ଅନ୍ୟର ବିଚାର ନ କରିବା
(ଲୂକ 6:37,41,42)
୧ ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ । ୨ କାରଣ ଯେଉଁ ବିଚାରରେ ବିଚାର କର, ସେହି ବିଚାରରେ ତୁମ୍ଭମାନେ ବିଚାରିତ ହେବ; ପୁଣି, ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଇ ଦିଆଯିବ । ୩ ଆଉ କାହିଁକି ତୁମ୍ଭ ଭାଇର ଆଖିର ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ ? ୪ ଅଥବା ତୁମ୍ଭେ କିପରି ଆପଣା ଭାଇ କି କହିବ, ଆସ, ତୁମ୍ଭ ଆଖିରୁ କୁଟାଟିକକ ବାହାର କରିଦିଏ ? ଆଉ ଦେଖ, ତୁମ୍ଭ ଆଖିରେ କଡ଼ିକାଠ ଅଛି! ୫ ରେ କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରୁ କୁଟାଟିକକ ବାହାର କରିବା ପାଇଁ ଭଲ ଭାବରେ ଦେଖି ପାରିବ । ୬ ପବିତ୍ର ପଦାର୍ଥ କୁକୁରମାନଙ୍କୁ ଦିଅ ନାହିଁ, କିମ୍ବା ତୁମ୍ଭମାନଙ୍କର ମୁକ୍ତା ଘୁଷୁରିମାନଙ୍କ ଆଗରେ ପକାଅ ନାହିଁ, କାଳେ ସେମାନେ ସେହି ସବୁ ସେମାନଙ୍କ ପାଦ ତଳେ ଦଳନ୍ତି ଓ ବୁଲିପଡ଼ି ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରନ୍ତି ।
ମାଗ, ଖୋଜ ଓ ଦ୍ୱାରରେ ଆଘାତ କର
(ଲୂକ 11:9-13)
୭ ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ । ୮ କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ମାରେ, ତାହା ନିମନ୍ତେ ଫିଟାଇ ଦିଆଯିବ । ୯ କିମ୍ବା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୁଟି ମାଗିଲେ ତାହାକୁ ପଥର ଦେବ, ୧୦ କିଅବା ମାଛ ମାଗିଲେ ତାହାକୁ ସାପ ଦେବ ? ୧୧ ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ମଧ୍ୟ ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ !
ଧର୍ମଶାସ୍ତ୍ରର ସାର
(ଲୂକ 13:24)
୧୨ ଅତଏବ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହି ସବୁ କର, କାରଣ ଏହା ହିଁ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ରର ସାର । ୧୩ ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ନେଇଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି, ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ । ୧୪ ଆଉ ଜୀବନକୁ ନେଇଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି, ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ ।
ଗଛ ଓ ତା' ଫଳ
(ଲୂକ 6:43,44,46; 13:25-27)
୧୫ ଭଣ୍ଡ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ; ସେମାନେ ମେଣ୍ଢାବେଶ‍ରେ ତୁମ୍ଭମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ ! ୧୬ ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ । ଲୋକମାନେ କି କଣ୍ଟାଗଛରୁ ଦ୍ରାକ୍ଷାଫଳ କିମ୍ବା କାନକୋଳି ଗଛରୁ ଡିମ୍ବିରି ଫଳ ତୋଳନ୍ତି ? ୧୭ ସେହି ପ୍ରକାରେ ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ। ୧୮ ଭଲ ଗଛ ମନ୍ଦ ଫଳ ଫଳି ନ ପାରେ, କିଅବା ମନ୍ଦ ଗଛ ଭଲ ଫଳ ଫଳି ନ ପାରେ । ୧୯ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯାଏ । ୨୦ ଅତଏବ ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ ।
ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ
(ମାଥିଉ 25:12; ଯିଶାଇୟ 29:13)
୨୧ ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ । ୨୨ ସେ ଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ ? ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ ? ଆଉ ତୁମ୍ଭ ନାମରେ କି ଅନେକ ଆଶ୍ଚର୍ଯ୍ୟର କାର୍ଯ୍ୟ କଲୁ ନାହିଁ ? ୨୩ ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ । ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ ।
ଦୁଇ ଗୃହ ନିର୍ମାଣକାରୀ
(ଲୂକ 6:47-49)
୨୪ ଏଣୁ ଯେ କେହି ମୋହର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ, ସେ ପଥର ଉପରେ ଘର ତିଆରି କରିବା ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ । ୨୫ ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଲା ନାହିଁ, କାରଣ ପଥର ଉପରେ ତାହାର ମୂଳଦୁଆ ଥିଲା । ୨୬ ଆଉ ଯେ କେହି ମୋର ଏହି ସମସ୍ତ କଥା ଶୁଣି ପାଳନ କରେ ନାହିଁ, ସେ ବାଲି ଉପରେ ଘର ତିଆରି କରିବା ଜଣେ ମୁର୍ଖ ଲୋକ ଭଳି ହେବ । ୨୭ ବର୍ଷା ହେଲା, ବଢ଼ି ଆସିଲା ପୁଣି, ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଗଲା, ପୁଣି, ତାହାର ପତନ ଭୟଙ୍କର ହେଲା ।
ଯୀଶୁଙ୍କର ଅଧିକାର
(ମାଥିଉ 13:54; 22:33; ଲୂକ 4:22,32; ମାର୍କ 6:2)
୨୮ ଯୀଶୁ ଏହି ସବୁ କଥା ଶେଷ କରନ୍ତେ ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, ୨୯ କାରଣ ସେ ସେମାନଙ୍କର ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ ।