୧୮
ବିଲ୍‍ଦଦ୍‍ - ଦୁଷ୍ଟ ପ୍ରତି ଈଶ୍ୱରଙ୍କ ପ୍ରହାର
୧ ଏଥିଉତ୍ତାରେ ଶୂହୀୟ ବିଲ୍‍ଦଦ୍‍ ଉତ୍ତର କରି କହିଲା, “ତୁମ୍ଭେମାନେ କେତେ କାଳ କଥା ଧରିବା ପାଇଁ ଜାଲ ପାତିବ ? ୨ ବିବେଚନା କର, ତହିଁ ଉତ୍ତାରେ ଆମ୍ଭେମାନେ କହିବା। ୩ ଆମ୍ଭେମାନେ କାହିଁକି ପଶୁ ପରି ଗଣା ଯାଉଅଛୁ ଓ ତୁମ୍ଭମାନଙ୍କ ଦୃଷ୍ଟିରେ ଅଶୁଚି ହୋଇଅଛୁ ? ୪ କ୍ରୋଧରେ ଆପଣାକୁ ବିଦୀର୍ଣ୍ଣ କରୁଅଛ ଯେ ତୁମ୍ଭେ, ତୁମ୍ଭ ପାଇଁ କ’ଣ ପୃଥିବୀ ପରିତ୍ୟକ୍ତ ହେବ ? ଅବା ଶୈଳ କ’ଣ ସ୍ୱସ୍ଥାନରୁ ଦୂରୀକୃତ ହେବ ? ୫ ହଁ, ଦୁଷ୍ଟର ଦୀପ୍ତି ନିଭାଯିବ ଓ ତାହାର ଅଗ୍ନିକଣା ନିସ୍ତେଜ ହେବ। ୬ ତାହାର ତମ୍ବୁରେ ଆଲୁଅ ଅନ୍ଧାର ହେବ ଓ ତାହାର ଉପରିସ୍ଥ ପ୍ରଦୀପ ନିଭାଯିବ। ୭ ତାହାର ସାମର୍ଥ୍ୟର ଗତି ସଙ୍କୁଚିତ ହେବ ଓ ତାହାର ନିଜ ମନ୍ତ୍ରଣା ତାହାକୁ ତଳେ ପକାଇବ। ୮ ସେ ଆପଣା ଚରଣ ଦ୍ୱାରା ଜାଲରେ ପଡ଼େ ଓ ସେ ଫାନ୍ଦ ଉପରେ ଗମନାଗମନ କରେ। ୯ ଫାଶ ତାହାର ଗୋଇଠିକି ଧରିବ ଓ ଜାଲ ତାହାକୁ ଧରିବ। ୧୦ ତାହା ପାଇଁ ଫାଶ ଭୂମିରେ ଗୁପ୍ତ ଅଛି ଓ ପଥରେ ତାହା ପାଇଁ ଯନ୍ତା ଅଛି। ୧୧ ଭୟଙ୍କରତା ତାହାକୁ ଚତୁର୍ଦ୍ଦିଗରେ ଭୀତ କରିବ ଓ ତାହାର ଗୋଡ଼େ ଗୋଡ଼େ ଗୋଡ଼ାଇବ। ୧୨ ତାହାର ବଳ କ୍ଷୁଧାରେ କ୍ଷୀଣ ହେବ ଓ ତାହାର ଶେଷ ସମୟକୁ ବିପଦ ପ୍ରସ୍ତୁତ ଥିବ। ୧୩ ତାହା ତାହାର ଶରୀରର ଅବୟବସବୁ ଗ୍ରାସ କରିବ, ହଁ, ମୃତ୍ୟୁୁର ପ୍ରଥମଜାତ ତାହାର ଅବୟବସବୁ ଗ୍ରାସ କରିବ। ୧୪ ସେ ଆପଣା ବିଶ୍ୱାସ-ସ୍ଥଳରୂପ ତମ୍ବୁରୁ ଉତ୍ପାଟିତ ହେବ ଓ ସେ ଭୟଙ୍କର ରାଜା ନିକଟକୁ ଅଣାଯିବ। ୧୫ ତାହାର ଅସମ୍ପର୍କୀୟ ଲୋକ ତାହାର ତମ୍ବୁରେ ବାସ କରିବ, ତାହାର ନିବାସ-ସ୍ଥାନ ଉପରେ ଗନ୍ଧକ ବିଞ୍ଚାଯିବ। ୧୬ ତଳେ ତାହାର ମୂଳ ଶୁଷ୍କ ହେବ ଓ ଉପରେ ତାହାର ଶାଖା ଉଚ୍ଛିନ୍ନ ହେବ। ୧୭ ପୃଥିବୀରୁ ତାହାର ସ୍ମୃତି ଲୁପ୍ତ ହେବ ଓ ପଥରେ କେହି ତାହାର ନାମ ଧରିବ ନାହିଁ। ୧୮ ସେ ଆଲୁଅରୁ ଅନ୍ଧାରକୁ ତଡ଼ାଯିବ ଓ ଜଗତରୁ ଘଉଡ଼ାଯିବ। ୧୯ ଆପଣା ଲୋକଙ୍କ ମଧ୍ୟରେ ତାହାର ପୁତ୍ର କି ପୌତ୍ର ରହିବେ ନାହିଁ, କିଅବା ତାହାର ପ୍ରବାସ-ସ୍ଥାନରେ କେହି ରହିବେ ନାହିଁ। ୨୦ ଯେପରି ପୂର୍ବବର୍ତ୍ତୀ ଲୋକମାନେ ତାହାର ବିନାଶର ଦିନ ଲାଗି ଭୀତ ହୋଇଥିଲେ, ସେପରି ପଶ୍ଚିମବର୍ତ୍ତୀ ଲୋକମାନେ ଚମତ୍କୃତ ହେବେ। ୨୧ ନିଶ୍ଚୟ ଅଧାର୍ମିକର ବସତି ଏହିପରି ଓ ପରମେଶ୍ୱରଙ୍କୁ ନ ଜାଣିବା ଲୋକର ସ୍ଥାନ ଏହି।”