The General Epistle of
James
ଯାକୁବଙ୍କ ପତ୍ର
ଅଭିବାଦନ
୧ ଈଶ୍ୱରଙ୍କ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦାସ ଯାକୁବର ଛିନ୍ନଭିନ୍ନ ଦ୍ୱାଦଶ ଗୋଷ୍ଠୀଙ୍କୁ ନମସ୍କାର ।
ବିଶ୍ୱାସର ପରୀକ୍ଷା
୨ ହେ ମୋହର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, ୩ ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ । ୪ ଆଉ, ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ସହିଷ୍ଣୁତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ । ୫ କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ । ୬ କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତଃସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ । ୭ ସେପରି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ; ୮ ସେ ତ ଦ୍ୱିମନା ଲୋକ, ଆପଣାର ସମସ୍ତ ଗତିରେ ଅସ୍ଥିର । ୯ ଦୀନାବସ୍ଥାର ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ, ୧୦ ଧନୀ ଆପଣା ଦୀନାବସ୍ଥାରେ ଦର୍ପ କରୁ, କାରଣ ଘାସର ଫୁଲ ପରି ସେ ଝଡ଼ିପଡ଼ିବ । ୧୧ ଯେଣୁ ସୂର୍ଯ୍ୟ ସତାପରେ ଉଦୟ ହୁଅନ୍ତେ, ଘାସ ଯେପରି ଶୁଖିଯାଏ ଓ ତାହାର ଫୁଲ ଝଡ଼ିପଡ଼େ ପୁଣି, ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼ିବ । ୧୨ ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ସେ ଧନ୍ୟ, କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷାସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ ହେବ । ୧୩ କେହି ପରୀକ୍ଷିତ ହେଲେ, ମୋହର ଏହି ପରୀକ୍ଷା ଈଶ୍ୱରଙ୍କ ଆଡ଼ୁ ହେଉଅଛି ବୋଲି ନ କହୁ, କାରଣ ଈଶ୍ୱର ମନ୍ଦରେ ପରୀକ୍ଷିତ ହୋଇ ପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ । ୧୪ କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ; ୧୫ ତାହା ପରେ କାମନା ଗର୍ଭଧାରଣ କରି ପାପ ପ୍ରସବ କରେ, ପୁଣି, ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ । ୧୬ ହେ ମୋହର ପ୍ରିୟ ଭାଇମାନେ, ଭ୍ରାନ୍ତ ହୁଅ ନାହିଁ । ୧୭ ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର ଊର୍ଦ୍ଧ୍ୱରୁ, ଅର୍ଥାତ୍‍, ଜ୍ୟୋତିଃର୍ଗଣର ପିତାଙ୍କଠାରୁ ଆସେ, ଯାହାଙ୍କଠାରେ କୌଣସି ପରିବର୍ତ୍ତନ ବା ଲେଶମାତ୍ର ବିକାର ନାହିଁ । ୧୮ ଆମ୍ଭେମାନେ ଯେପରି ତାହାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ଏକ ପ୍ରକାର ପ୍ରଥମ ଫଳ ସ୍ୱରୂପ ହେଉ, ଏଥି ନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଜନ୍ମ ଦେଲେ ।
ବାକ୍ୟର ଶ୍ରୋତା ଏବଂ କାର୍ଯ୍ୟକାରୀ
୧୯ ହେ ମୋହର ପ୍ରିୟ ଭାଇମାନେ, ତୁମ୍ଭେମାନେ ଏହା ଜ୍ଞାତ ଅଛ । ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର ପୁଣି, କ୍ରୋଧ କରିବାରେ ଧୀର ହେଉ, ୨୦ କାରଣ ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ । ୨୧ ଅତଏବ, ତୁମ୍ଭେମାନେ ସମସ୍ତ ଅଶୁଚିତା ଓ ସବୁପ୍ରକାର ଦୁଷ୍ଟତା ପରିତ୍ୟାଗ କରି ଯେଉଁ ରୋପିତ ବାକ୍ୟ ତୁମ୍ଭମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ନିମନ୍ତେ ସମର୍ଥ, ତାହା ନମ୍ର ଭାବରେ ଗ୍ରହଣ କର । ୨୨ କିନ୍ତୁ ଶ୍ରୋତାମାତ୍ର ହୋଇ ଆପଣାମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ । ୨୩ କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତାମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ, ୨୪ ଯେଣୁ ସେ ଆପଣାକୁ ଦେଖିଲା ଉତ୍ତାରେ ଚାଲିଯାଇ, ସେ କି ପ୍ରକାର ଲୋକ, ତାହା ସେହିକ୍ଷଣି ଭୁଲିଯାଏ । ୨୫ କିନ୍ତୁ ଯେ ସିଦ୍ଧ, ଅର୍ଥାତ୍‍, ସ୍ୱାଧୀନତାର ମୋଶାଙ୍କ ବ୍ୟବସ୍ଥା ପ୍ରତି ନିରୀକ୍ଷଣ କରି ସେଥିରେ ନିବିଷ୍ଟ ଥାଏ, ପୁଣି, ବିସ୍ମରଣକାରୀ ଶ୍ରୋତାମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ, ସେ ଆପଣା କାର୍ଯ୍ୟରେ ଧନ୍ୟ । ୨୬ ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣା ଜିହ୍ୱାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା । ୨୭ ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖାବସ୍ଥାରେ ସଂଖୋଳିବା ପୁଣି, ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ ।