍ସ୍ୟ ଜଳ ଅଭାବରେ ତୃଷାର୍ତ୍ତ ହୋଇ ମରିଯାଇ ଦୁର୍ଗନ୍ଧ ହୁଏ। ୩ ଆମ୍ଭେ ଆକାଶମଣ୍ଡଳକୁ କାଳିମା ପିନ୍ଧାଉ ଓ ଚଟବସ୍ତ୍ରକୁ ସେହି ସବୁର ଆଚ୍ଛାଦନ କରୁ।” ୪ ମୁଁ ଯେପରି କ୍ଳାନ୍ତ ଲୋକକୁ ବାକ୍ୟ ଦ୍ୱାରା ସୁସ୍ଥିର କରି ପାରିବି, ଏଥିପାଇଁ ପ୍ରଭୁ, ସଦାପ୍ରଭୁ ମୋତେ ଶିକ୍ଷିତ ଲୋକମାନଙ୍କର ଜିହ୍ୱା ଦେଇଅଛନ୍ତି; ସେ ପ୍ରତି ପ୍ରଭାତ ଜାଗ୍ରତ କରାନ୍ତି, ଶିକ୍ଷିତ ଲୋକ ପରି ଶୁଣିବା ପାଇଁ ସେ ମୋହର କର୍ଣ୍ଣକୁ ଜାଗ୍ରତ କରାନ୍ତି। ୫ ପ୍ରଭୁ, ସଦାପ୍ରଭୁ ମୋହର କର୍ଣ୍ଣ ଫିଟାଇ ଅଛନ୍ତି, ପୁଣି ମୁଁ ବିରୁଦ୍ଧାଚାରୀ ହୋଇ ନାହିଁ, କିଅବା ପଛକୁ ଫେରି ନାହିଁ। ୬ ମୁଁ ପ୍ରହାରକ ପ୍ରତି ଆପଣା ପିଠି, ଦାଢ଼ି ଉପାଡ଼ିବା ଲୋକମାନଙ୍କ ପ୍ରତି ଆପଣା ଗାଲ ପାତି ଦେଲି; ମୁଁ ଅପମାନ ଓ ଛେପ ପକାଇବାରୁ ମୋହର ମୁଖ ଲୁଚାଇ ନାହିଁ। ୭ କାରଣ ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ଏଥିପାଇଁ ମୁଁ ବିବ୍ରତ ହୋଇ ନାହିଁ; ଏଥିପାଇଁ ମୁଁ ଚକ୍‍ମକି ପଥର ପରି ଆପଣା ମୁଖ ରଖିଅଛି, ଆଉ ମୁଁ ଯେ ଲଜ୍ଜିତ ନୋହିବି, ଏହା ଜାଣେ। ୮ ଯେ ମୋତେ ଧାର୍ମିକ କରନ୍ତି, ସେ ନିକଟବର୍ତ୍ତୀ; କିଏ ମୋ’ ସଙ୍ଗରେ ବିରୋଧ କରିବ ? ଆସ, ଆମ୍ଭେମାନେ ଏକତ୍ର ଠିଆ ହେଉ; ମୋହର ବିପକ୍ଷ କିଏ ? ସେ ମୋହର ନିକଟକୁ ଆସୁ। ୯ ଦେଖ, ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ମୋତେ ଦୋଷୀ କରିବ କିଏ ? ଦେଖ, ସେମାନେ ସମସ୍ତେ ବସ୍ତ୍ର ପରି ପୁରୁଣା ହେବେ; କୀଟ ସେମାନଙ୍କୁ ଗ୍ରାସ କରିବ। ୧୦ ଯେ ସଦାପ୍ରଭୁଙ୍କୁ ଭୟ କରେ ଓ ତାହାଙ୍କ ସେବକର ବାକ୍ୟ ପାଳନ କରେ, ତୁମ୍ଭମାନଙ୍କ ମଧ୍ୟରେ ଏପରି କିଏ ଅଛି ? ଯେଉଁ ଲୋକ ଅନ୍ଧକାରରେ ଗମନ କରେ ଓ ଦୀପ୍ତିପ୍ରାପ୍ତ ନ ହୁଏ, ସେ ସଦାପ୍ରଭୁଙ୍କ ନାମରେ ବିଶ୍ୱାସ କରୁ ଓ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର କରୁ। ୧୧ ଅଗ୍ନି ଜ୍ୱଳାଉଅଛ, ଅଗ୍ନିଖୁଣ୍ଟାରେ ଆପଣାମାନଙ୍କୁ ବେଷ୍ଟନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେ ସମସ୍ତେ ଦେଖ : ତୁମ୍ଭେମାନେ ଆପଣାମାନଙ୍କ ଅଗ୍ନିଶିଖା ଓ ଆପଣାମାନଙ୍କ ପ୍ରଜ୍ୱଳିତ ଅଗ୍ନିଖୁଣ୍ଟା ମଧ୍ୟରେ ଗମନ କର। ମୋ’ ହସ୍ତରୁ ଏହା ତୁମ୍ଭେମାନେ ପାଇବ; ତୁମ୍ଭେମାନେ ଶୋକରେ ଶୟନ କରିବ।